କୀଟନାଶକରେ କେଳେଙ୍କାରୀ

ହିସାବ ଦେଇପାରୁନାହାନ୍ତି ଡିଲର୍‌, ବିନା ଲାଇସେନ୍‌ସରେ ବି ବିିକିଛନ୍ତି 

ଭୁବନେଶ୍ୱର : ଧାନ ଜମିକୁ ଗିଳିଦେବାକୁ ବସିଛନ୍ତି କୀଟ। ହଜାର ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଗଲାଣି। ଏପଟେ କିନ୍ତୁ ସବ୍‌ସିଡି ଯୋଗେ ସରକାର କୀଟନାଶକ ପ୍ରଦାନ ପାଇଁ ଯେଉଁ ବ୍ୟବସ୍ଥା କରିଥିଲେ, ସେଥିରେ ବଡ଼ ଧରଣର କେଳେଙ୍କାରୀ ଆଭାସ ମିଳିଛି। ବିଭାଗୀୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ଏ ନେଇ ସୁରାକ ପାଇବା ପରେ ତନାଘନା ଆରମ୍ଭ କରିଛନ୍ତି। ସେପଟେ ବିଭାଗୀୟ ଅଧିକାରୀମାନେ ଘଟଣାକୁ ଚାପି ଦେବା ଲାଗି ଷଡ଼ଯନ୍ତ୍ର ଆରମ୍ଭ କରିଦେଲେଣି। ସରକାରୀ ଅଧିକାରୀ-ଡିଲରଙ୍କ ମଧୁଚନ୍ଦ୍ରିକାରେ ଏହି କୀଟନାଶକ ଦୁର୍ନୀତି ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ରୋଗ ପୋକ ଯୋଗୁଁ ରାଜ୍ୟରେ ପାଖାପାଖି ୫ଲକ୍ଷ ଏକରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି। ହେଲେ ସରକାରୀ ତଥ୍ୟ ବୟାନ କରୁଛି, ପାଖାପାଖି ୩ଲକ୍ଷ ଏକର ଜମିରେ ଚାଷୀ କୀଟନାଶକ ପ୍ରୟୋଗ କରିଛି। ଏପରିକି ଚକଡ଼ା ପୋକ ଯୋଗୁଁ ନଷ୍ଟ ହୋଇଥିିବା ଜମି ମଧ୍ୟରୁ ୪୦ ହଜାର ହେକ୍ଟର ଜମିରେ କୀଟନାଶକ ପ୍ରୟୋଗ ହୋଇପାରିନାହିଁ। ପ୍ରଶ୍ନ ଉଠୁଛି,

ଏକରକୁ ୫୦୦ ଟଙ୍କା ଯାଏ ସବ୍‌ସିଡିରେ ସରକାର କୀଟନାଶକ ଯୋଗାଇ ଦେଉଛନ୍ତି। ଏସବୁ ପ୍ରଦାନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ। ଅର୍ଥାତ୍‌ ଭାଗଚାଷୀ ବି ରିହାତି ମୂଲ୍ୟରେ କୀଟନାଶକ ପାଇପାରିବେ। ହେଲେ କାହିଁଁକି ଚାଷୀ ବିଲରେ କୀଟନାଶକ ପ୍ରୟୋଗ କରିପାରିଲେ ନାହିଁ? ଯେଉଁମାନେ ପ୍ରୟୋଗ କଲେ, ସେଠାରେ ନକଲି ବୋଲି ଅଭିଯୋଗ ଆସିଲା କେଉଁଠୁ? ଏଥିପାଇଁ ବିଭାଗୀୟ ଉପରିସ୍ଥ ଅଧିକାରୀ ଦାୟୀ ନା ତଳିଆ କର୍ମଚାରୀ।

ବିଶେଷଜ୍ଞମାନଙ୍କ କହିବା କଥା ହେଲା, ଡିବିଟି ବ୍ୟବସ୍ଥା ଏ କ୍ଷେତ୍ରରେ କିଛି ଚାଷୀଙ୍କ ବାଟ ଓଗାଳିଥିିଲା। ଆଗୁଆ ପଇସା ନ ଦେଇପାରି କମ୍‌ ଦାମରେ ଔଷଧ କିଣିବା ଲାଗି ଚାଷୀ ଉତ୍ସାହିତ ହୋଇଛନ୍ତି। ସେହିଭଳି ଚଳିତବର୍ଷ ପାଇଁ ଏସ୍‌ଏଲ୍‌ଟିସି (ରାଜ୍ୟସ୍ତରୀୟ ବୈଷୟିକ କମିଟି) କୀଟନାଶକ ଆଦିର କମ୍ପାନି ତାଲିକା କେବେ ପ୍ରଦାନ କଲା ଓ ସରକାର କେବେ ବିଜ୍ଞପ୍ତି କଲେ?  ସବ୍‌ସିଡିରେ  କୀଟନାଶକ ଦିଆଯାଉଥିବା ବେଳେ ଖୋଲାବଜାରରୁ କିଣିବା ପାଇଁ କିଏ ପ୍ରବର୍ତାଇଲା?  ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏସବୁ ସୂଚାଉଛି ଯେ କୀଟନାଶକ ଯୋଗାଣରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଛି।

ସବୁଠାରୁ ବଡ଼ କଥା ହେଲା, ଏବେ ଗଣମାଧ୍ୟମ ତନାଘନା କରିବା ପରେ ରାଜ୍ୟ ସରକାର ବିଭିନ୍ନ ଡିଲରଙ୍କ ଦୋକାନ ଉପରେ ଚଢାଉ କରିବାକୁ ନିର୍ଦେଶ ଦେଇଛନ୍ତି। ହେଲେ ପ୍ରାରମ୍ଭିକ ତଥ୍ୟ ସୂଚାଉଛି ଯେ ତଳସ୍ତରରେ ଏକ ବଡ଼ ର‍୍ୟାକେଟ୍‌ କାମ କରୁଛି। କାରଣ ଯେଉଁମାନେ କୀଟନାଶକ ବିକ୍ରି କରିବା ପାଇଁ ଡିଲରସିପ୍‌ ନେଇଛନ୍ତି ବା ଉପ-ନିର୍ଦେଶକ ଯେଉଁମାନଙ୍କୁ ଲାଇସେନ୍‌ସ ଦେଇଛନ୍ତି, ସେମାନେ ଫି ମାସରେ ନିଜର ଷ୍ଟକ ରେକର୍ଡର ଏକ ତାଲିକା ଦାଖଲ କରିବା କଥା। କେବଳ ସେତିକି ନୁହେଁ, କେଉଁ ଚାଷୀ କେତେ କୀଟନାଶକ ନେଲା, ତାର କ୍ୟାସ ମେମୋ ଆଦି ଦର୍ଶାଇବା କଥା।

ହେଲେ ଚଢାଉ ବେଳେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଲାଣି। କଳାହାଣ୍ଡିର କେସିଙ୍ଗାରେ ଜଣେ  ଡିଲର ଲାଇସେନ୍‌ସ ନଥାଇ କୀଟନାଶକ ବିକ୍ରି କରୁଥିବା ଜଣାପଡିଛି। ମନ୍ତ୍ରୀ ଆଜି ଏକଥା ସ୍ୱୀକାର କରିଛନ୍ତି। କେବଳ ସେତିକି ନୁହେଁ, ବହୁ ଆଗରୁ ଅଧିକାରୀମାନେ ବିଭାଗକୁ ଚିଠି ଲେଖି କୀଟନାଶକ ସଂପର୍କରେ ଖୋଳତାଡ଼ କରିଥିଲେ ବୋଲି ଦାବି କରୁଥିଲେ ହେଁ, ମନ୍ତ୍ରୀ ତନାଘନା କରିବା ବେଳେ ସେମାନଙ୍କ ନିକଟରେ କୌଣସି ତଥ୍ୟ ନଥିଲା। ଚଢାଉ ବେଳେ ଏକଥା ବି ଦେଖିବାକୁ ମିଳୁଛି ଯେ କିଛି  ଡିଲର ନା କ୍ୟାସମେମୋ ଦେଖାଇ ପାରୁଛନ୍ତି ନା ଷ୍ଟକ ରେକର୍ଡ ଦେଖାଇପାରୁଛନ୍ତି। ସେମାନେ ନିୟମିତ ତଥ୍ୟ ପୈଠ କରୁନଥିଲେ। ଅର୍ଥାତ୍‌ କେତେଜଣ ବେଆଇନ ଭାବେ କୀଟନାଶକ ଦେଉଥିଲେ। ଏପକିସ୍ଥଲେ ସ୍ଥାନୀୟ କୃଷି ଅଧିକାରୀ ଓ ଉପନିର୍ଦେଶକ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ତାହା ଏବେ ମନ୍ତ୍ରୀଙ୍କୁ ଆଚମ୍ବିତ କରିଛି। କେବଳ ସେତିକି ନୁହେଁ, ଏ ନେଇ ବିଭାଗୀୟ ସଚିବ ସମୀକ୍ଷା କରିଥିଲେ କି?

ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ସେ ଆରମ୍ଭରୁ ସନ୍ଦେହ କରୁଥିଲେ। ଏବେ କିଛି ସୂଚନା ମିଳିଲାଣି। ଯେଉଁସ୍ତରର ଅଧିକାରୀ ଏଥିରେ ସାମିଲ ଥିବେ, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହେଲେ କୃଷିି ବିଶେଷଜ୍ଞଙ୍କର ଯୁକ୍ତି ହେଉଛି, ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ ନ କରି ସରକାର କୀଟନାଶକ କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ପ୍ରଚଳନ କଲେ। ମନ୍ତ୍ରୀ ସେତେବେଳେ ଏ ନେଇ ସୂଚନା ଦେବା ବେଳେ ଗଦ୍‌ଗଦ୍‌ ହୋଇପଡୁଥିଲେ। ହେଲେ ବାସ୍ତବରେ ଏ ବ୍ୟବସ୍ଥାଟି ଡିଲରଙ୍କ ହାତକୁ ଚାଲିଗଲା ଓ ସରକାର ସମୁଦାୟ ଚାଷୀକୁଳର ଭାଗ୍ୟକୁ ସେମାନଙ୍କ ହାତକୁ ଟେକି ଦେଇ ବସିଗଲେ। ଏହାର ପରିଣାମ ଆଜି ଭୟଙ୍କର ଭାବେ ପଡୁଛି ଓ ଚାଷୀ ଫସଲ ତ ହରାଇଲା, ଜୀବନ ବି ଦେଲାଣି। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେବା ଦରକାର।

ସମ୍ବନ୍ଧିତ ଖବର