ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କେନ୍ଦ୍ରୀୟ ବିଦ୍ୟାଳୟ- ୩ର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଉପ କମିସନର ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ଉକ୍ତ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରାଯାଇଛି।
ସୂଚନାଯୋଗ୍ୟ,ଅଯଥାରେ ସମସ୍ତଙ୍କ ସମ୍ମୁଖରେ ପିଇଟି ଶିକ୍ଷୟତ୍ରୀଙ୍କଠାରୁ ମାଡ ଖାଇଥିବା ଛାତ୍ରୀ ସ୍କୁଲର ୩ୟ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ- ୩ ପରିସରରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ନାଲକୋ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

Advertisment

publive-image

ସେ ଏବେ ଉକ୍ତ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ତାଙ୍କ ଦୁଇ ଗୋଡ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଛି । ଏହି ଖବର ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।ଗତକାଲି ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଉପ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଥିଲେ।