ରାଜ୍ୟରେ ଥମୁନି କୀଟବାହିତ ରୋଗ : ମ୍ୟାଲେରିଆ କମିଛି, ଜେଇ ବଢ଼ିଛି

ଭୁବନେଶ୍ବର : ରାଜ୍ୟରେ ଥମୁନି କୀଟ ବା ଭେକ୍ଟର ବାହିତ ରୋଗ। ମ୍ୟାଲେରିଆ ସାଙ୍ଗକୁ ଡେଙ୍ଗୁ ଓ ଜାପାନୀ ଜ୍ବର ମିଳିତ ଭାବେ ରାଜ୍ୟବାସୀଙ୍କୁ କଲବଲ କରୁଛନ୍ତି। ଯଦିଓ ଅନ୍ୟ ବର୍ଷ ତୁଳନାରେ ରାଜ୍ୟରେ ଚଳିତବର୍ଷ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି ତଥାପି ଡେଙ୍ଗୁ ପୂର୍ବଭଳି ଲୋକଙ୍କ ପାଇଁ ସମସ୍ୟା ଆଣୁଥିବା ବେଳେ ଜାପାନୀ ଜ୍ବର କିନ୍ତୁ ବଢ଼ିଛି। ଚଳିତବର୍ଷ ମ୍ୟାଲେରିଆରେ ୪ଜଣ ପ୍ରାଣ ହରାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରେ ରାଜ୍ୟରେ କେହି ହେଲେ ଡେଙ୍ଗୁରେ ପ୍ରାଣ ହରାଇନଥିବା ଦର୍ଶାଯାଇଛି। ପୂର୍ବରୁ ଏସ୍‌ସିବି ମେଡିକାଲ କଲେଜରେ ଜଣେ ଓ ଅନ୍ୟ ସ୍ଥାନରେ ୨ଟି ଡେଙ୍ଗୁଜନିତ ମୃତ୍ୟୁ ହୋଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ଡେଙ୍ଗୁଜନିତ ମୃତ୍ୟୁ ମାନିବାକୁ ନାରାଜ। କ’ଣ ପାଇଁ ଏହି ତଥ୍ୟ ଲୁଚାଯାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରେ ଚଳିତବର୍ଷ ଜୁଲାଇ ମାସ ଭିତରେ ୨୧ହଜାର ୨୦୯ ମ୍ୟ‌ାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ଜୁଲାଇ ମାସ ସୁଦ୍ଧା ୪୨ହଜାର ୩୧୭ ଘଟଣା ସାମ୍ନାକୁ ଆସିଥିଲା। ଗତବର୍ଷ ଏହି ମାସ ପର୍ଯ୍ୟନ୍ତ ୨ଜଣ ପ୍ରାଣ ହରାଇଥିବା ବେଳେ ଚଳିତବର୍ଷ ୪ଜଣ ମ୍ୟାଲେରିଆରେ ପ୍ରାଣ ହରାଇ ସାରିଲେଣି। ଗତ କିଛିବର୍ଷ ଧରି ରାଜ୍ୟରେ ମ୍ୟାଲେରିଆ ଜନିତ ଆକ୍ରାନ୍ତ/ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳୁଛି। ତଥାପି ପଶ୍ଚିମ ଓଡ଼ିଶାରେ ଏହାର ସ୍ଥିତି ଉଦ୍‌ବେଗଜନକ ରହିଛି।

ଅପରପକ୍ଷରେ ଡେଙ୍ଗୁ ଆକ୍ରାନ୍ତଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରେ ତାଳମେଳ ରହୁନାହିଁ। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୈଷୟିକ ଟାସ୍କଫୋର୍ସର ସମୀକ୍ଷା ବୈଠକରେ କୀଟବାହିତ ରୋଗ ସଂପର୍କରେ ସମୀକ୍ଷା ହୋଇଥିଲା। ଏଥିରେ ଚଳିତବର୍ଷ ଜୁଲାଇ ମାସ ସୁଦ୍ଧା ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି। ସ୍ବାସ୍ଥ୍ୟ ବିଭାଗର ଅଗଷ୍ଟ ମାସର ଦୈନନ୍ଦିନ ରିପୋର୍ଟରେ ରାଜ୍ୟରେ ୫୬୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଦର୍ଶାଯାଇଛି। କଟକ, ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲା ପ୍ରଥମ ୩ ସ୍ଥାନରେ ରହିଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟକୁ ଅନୁଶୀଳନ କଲେ କେବଳ ଗୋଟିଏ ମାସରେ ୩୭୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହେଉଛି। ଯାହାକି ଅନ୍ୟ ମାସଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ। ଅପରପକ୍ଷରେ ଟାସ୍କଫୋର୍ସ ସମୀକ୍ଷା ବୈଠକ ହେଉ ବା ସ୍ବାସ୍ଥ୍ୟ ବିଭାଗର ଦୈନନ୍ଦିନ ରିପୋର୍ଟରେ ଜଣେ ହେଲେ ଡେଙ୍ଗୁରେ ପ୍ରାଣ ହରାଇଥିବା ଦର୍ଶାଯାଇ ନାହିଁ। ମାତ୍ର ତଥ୍ୟ କହୁଛି ଗତମାସରେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଏସ୍‌ସିବିରେ ଡେଙ୍ଗୁରେ ପ୍ରାଣ ହରାଇଥିଲେ। ପରବର୍ତୀ ସମୟରେ ରାଜ୍ୟରେ ଆହୁରି ୨ଟି ଡେଙ୍ଗୁଜନିତ ମୃତ୍ୟୁ ସାମ୍ନାକୁ ଆସିଛି। କେଉଁ ପରିସ୍ଥିତିରେ ଡେଙ୍ଗୁ ମୃତ୍ୟୁକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଉନାହିଁ ତାହା ସ‌ନ୍ଦେହ ଘେରରେ ରହିଛି। ଗତବର୍ଷ ଜୁଲାଇ ମାସ ସୁଦ୍ଧା ୭୧୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତହିଁରେ ୩ଜଣ ପ୍ରାଣ ହରାଇଥିଲେ।

Down To Earth

ସେହିପରି ରାଜ୍ୟରେ ଜାପାନିଜ୍ ଏନ୍‌ସାଫାଇଲିଟ୍‌ସ (ଜେଇ) ଆକ୍ରାନ୍ତ‌ଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି। ଗତବର୍ଷ ଜୁଲାଇ ମାସ ସୁଦ୍ଧା ମାତ୍ର ୬୩ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ଏହା କିନ୍ତୁ ୧୦୬‌ରେ ପହଞ୍ଚିଛି। ଜେଇରେ ଜଣେ ହେଲେ ପ୍ରାଣ ହରା ନ ଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରେ କୁହାଯାଇଛି। ତେବେ ଆଗାମୀ ଦିନରେ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର