ଅସ୍ତରଙ୍ଗ: ଗୃହପାଳିତ ପଶୁପକ୍ଷୀ ଓ ମଣିଷ ମଧ୍ୟରେ ଅନାବିଳ ବନ୍ଧୁତ୍ୱ ବା ନିବିଡ଼ ସମ୍ପର୍କ ବେଳେ ବେଳେ ଦେଖିବାକୁ ମିଳିଥାଏ। ଅସ୍ତରଙ୍ଗ ବ୍ଲକର ଆଳଙ୍ଗପୁରର ମୌଜାରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ସେ ପାଳିଥିବା ପୋଷା କୁକୁର ତାର ମାଲିକକୁ ଝୁରୁଛି। ଆଖିରେ ଲୋତକର ଅଶ୍ରୁ, ମାଲିକର ମୃତ୍ୟୁ ପରେ କୋକେଇ ବନ୍ଧା ଠାରୁ ଜୁଇ ପର୍ଯ୍ୟନ୍ତ ଏହି ପୋଷା ଜନ୍ତୁଟିର ଉପସ୍ଥିତ ରହିବା ଦେଖିବାକୁ ମିଳିଥିଲା। ମୃତ୍ୟୁ ପରେ ମଧ୍ୟ ଶ୍ମଶାନକୁ ଯାଇ ଖୋଜିବା ଆରମ୍ଭ କରିଛି।ପୋଷା କୁକୁର ଏବଂ ମଣିଷ ମଧ୍ୟରେ ନିବିଡ ସମ୍ପର୍କର ବହୁ ଉଦାହରଣ ରହିଥିଲା ବେଳେ ଏବେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।

Advertisment

ଆଜିକାଲି ଦୁନିଆରେ କିଏ କାହାର। କିଏ ମରିଗଲେ ବା ହଜିଗଲେ କିଛି ଦିନ ପରେ ସମସ୍ତେ ଭୁଲିଯାନ୍ତି। ଆଜିର ଦୁନିଆରେ ମଣିଷ ରକ୍ତର ସମ୍ପର୍କକୁ ଭୁଲିଯାଉଛି ସତ। କିନ୍ତୁ ଗୋଟିଏ ପୋଷା କୁକୁର ତାର ମାଲିକର ମୃତ୍ୟୁରେ ମ୍ରିୟମାଣ ହୋଇ ଆଖିରୁ ଲୁହ ଗଡାଇବା ସମେତ ଚାରିଆଡେ ଖୋଜିବା ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

ସୂଚନା ମୁତାବକ ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଆଳଙ୍ଗପୁର ଗ୍ରାମର ପ୍ରଭାକର ଲେଙ୍କା ବହୁ ବର୍ଷ ଧରି ପାରାଦୀପରେ ରହୁଥିବା ବେଳେ ୧୦ ବର୍ଷରୁ ଊର୍ଧ୍ଵ ହେବ ଏକ କୁକୁର ପୋଷିଥିଲେ। ଶ୍ରଦ୍ଧାରେ ତାର ନାମ ଦେଇଥିଲେ ଟମ୍‌। ସ୍ନେହ ଆଦରରେ ସବୁବେଳେ ମାଲିକ ପାଖେ ପାଖେ ଟମି ରହିଥାଏ। ବିଧିର ବିଧାନ ହଠାତ୍ ମାଲିକ ଶ୍ରୀ ଲେଙ୍କାଙ୍କ ଶରୀର ଅସୁସ୍ଥ ହୋଇ ସେ ଆରପାରିକୁ ଚାଲିଗଲେ। ପ୍ରଭାକରଙ୍କ ମୃତ୍ୟୁ ପରେ ଯେତେବେଳେ ଆମ୍ବୁଲାନ୍ସରେ ଗାଁକୁ ଅଣାଗଲା, ଟିମ୍‌ ମଧ୍ୟ ସେହି ଗାଡ଼ିରେ ଶବ ସହ ଗାଁକୁ ଆସିଥିଲା। ଗାଁରେ ମରଶରୀର ନିକଟରେ ଆତ୍ମୀୟ ସ୍ୱଜନ କ୍ରନ୍ଦନ କଲାବେଳେ ଶବ ନିକଟରେ ଏହି ପୋଷା କୁକୁରଟି ବସି ଆଖିରୁ ଲୁହ ଝରାଇଥିଲା। ଶ୍ରୀ ଲେଙ୍କାଙ୍କ ମୃତ୍ୟୁକୁ ୩ ଦିନ ବିତିଗଲେ ମଧ୍ୟ କୁକୁର ଭୁଲି ପାରୁନି। ସବୁଠାରୁ ବଡ଼କଥା ହେଲା ତାର ମାଲିକର ଅନ୍ତିମ ସଂସ୍କାର ବେଳେ ପୋଷା କୁକୁର ସେଠାକୁ ଯାଇ ମଧ୍ୟ ଶେଷ ଦର୍ଶନ କରିଥିଲା।ଏବେ ସେଠାକୁ ମଧ୍ୟ ଯାଇ ଖୋଜୁଛି।ଏପରିକି ନିଜ ମାଲିକର ଫଟୋ ନିକଟରେ ବସି କାନ୍ଦୁଛି। ଏଭଳି ଘଟଣା ଦେଖିଲେ ପରିବାର ଲୋକ ନିଜର କୋହ ସମ୍ଭାଳି ପାରୁନାହାନ୍ତି। ରକ୍ତ ସମ୍ପର୍କ ମଣିଷ ମଧ୍ୟରେ ଏବେ ସ୍ନେହ ଶ୍ରଦ୍ଧା କମି ଆସୁଥିଲା ବେଳେ ଗୋଟେ ପୋଷା ଜନ୍ତୁ ସ୍ନେହ ଓ ସମ୍ପର୍କର ମୂଲ୍ୟ କ'ଣ ତାହା ଏଠି ସମସ୍ତଙ୍କୁ ଏକ ଶିକ୍ଷା ଦେଉଛି।