ଚିନ୍ତା ବଢ଼ାଉଛି ଚକଡ଼ା : ହଜାର ହଜାର ହେକ୍ଟର ଫସଲ ପ୍ରଭାବିତ

ଓୟୁଏଟି ପକ୍ଷରୁ ସୁରକ୍ଷା ଅଭିଯାନ ଆରମ୍ଭ, ଅଭିଯାନରେ ସାମିଲ ହେବେ ଛାତ୍ରଛାତ୍ରୀ

ସମ୍ବଲପୁର : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲ୍ଲାରେ ଏବେ ଚକଡ଼ା ଚିନ୍ତା। ବର୍ଷା କମିବା ସାଙ୍ଗକୁ ଖରା ଓ ଗୁଳୁଗୁଳି ଏହି ରୋଗପୋକ ପ୍ରଭାବକୁ ବହୁ ଗୁଣିତ କରିବା ଆଶଂକା ଦେଖା ଦେଇଛି। ବିଶେଷକରି ସମ୍ବଲପୁର, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଏବେ ଅବସ୍ଥା ଖରାପ ହେବାରେ ଲାଗିଛି। ଚକଡ଼ା ପ୍ରଭାବ ଏବେ ସ୍ବଳ୍ପରୁ ମଧ୍ୟମ ସ୍ତରରେ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ପାଣିପାଗ ସ୍ଥିତି ଅନୁକୂଳ ଥିବାରୁ ଦିନ କେଇଟା ମଧ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ଆଶଙ୍କା କରାଯାଉଛି। ତେବେ ଏନେଇ ସରକାରଙ୍କ ପକ୍ଷରୁ ସେତେଟା ତତ୍ପରତା ପ୍ରକାଶ ପାଉଥିବା ଭଳି ମନେ ହେଉନି।

ସରକାରୀ ତଥ୍ୟ ଅନୁସାରେ ସମ୍ବଲପୁର ଜିଲ୍ଲାରେ ଇତିମଧ୍ୟରେ ୩୪୫ ହେକ୍ଟର ଫସଲ ଚକଡ଼ା ପ୍ରଭାବିତ ହୋଇଛି। ତେବେ ଏହା ବର୍ତ୍ତମାନ ‘ବିପଦ ଜୋନ୍‌’କୁ ଯାଇ ନାହିଁ। ସଂକ୍ରମଣ ସ୍ବଳ୍ପ ତୀବ୍ରତାର ରହିଛି। ଉପଯୁକ୍ତ ପରିମାଣରେ ସଠିକ କୀଟନାଶକ ସିଞ୍ଚନ ହେଲେ ଏହାର ନିୟନ୍ତ୍ରଣ ସମ୍ଭବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ଖଗେନ୍ଦ୍ର ଜେନା। ମାତ୍ର ୧୮ ହେକ୍ଟର ଫସଲ ମଧ୍ୟମ ତୀବ୍ରତାକୁ ଚାଲି ଆସିଛି। ରୋଗପୋକ ନିୟନ୍ତ୍ରଣ ପାଇଁ ଚିପିଲିମା ସ୍ଥିତ ଓୟୁଏଟିରେ ୧୨ ଜିଲ୍ଲାକୁ ନେଇ ଫସଲ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ତି, ମୟୁରଭ˚ଜ, କେନ୍ଦୁଝର, ସୋନପୁର ଏବ˚ ନୂଆପଡ଼ା ଜିଲ୍ଲାର କୃଷି ଅଧିକାରୀମାନଙ୍କୁ ସାମିଲ କରାଯାଉଛି। ସେମାନଙ୍କୁ ଓୟୁଏଟିର ବିଶେଷଜ୍ଞ ପ୍ରଫେସର ଓ ଗବେଷକମାନେ ପ୍ରଶିକ୍ଷଣ ଦେବେ। ଏହି ପ୍ରତିନିଧିମାନେ ଗାଁକୁ ଯାଇ ଚାଷୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ଦେବେ। ଗତବର୍ଷ ଚକଡ଼ାରୁ ରକ୍ଷା ପାଇଁ ତୃଣମୂଳ ସ୍ତରୀୟ କୃଷି କର୍ମଚାରୀଙ୍କ ଠାରୁ ଆବଶ୍ୟକ ପରାମର୍ଶ ମିଳି ପାରୁନଥିବା ଚାଷୀମାନେ ଅଭିଯୋଗ କରୁଥିଲେ। ସେହି ସ୍ଥିତିକୁ ଦୂର ପାଇଁ ଚଳିତ ବର୍ଷ ଉପରୋକ୍ତ ଅଭିଯାନ ଆରମ୍ଭ ହୋଇଛି।

ଗତବର୍ଷ ଉଭୟ ଖରିଫ ଏବ˚ ରବିରେ ଚକଡ଼ା ଯୋଗୁଁ ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଥିଲା। ୨୦୧୮ ଖରିଫରେ ମଧ୍ୟ ଚକଡ଼ା ମାଡ଼ ଆଶଙ୍କା କରାଯାଉଛି। ସମ୍ବଲପୁର ଜିଲ୍ଲାରେ କେବଳ ରେଢାଖୋଲ ଉପଖଣ୍ତକୁ ବାଦ୍‌ ଦେଲେ ପ୍ରତ୍ୟେକ ସ୍ଥାନରେ ଚକଡ଼ା ଦେଖା ଦେଇଛି। ଧନକଉଡ଼ା ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି। ଏଥିଯୋଗୁଁ ଚାଷୀ ବର୍ତ୍ତମାନ ଠାରୁ କୀଟନାଶକ ପକାଇବା ଆରମ୍ଭ କରିଛନ୍ତି। ଗତବର୍ଷ କୀଟନାଶକ ସିଞ୍ଚନ ଫଳପ୍ରଦ ହୋଇନଥିବାବେଳେ ଚଳିତ ବର୍ଷ ସ୍ଥିତି କ’ଣ ହେବ କୁହାଯାଇ ପାରୁ ନାହିଁ। ଇତିମଧ୍ୟରେ ଜିଲ୍ଲାକୁ ୭୨୭୦ ଲିଟର କୀଟନାଶକ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର