ଅକ୍ଟୋବର ସୁଦ୍ଧା କର୍କଟ କେନ୍ଦ୍ରରେ ‘ପେଟ୍ ସିଟି ସ୍କାନ୍’

ହାଇକୋର୍ଟରେ ହୋଇଥିଲା ଜନସ୍ବାର୍ଥ ମାମଲା

ସପ୍ତାହକୁ ୧୨୦ ସ୍କାନ୍‌ ପାଇଁ ଏଇଆର୍‌ବି ଅନୁମତି
ପିପିପି ମୋଡ୍‌ରେ ରୋଗୀ ପାଇବେ ସେବା

କଟକ : କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ‘ପେଟ୍ ସିଟି ସ୍କାନ୍‌ ମେସିନ୍‌। ଏଥିପାଇଁ ଆଟମିକ୍‌ ଏନର୍ଜି ରେଗୁଲେଟିଙ୍ଗ୍‌ ବୋର୍ଡ(ଏଇଆର୍‌ବି)ପକ୍ଷରୁ ଅନୁମତି ମିଳି ସାରିଛି। ସପ୍ତାହକୁ ୧୨୦ଟି ପେଟ୍ ସିଟି ସ୍କାନ୍‌ କର୍କଟ କେନ୍ଦ୍ରରେ କରାଯିବା ପାଇଁ ଏଇଆର୍‌ବି ଅନୁମତି ଦେଇଥିବାବେଳେ ଲିନାକ୍‌ କୋଠାର ପ୍ରଥମ ମହଲାରେ ଏହାକୁ ପିପିପି ମୋଡ୍‌ରେ କାର୍ଯ୍ୟକ୍ଷମ କରାଯିବ ବୋଲି କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ପେଟ୍ ସିଟି ସ୍କାନ୍‌ ମେସିନ୍ ଆଚାର୍ଯ୍ୟ ହରିହରରେ ‌କାର୍ଯ୍ୟକ୍ଷମ କରାଯିବା ନେଇ ହାଇକୋର୍ଟରେଏକାଧିକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ନିକଟରେ ଏ ନେଇ ସରକାରଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟକ୍ଷମ ନେଇ ଏକାଧିକ ଥର ସତ୍ୟପାଠ ବି ଦାଖଲ କରାଯାଇଥିଲା। ତା’ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ କରାଯାଇ ପାରି ନଥିଲା। ଏବେ ଏଇଆର୍‌ବିରୁ ଅନୁମତି ମିଳିବା ପରେ ଏହା କାର୍ଯ୍ୟକ୍ଷମ ହେବା ନେଇ ବାଟ ଖୋଲିଛି। ସୂଚନାଯୋଗ୍ୟ, କର୍କଟ ରୋଗ ଚିକିତ୍ସାରେ ‘ପେଟ୍ ସିଟି ସ୍କାନ୍‌’ ଏକ ଉନ୍ନତମାନର ରୋଗ ନିରୂପଣ ଯନ୍ତ୍ର। ଏହା ମାଧ୍ୟମରେ ରୋଗ କେଉଁ ଷ୍ଟେଜ୍‌ରେ ରହିଛି, ଶରୀରର କେତେଅଂଶକୁ କର୍କଟ ରୋଗ ତାର ପ୍ରଭାବ ବିସ୍ତାର କରିଛି ସେ ସବୁ ଜଣାପଡ଼ିଥାଏ। ତା’ର ଉପଯୁକ୍ତ ନିଦାନ ବ୍ୟବସ୍ଥା ସହ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସା କରିବାରେ ଏହା ଅନେକ ସାହାଯ୍ୟ କରିଥାଏ। ଝାରସୁଗୁଡ଼ା ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସହିତ ରାଜ୍ୟର ଅନ୍ୟ ସ୍ଥାନରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ପେଟ୍ ସିଟି ସ୍କାନ ବ୍ୟବସ୍ଥା କେତେଦିନ ଭିତରେ ଉପଲବ୍ଧ ହେବ ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ଫେବ୍ରୁଆରି ୧୦ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରକାଶ କରିଥିବା ଶ୍ବେତପତ୍ରରେ କର୍କଟ ଯତ୍ନ ପ୍ରସଂଗରେ ରହିଥିବା ତଥ୍ୟ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Image Courtesy of The New Indian Express

ଏହାପୂର୍ବରୁ କର୍କଟ ପୀଡିତ ଗରିବ ରୋଗୀଙ୍କ ସମସ୍ୟାକୁ ନେଇ ଆଇନଜୀବୀ ଅରୁଣ ବୁଦ୍ଧିଆଙ୍କ ପତ୍ନୀ ଅନିତା ବୁଦ୍ଧିଆ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଜାନୁଆରି ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଅଦାଲତ ସରକାରଙ୍କୁ ଜବାବ ତଲବ କରିଥିଲେ।। କିନ୍ତୁ ଶୁଣାଣିର କିଛି ଘଣ୍ଟା ପରେ ଜାନୁଆରି ୧୯ ତାରିଖ ସଂଧ୍ୟା ୮ଟା ସମୟରେ ସବୁ ଦିନ ପାଇଁ ଆଖି ବୁଜିଥିଲେ କର୍କଟ ପୀଡ଼ିତା ଅନିତା ବୁଦ୍ଧିଆ। କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ୍‌ ନଥିବା ଓ ଏଥି ଯୋଗୁଁ ବହୁ ଗରିବ ରୋଗୀ ହଇରାଣ ହେଉଥିବା ନେଇ ଜନସ୍ବାର୍ଥ ଆବେଦନରେ ସେ ଦର୍ଶାଇଥିଲେ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପୂର୍ବ ଭାରତର ପ୍ରମୁଖ କର୍କଟ ଚିକିତ୍ସା କେନ୍ଦ୍ର ହୋଇଥିବା ବେଳେ ସବୁ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ରୋଗୀ ଏଠାକୁ ଆସୁଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କେଉଁ ପରିସ୍ଥିତିରେ ପେଟ୍ ସିଟି ସ୍କାନ ଭଳି ଜରୁରୀ ମେସିନ ବ୍ୟବସ୍ଥା କରାଯାଉ ନାହିଁ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଏହା ପୂର୍ବରୁ ମଧ୍ୟ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏ ନେଇ ସରକାରଙ୍କୁ ଜବାବତଲବ କରିବା ପରେ ସରକାର ଏଥିପ୍ରତି ତତ୍ପରତା ଦେଖାଇଥିଲେ। ବର୍ତ୍ତମାନ କର୍କଟ କେନ୍ଦ୍ରରେ ପେଟ୍‌ ସିଟି ସ୍କାନ୍‌ ମେସିନ୍‌ ପାଇଁ ଆଟମିକ୍‌ ଏନର୍ଜି ରେଗୁଲେଟିଙ୍ଗ୍‌ ବୋର୍ଡ(ଏଇଆର୍‌ବି)ପକ୍ଷରୁ ଅନୁମତି ମିଳି ସାରିଥିବାରୁ ଅକ୍ଟୋବର ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ନିର୍ଦ୍ଦେଶକ ଡାକ୍ତର ଷଡଙ୍ଗୀଙ୍କଠାରୁ ସୂଚନା ମିଳିଛି। ଏହାଦ୍ବାରା ରୋଗୀମାନଙ୍କ ଅନେକ ସମସ୍ୟା ଦୂର ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଘରୋଇ ବ୍ୟବସ୍ଥାରେ ଏହି ପରୀକ୍ଷା ପାଇଁ ରୋଗୀଙ୍କୁ ୨୫ହଜାର ଟଙ୍କା ଲେଖାଏ ଖର୍ଚ୍ଚ ପଡୁଛି।

ସମ୍ବନ୍ଧିତ ଖବର