କର୍କଟ ରୋଗୀଙ୍କ ପାଇଁ ପେଟ୍ ସିଟି ସ୍କାନ ପ୍ରସଙ୍ଗ : କେ‌ତେଦିନ ଭିତରେ ଉପଲବ୍ଧ ହେବ, ଜଣାଅ: ହାଇକୋର୍ଟ

ସରକାରଙ୍କ ନିକଟରୁ ଜବାବ ତଲବ

କଟକ : ଝାରସୁଗୁଡ଼ା ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସହିତ ରାଜ୍ୟର ଅନ୍ୟ ସ୍ଥାନରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ପେଟ୍ ସିଟି ସ୍କାନ ବ୍ୟବସ୍ଥା କେତେଦିନ ଭିତରେ ଉପଲବ୍ଧ ହେବ, ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ୨୦୨୧, ଫେବ୍ରୁଆରି ୧୦ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରକାଶ କରିଥିବା ଶ୍ବେତପତ୍ରରେ କର୍କଟ ଯତ୍ନ ପ୍ରସଂଗରେ ରହିଥିବା ତଥ୍ୟ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ‌ଏବେ ପେଟ୍ ସିଟି ସ୍କାନ ମେସିନ ବ୍ୟବସ୍ଥାର କ’ଣ ରାଜ୍ୟରେ ସ୍ଥିତି ରହିଛି, ସେ ନେଇ ଏଥିରେ ଉଲ୍ଲେଖ ରହିଥିଲା। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର (ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ କ୍ୟାନସର)ରେ ପେଟ୍ ସିଟି ସ୍କାନ ସରଞ୍ଜାମ ଯୋଗାଣ ପାଇଁ ପିପିପି ଭେଣ୍ଡର ଚିହ୍ନଟ ଲାଗି ୨୦୨୧, ଫେବ୍ରୁଆରି ୩ରେ ଟେଣ୍ଡର ଆହ୍ବାନ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। କିନ୍ତୁ ଝାରସୁଗୁଡା, ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସହିତ ଅନ୍ୟ ସ୍ଥାନରେ ପ୍ରସ୍ତାବିତ ପେଟ୍ ସିଟି ସ୍କାନ ଉପଲବ୍ଧ ସଂପର୍କିତ ସମୟସୀମା ନେଇ ଏଥିରେ କିଛି ସୂଚନା ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏ‌ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ମାଧ୍ୟମରେ ଅବଗତ କରବାକୁ ସରକାରଙ୍କୁ ହାଇକୋର୍ଟ ମହଲତ ପ୍ରଦାନ କରିଛନ୍ତି। ଆଜି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ପେଟ୍ ସିଟି ସ୍କାନ ବ୍ୟବସ୍ଥାର ପ୍ରମୁଖ ଉପାଦାନ ରେଡିଓ ଆଇସୋଟପ୍ ହୋଇଥିବା ବେଳେ ଏହାର ଜୀବନ ଅବଧି ୭ରୁ ୮ ଘଣ୍ଟା। ତେଣୁ ଏହାକୁ ବ୍ୟାବସାୟିକ ବିମାନବନ୍ଦରରୁ ତୁରନ୍ତ ପରିବହନ କରିବା ବ୍ୟବସ୍ଥା ଆବଶ୍ୟକ। ଏଭଳି ସମସ୍ୟା ‌ପ୍ରସଂଗରେ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏପ୍ରିଲ ୫ ତାରିଖ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ଆଚାର୍ଯ୍ୟ ଓ ଅରୁଣ କୁମାର ବୁଦ୍ଧିଆ ଏବଂ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କର୍କଟ ପୀଡିତ ଗରିବ ରୋଗୀଙ୍କ ସମସ୍ୟାକୁ ନେଇ ଆଇନଜୀବୀ ଅରୁଣ ବୁଦ୍ଧିଆଙ୍କ ପତ୍ନୀ ଅନିତା ବୁଦ୍ଧିଆ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଜାନୁଆରି ୧୯ରେ ହାଇକୋର୍ଟ ମାମଲାର ଶୁଣାରି କରି ସରକାରଙ୍କୁ ଜବାବ ତଲବ କରିଥିଲେ।। କିନ୍ତୁ ଶୁଣାଣିର କିଛି ଘଣ୍ଟା ପରେ ଜାନୁଆରି ୧୯ ତାରିଖ ସଂଧ୍ୟା ୮ଟା ସମୟରେ ସବୁ ଦିନ ପାଇଁ ଆଖି ବୁଜିଥିଲେ କର୍କଟ ପୀଡ଼ିତା ଅନିତା ବୁଦ୍ଧିଆ। କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ ନଥିବା ଓ ଏଥିଯୋଗୁଁ ବହୁ ଗରିବ ରୋଗୀ ହଇରାଣ ହେଉଥିବା ନେଇ ଜନସ୍ବାର୍ଥ ଆବେଦନରେ ସେ ଦର୍ଶାଇଥିଲେ। ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ, ଡିଏମଇଟି ଓ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର