ଭୁବନେଶ୍ବର : ଭୁବନେଶ୍ୱର ଏମ୍‌ସକୁ ଆସିବ ପିଟି-ସିଟି ସ୍କାନ୍‌। କୋଭିଡ୍ ଦ୍ବିତୀୟ ଲହର ଯୋଗୁଁ ଏହାର ସ୍ଥାପନ, କାର୍ଯ୍ୟକ୍ଷମ ବିଳମ୍ବ ହୋଇଛି। ଦୁଇ ମାସ ମଧ୍ୟରେ ଡାକ୍ତରଖାନାର ବେସ୍‌ମେଣ୍ଟ ଅଞ୍ଚଳରେ ଏହା ସ୍ଥାପିତ ହେବ ବୋଲି କହିଛନ୍ତି ଏମ୍‌ସ ଅଧୀକ୍ଷକ ଡ.ସଚ୍ଚିଦାନନ୍ଦ ମହାନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର କୌଣସି ସରକାରୀ ଡାକ୍ତରଖାନାରେ ଏହି ମେସିନ୍‌ ନାହିଁ। କର୍କଟ, ଅନ୍ୟ ଜଟିଳ ଅସ୍ତ୍ରୋପଚାର କ୍ଷେତ୍ରରେ ଏହା ସହାୟକ ହୋଇପାରିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

Advertisment

ଏମ୍‌ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ଏପ୍ରିଲରୁ ୨୦୨୦ ମାର୍ଚରେ ଏହି ଡାକ୍ତରଖାନାରେ ସମୁଦାୟ ୪୦ ହଜାର ୨୯୬ କର୍କଟ ରୋଗୀ ଚିକିତ୍ସିତ ହୋଇଛନ୍ତି। ଏଥିରୁ ଓପିଡିରେ ୧୫ହଜାର ୧୦୨ ପୁରୁଣା, ୫୨୬୩ ନୂତନ ରୋଗୀ, ୧୧୧୬ ଆଇପିଡିରେ ଭର୍ତ୍ତି, ୬୯୬୧ ଡେ’ କେୟାରରେ ଆଡମିସନ୍‌ ନେଇଥିଲେ। ଏପ୍ରିଲ ୨୦୨୦ରୁ ମାର୍ଚ ୨୦୨୧ ମଧ୍ୟରେ ୩୪ ହଜାର ୨୨୦ କର୍କଟ ରୋଗୀ ଚିକିତ୍ସିତ ହୋଇଛନ୍ତି। ଏହି ସମୟରେ ଓପିଡିରେ ୧୩ହଜାର ୧୫୪ ପୁରୁଣା, ୨୮୩୧ ନୂତନ ରୋଗୀ ଆସିଛନ୍ତି। ୭୫୮ଆଇପିଡି, ୬୨୦୭ ଡେ’ କେୟାରରେ ଭର୍ତ୍ତି ହୋଇଛନ୍ତି।

ଲକଡାଉନ୍‌, ସଟଡାଉନ୍‌ ଯୋଗୁଁ ରୋଗୀ ସଂଖ୍ୟା ପ୍ରଭାବିତ ହୋଇଥିଲେ ମଧ୍ୟ ସାଧାରଣ ସମୟରେ ଏଠାରେ ଅନେକ ରୋଗୀ ପ୍ରତିଦିନ ଆସିଥାଆନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ ଏବଂ ଛତିଶଗଡ଼ରୁ ଅନେକ ରୋଗୀ ଗୁରୁତର ଅବସ୍ଥାରେ ରେଫର ହୋଇ ଚିକିତ୍ସିତ ହୁଅନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ କିମ୍ବା ବିପିଏଲ ଶ୍ରେଣୀଭୁକ୍ତ। ରାଜ୍ୟ ତଥା ରାଜ୍ୟ ବାହାରର ଘରୋଇ ଡାକ୍ତରଖାନାକୁ ଯିବାକୁ ସେମାନେ ସମର୍ଥ ନୁହଁନ୍ତି। ଏଭଳି ସ୍ଥିତିରେ ଏହି ପିଟି-ସିଟି ସ୍କାନ୍‌ ଜରିଆରେ କର୍କଟ ରୋଗ ଚିହ୍ନଟ ସହ କେଉଁ ଷ୍ଟେଜ୍‌ରେ ରହିଛି, ସର୍ଜରି, କେମୋ କିମ୍ବା ରେଡିଓଥେରାପି କ’ଣ ଆବଶ୍ୟକ; ଏହାର ସୂଚନା ପାଇପାରିବେ। କର୍କଟ ରୋଗୀ ଥରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ୬ ମାସ କିମ୍ବା ୧ ବର୍ଷ ବ୍ୟବଧାନରେ ମଧ୍ୟ ଏହି ମେସିନ ଜରିଆରେ ରୋଗ ସ୍ଥିତି ସମ୍ପର୍କରେ ଜାଣିପାରିବେ।