ଚକଡ଼ା ଆତଙ୍କ : ସାତ ଦିନ ଭିତରେ ଚାଷୀଙ୍କୁ ସହାୟତା

ଭୁବନେଶ୍ୱର : ରୋଗପୋକ ଆକ୍ରମଣରେ ଫସଲହାନୀ ପାଇଁ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ଆଜି ଠାରୁ ଆରମ୍ଭ ହୋଇଛି। ସାତ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଚକଡ଼ା କ୍ଷୟକ୍ଷତି ପାଇଁ କେନ୍ଦ୍ରକୁ କୌଣସି ସହାୟତା ମଗାଯିବ ନାହିଁ। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଏହି ଅର୍ଥ ଚାଷୀଙ୍କୁ ଦିଆଯାଉଛି। ତେବେ ଚାଷୀଙ୍କୁ ସହାୟତା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌)ରେ ଥିବା ନିୟମକୁ ବଦଳାଇବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି।

ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୨୪ଟି ଜିଲ୍ଲାର ୧୫୦ ବ୍ଲକ, ୩୫ଟି ସହରାଞ୍ଚଳ ଅଧୀନରେ ଥିବା ୧୪୮ ଓ୍ଵାର୍ଡ ଅନ୍ତର୍ଗତ ୮୦୯୨ ଗ୍ରାମର ୧ ଲକ୍ଷ ୨୮ ହଜାର ହେକ୍ଟର ଜମି ରୋଗପୋକରେ ୩୩ ପ୍ରତିଶତରୁ ଅଧିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିରୁ ବାଲେଶ୍ୱର, କଟକ, ଜଗତ୍‌ସିଂହପୁର, କନ୍ଧମାଳ, ମାଲକାନଗିରି ବାଦ୍‌ ପଡ଼ିଛି। ସେହି ୬ଟି ଜିଲ୍ଲାରେ ରୋଗପୋକ ଆକ୍ରାନ୍ତ ଜମି ପରିମାଣ ଶୂନ୍ୟ ଦର୍ଶାଯାଇଛି। ଜିଲ୍ଲାପାଳମାନଙ୍କ ରିପୋର୍ଟକୁ ଭିତ୍ତିକରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ତାଲିକା ପ୍ରସ୍ତୁତ କରିଛି। କ୍ଷୟକ୍ଷତି ପାଇଁ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ବାବଦରେ ସରକାର ୧୩୭ କୋଟି ୫୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏସ୍‌ଡିଆର୍‌ଏଫ୍‌ରୁ ଏହି ଅର୍ଥ ପ୍ରଦାନ କରାଯାଇଛି। ରିଲିଫ କୋଡ୍‌ ଅନୁସାରେ ଅଣଜଳସେଚିତ ୧ ହେକ୍ଟର ଜମି ପାଇଁ ୬,୮୦୦ ଟଙ୍କା ଏବଂ ଜଳସେଚିତ ୧ ହେକ୍ଟର ଜମି ନିମନ୍ତେ ୧୩,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ।

ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ବିଷ୍ଣୁପଦ ସେଠୀଙ୍କ ସୂଚନା ଅନୁଯାୟୀ ଆଜି ଠାରୁ ଜିଲ୍ଲାପାଳମାନେ ସବ୍‌ସିଡି ପ୍ରଦାନ ଆରମ୍ଭ କରିଛନ୍ତି। ସାତ ଦିନ ଭିତରେ ସମସ୍ତ ଚାଷୀଙ୍କୁ ଏହା ପ୍ରଦାନ କରିବା ପାଇଁ କୁହାଯାଇଛି। ଅନ୍‌ଲାଇନ୍‌ ମାଧ୍ୟମରେ ଏହି ସହାୟତା ଦିଆଯାଉଛି।

କେନ୍ଦ୍ରକୁ ସହାୟତା ମଗାଯିବା ସମ୍ପର୍କରେ ଶ୍ରୀ ସେଠୀ କହିଛନ୍ତି, ଚକଡ଼ା କ୍ଷୟକ୍ଷତି ନେଇ କେନ୍ଦ୍ର ସରକାରଙ୍କୁ କୌଣସି ସହାୟତା ମଗାଯିବ ନାହିଁ। ସରକାର ଘୋଷଣା କରିଥିବା ପ୍ୟାକେଜ୍‌ ଅନୁଯାୟୀ ଚାଷୀଙ୍କୁ ସହାୟତା ଦେବାକୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌)ରେ ଯଥେଷ୍ଟ ଅର୍ଥ ଅଛି। ତେବେ ଏସ୍‌ଡିଆର୍‌ଏଫ୍‌ ନିୟମାବଳୀରେ କେତୋଟି ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

ରାଜ୍ୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ମୁଖ୍ୟତଃ ତିନିଟି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଛି। ଚାଷୀଙ୍କୁ ପ୍ରଦାନ କରାଯାଉଥିବା ଇନ୍‌ପୁଟ୍‌ ସବ୍‌ସିଡିକୁ ବଢ଼ାଇବା ପାଇଁ କୁହାଯାଇଛି। ବର୍ତ୍ତମାନ ଥିବା ବ୍ୟବସ୍ଥା ଅନୁଯାୟୀ ଅଣଜଳସେଚିତ ଜମି ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ହେକ୍ଟର୍‌ ପିଛା ୬,୮୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ୧୩,୫୦୦ ଟଙ୍କା ପ୍ରଦାନ କରାଯାଇଛି। ଏହାକୁ ଅତି କମ୍‌ରେ ୫୦ ପ୍ରତିଶତ ବଢ଼ାଇବା ପାଇଁ କୁହାଯାଇଛି। ସେହିପରି ମରୁଡ଼ି ପରିସ୍ଥିତିରେ ଉଠା ଜଳସେଚନ ପଏଣ୍ଟ୍‌ଗୁଡ଼ିକର ମରାମତି ପାଇଁ ଏସ୍‌ଡିଆର୍‌ଏଫ୍‌ରୁ ଅର୍ଥ ବ୍ୟବସ୍ଥା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜ୍ୟ ପକ୍ଷରୁ କୁହାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତି ହେଉଥିବା ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ଏସ୍‌ଡିଆର୍‌ଏଫ୍‌ରୁ ପାଣ୍ଠି ପ୍ରଦାନ ପାଇଁ ଅନୁମତି ଦେବାକୁ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର