ଅସହାୟ ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା ପ୍ରସଂଗକୁ ନେଇ ହାଇକୋର୍ଟରେ ପିଟିସନ୍

କଟକ: ବାସହୀନ ଲୋକଙ୍କୁ ଆଶ୍ରୟ ପ୍ରସଂଗକୁ ନେଇ ହାଇକୋର୍ଟରେ ଏକ ଆବେଦନ (ଲେଟର ପିଟିସନ୍) ଦାଖଲ ହୋଇଛି। ‘ମୋ ଓଡ଼ିଶା ମହାନ’ର ଦିବ୍ୟଜ୍ୟୋତି ପଲେଇଙ୍କ ପକ୍ଷରୁ ଦାଖଲ ଏହି ପିଟିସନରେ ରାସ୍ତାକଡ଼ରେ ରହୁଥିବା ବାସହୀନଙ୍କୁ ଆଶ୍ରୟ, ଖାଦ୍ୟ ଓ ସ୍ବାସ୍ଥ୍ୟସେବା ପ୍ରସଂଗରେ ସୁପ୍ରିମ‌େକାର୍ଟଙ୍କ ୨୦୦୭ର ରାୟ କାର୍ଯ୍ୟକାରୀ ପାଇଁ ନିବେଦନ କରାଯାଇଛି। ପିଟିସନରେ ଦର୍ଶାଯାଇଛି ସହରାଞ୍ଚଳରେ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ୨୦୦୭ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନ୍ୟାସନାଲ ଅର୍ବାନ ଲାଇଭଲି ହୁଡସ୍ ମିସନ ଅଧିନରେ ସହରାଞ୍ଚଳର ରାସ୍ତାକଡ଼ରେ ରହୁଥିବା ସମସ୍ତ ଅସହାୟଙ୍କୁ ଖାଦ୍ୟ, ଆଶ୍ରୟ, ଚିକିତ୍ସା ସୁବିଧା ପ୍ରଦାନ ପାଇଁ ସୁପ୍ରିମକୋର୍ଟ କହିଥିଲେ। ରାସ୍ତାକଡ଼ରେ ରହୁଥିବା ଏଭଳି ଅସହାୟ ବ୍ୟକ୍ତିଙ୍କ ସମ୍ବିଧାନର ଧାରା ୨୧ରେ ମୌଳିକ ଅଧିକାର ରହିଥିବା ବେଳେ ସେମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାର ମଧ୍ୟ କେତେକ ସ୍ଥାନରେ ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ ଆରମ୍ଭ କରିଥିଲେ। କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ବର, ବାରିପଦା ଭଳି ସ୍ଥାନରେ ଏଭଳି ଆଶ୍ରୟସ୍ଥଳ (ସେଲଟର୍ ଫର ଅର୍ବାନ ହୋମ୍‌ଲେସ୍) ନିର୍ମାଣ କରିଥିଲେ। ଏଭଳି ଆଶ୍ରୟସ୍ଥଳରେ ପାଖାପାଖି ୫ଶହ ଶଯ୍ୟା ରହୁଥିବା ବେଳେ ଫୁଟପାଥରେ ରହୁଥିବା ଅସହାୟ ବାସହୀନଙ୍କ ସଂଖ୍ୟାର ଏହା ୧ ପ୍ରତିଶତରୁ କମ୍ ହେବ। ଏହି ସବୁ ଆଶ୍ରୟସ୍ଥଳରେ ଦିନକୁ ତିନି ଥର ଖାଦ୍ୟ ପ୍ରଦାନ, ବସ୍ତ୍ର, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ରହୁ ନଥିବା ଅଭିଯୋଗ ରହିଛି।

ଏଥି ପାଇଁ ଅସହାୟ ବାସହୀନ ଲୋକମାନେ ଏଭଳି ଆଶ୍ରୟସ୍ଥଳରେ ରହିବାକୁ ଚାହୁଁ ନାହାନ୍ତି। ଏଥି ସହିତ ଏଭଳି ଆଶ୍ରୟସ୍ଥଳରେ କେୟାରଟେକରମାନେ ଏହି ସ୍ଥାନକୁ ରହିବା ପାଇଁ ବାସହୀନଙ୍କୁ ଆଧାର କାର୍ଡ, ‌ଭୋଟର ପରିଚୟପତ୍ର ଇତ୍ୟାଦି ମାଗୁଛନ୍ତି। ଏଭଳି ବାସହୀନ ଅସହାୟଙ୍କୁ ବିଭିନ୍ନସ୍ତରରେ ସ୍ବୀକୃତି ମିଳୁ ନଥିବା ବେଳେ ସୋମନଙ୍କୁ ପରିଚୟପତ୍ର ଓ ଅନ୍ୟାନ୍ୟ ନଥିପତ୍ର ମାଗିବା ଦ୍ବାରା ସମସ୍ୟା ସୃଷ୍ଟି ହେଉଛି ଓ ଏପରି ଜନହିତକାରୀ ଯୋଜନାର ସଫଳ କାର୍ଯ୍ୟକାରିତାରେ ବାଧା ଦେଖା ଦେଉଛି। ଏଥି ସହିତ ଏଭଳି ଆଶ୍ରୟସ୍ଥଳରେ ରହିବାକୁ ଆସୁଥିବା ବାସହୀନଙ୍କୁ କେୟାରଟେକର ମାତ୍ର ୩/୪ ଦିନ ପାଇଁ  ରହିବାକୁ ଅନୁମତି ଦେଉଛନ୍ତି ବୋଲି ଅଭିଯୋଗ ରହିଛି। ଅତି ବେଶିରେ ସୀମିତ କ୍ଷେତ୍ରରେ ଏହି ସ୍ଥାନରେ ଜଣଙ୍କୁ ଏକ ମାସ  ରହିବାକୁ ଦିଆଯାଉଛି।

ଏହାପରେ ବାସହୀନ ପୁଣି ରାସ୍ତାକଡ଼କୁ ଫେରି ଯାଉଛନ୍ତି। ଆହାର କେନ୍ଦ୍ର ଗୁଡିକରେ ମିଲ୍ ପିଛା ୫ ଟଙ୍କା ଦରରେ ଖାଦ୍ୟ ଦିଆଯାଉଛି। ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର ଗୁଡିକରେ ଦିନକୁ ଦୁଇ ଥର ଏଭଳି ରହାତି ଦରରେ ଖାଦ୍ୟ ଦିଆଯାଉଛି। କିନ୍ତୁ ବସ୍ ଷ୍ଟାଣ୍ଡ୍, ରେଲୱେ ଷ୍ଟେସନ୍ ଆଦି ସ୍ଥାନ ନିକଟରେ ଥିବା ଆହାର କେନ୍ଦ୍ରରେ ଦିନକୁ ମାତ୍ର ଥରଟିଏ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଭଳି ଅସଂଗତି ଦୂର ହେବା ଉଚିତ। ସୁପ୍ରିମକୋର୍ଟଙ୍କ ରାୟ ତଥା ଏ ସଂପର୍କିତ ନିୟମ ପାଳନ କରି ରାଜ୍ୟର ସମସ୍ତ ବାସହୀନଙ୍କ ପାଇଁ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ନିବେଦନ କରିଛନ୍ତି। ଏ ସଂପର୍କିତ ପିଟିସନକୁ ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଆଇନଜୀବୀ ଏ.ପି.ମିଶ୍ରଙ୍କ ଆଇନଗତ ମତାମତ (ଲିଗାଲ ଓପିନିଅନ) ପାଇଁ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର