ପୁରୀ: ‘ ବୟସ୍କ ଓ ଅସୁସ୍ଥ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁନି। ଅଯଥା ଭିଡ଼ରେ ଯନ୍ତ୍ରଣା ପାଆନ୍ତୁନି’। ଆଜି ଏଭଳି ଢଙ୍ଗରେ ନିବେଦନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ। ଶ୍ରୀ ଦାସ କହିଛନ୍ତି, ୨୫ ବର୍ଷ ବୟସ୍କ ଭକ୍ତମାନେ ଯେଉଁଭଳି ଭିଡ଼ ଭିତରେ ଯାଇପାରିବେ, ୭୦ ବର୍ଷର ଅବା ଅସୁସ୍ଥ ଭକ୍ତମାନେ ସେଭଳି ଭିଡ଼ରେ ଯାଇପାରିବେନି। ନଚେତ୍ ଅଯଥା ଭିଡ଼ରେ କଷ୍ଟ ପାଇବେ। ପରିସ୍ଥିତି ଦେଖି ଦର୍ଶନ ପାଇଁ ଆସନ୍ତୁ। ଯଦି ପାରୁଛନ୍ତି ଭିଡ଼ରେ ନ ପଶି ଘରେ ବସି ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ। ଶ୍ରୀ ଦାସ କହିଛନ୍ତି, ଆଜି ନୀତିକାନ୍ତି ଓ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଛତିଶାନିଯୋଗକୁ କୁହାଯାଇଛି। ମଙ୍ଗଳବାରଠାରୁ ବି ଡାକବାଜି ଜରିଆରେ ନୀତିକାନ୍ତି ସମ୍ପର୍କରେ ଭକ୍ତଙ୍କୁ ଅବଗତ କରାଯିବ। କେଉଁ ସମୟରେ କେଉଁ ନୀତିକାନ୍ତି ଚାଲୁଛି, ସେ ସମ୍ପର୍କରେ ଭକ୍ତମାନେ ଜାଣିପାରିବେ।
ଉଲ୍ଲେଖଥାଉକି କାର୍ତ୍ତିକ ମାସ ଓ ପଞ୍ଚୁକ ଯୋଗୁ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଛି। ଯେଉଁଥିପାଇଁ ଶ୍ରୀମନ୍ଦିରରେ ଗହଳି ରହୁଛି। ତଥାପି ଭିଡ଼ ନିୟନ୍ତ୍ରଣ ପାଇଁ କାରଣ ଓ ତା’ର ନିରାକରଣର ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଛି। ଏ ଉପରେ ବୈଠକ ଡକାଯାଇଛି। ଦର୍ଶନ ବ୍ୟବସ୍ଥାରେ ସବୁଦିନିଆ ଶୃଙ୍ଖଳା ଆଣିବାକୁ ପରିଚାଳନା କମିଟି ବୈଠକ ବସିବ। ପରିଚାଳନା କମିଟି ବୈଠକ ନିଷ୍ପତ୍ତିକ୍ରମେ ଯାହା କିଛି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏବେ ଚାରିଦ୍ବାର ଖୋଲିବନି। କିନ୍ତୁ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ଯାଉଛୁ ବୋଲି ଶ୍ରୀ ଦାସ କହିଛନ୍ତି।
‘ଶ୍ରୀମନ୍ଦିର ପରିଚାଳନା କମିଟି ଉଚିତ ପଦକ୍ଷେପ ନେବ ବୋଲି ଆଶା’
/sambad/media/post_attachments/wp-content/uploads/2023/11/dgddgdggdgd.jpg)
ଶ୍ରୀମନ୍ଦିର ପରିଚାଳନା କମିଟି ଉଚିତ ପଦକ୍ଷେପ ନେବ ବୋଲି ଆଶା
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା କି ଦର୍ଶନ ବ୍ୟବସ୍ଥା, ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ। ଏ ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ହିଁ ଯାହା କିଛି ନିଷ୍ପତ୍ତି ନେଇପାରିବ। ଯେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିଚାଳନା କମିଟି କିଛି ନିଷ୍ପତ୍ତି ନେଇନି, ସେ ପର୍ଯ୍ୟନ୍ତ ସରକାର ବି କିଛି କରି ପାରିବେନି। ଯେହେତୁ ଶ୍ରୀମନ୍ଦିର ପାଇଁ ଏକ ଷ୍ଟାଚୁଟାରି ବଡି ରହିଛି, ସେମାନେ ଯାହା ନିଷ୍ପତ୍ତି ନେବେ। ଭକ୍ତଙ୍କ ସୁବିଧାରେ ଦର୍ଶନ ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ଯଥାଶୀଘ୍ର ଉଚିତ ପଦକ୍ଷେପ ନେବ ବୋଲି ଆଶା କରୁଛି। ଦର୍ଶନ ପାଇଁ ଆସୁଥିବା ଲୋକଙ୍କ ଏହି କଷ୍ଟ ନିହାତି ଲାଘବ ହେବା ଦରକାର। ଲୋକେ ସୁବିଧାରେ ଦର୍ଶନ କରିବା ଦରକାର। କିନ୍ତୁ ବିଜେପି, କଂଗ୍ରେସ ଏହାକୁ ନେଇ ରାଜନୀତି କରିବା ଅନୁଚିତ।
- ପିନାକୀ ମିଶ୍ର, ସାଂସଦ, ପୁରୀ
ବାରିକେଡିଂ ସଂପ୍ରସାରଣ କରିବୁ
କାର୍ତ୍ତିକ ମାସ ଓ ପଞ୍ଚୁକ ଯୋଗୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ବଢ଼ିଛି। ତଥାପି ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡିଂ ବ୍ୟବସ୍ଥାକୁ ସଂପ୍ରସାରଣ କରାଯିବ। ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ଭକ୍ତଙ୍କ ପାଇଁ କରାଯିବ। ବାକି, ଚାରିଦ୍ବାର ଖୋଲିବା ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର। ପରିଚାଳନା କମିଟି ବୈଠକ ପରେ ଏ ଉପରେ ଯାହା କିଛି ନିଷ୍ପତ୍ତି ନିଆଯିବ।
- ସମର୍ଥ ବର୍ମା, ଜିଲ୍ଲାପାଳ, ପୁରୀ
ଭିଡ଼ ନିୟନ୍ତ୍ରଣ ଆମ ଦାୟିତ୍ବ
ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଆମ ଦାୟିତ୍ବ। ଆଜି ଭକ୍ତମାନେ ବି ଶୃଙ୍ଖଳିତ ଦର୍ଶନ କରି ଫେରିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ପାଇଁ ଆହୁରି ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଚାରିଦ୍ବାର ଖୋଲିବା ନିଷ୍ପତ୍ତି ଆମ ନିୟନ୍ତ୍ରଣରେ ନାହିଁ।
- ଡା. କେ. ବିଶାଳ ସିଂହ, ଏସ୍ପି, ପୁରୀ
/sambad/media/post_attachments/wp-content/uploads/2023/11/fhshfhfffh.jpg)
ଚାରିଦ୍ବାର ଖୋଲୁ, ଭୋଗ ବେଳେ ଭକ୍ତ ବେଢ଼ା ପରିକ୍ରମା କରନ୍ତୁ
ଶ୍ରୀମନ୍ଦିରକୁ ଦର୍ଶନ ବ୍ୟବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୂର୍ବରୁ ଭକ୍ତମାନେ ଏଭଳି ଠେଲାପେଲା ଭିତରେ ମହାପ୍ରଭୁଙ୍କ ଦର୍ଶନ କରୁନଥିଲେ, ସୁବିଧାରେ ଦର୍ଶନ କରି ଫେରୁଥିଲେ। ଏକଥା ସତ ଯେ ପୂର୍ବାପେକ୍ଷା ଭକ୍ତଙ୍କ ସଂଖ୍ୟା ବଢ଼ିଛି ଓ ଏବେ କାର୍ତ୍ତିକ ମାସ ଚାଲିଛି, ସେ ଦୃଷ୍ଟିରୁ ଭିଡ଼ ଅଧିକ ରହିଛି। କିନ୍ତୁ ଚାରିଦ୍ବାର ଖୋଲିଦେଲେ ଏହି ଭିଡ଼ ନିୟନ୍ତ୍ରଣ ହୋଇପାରନ୍ତା। ଏତେ ଭକ୍ତ ଘଣ୍ଟା ଘଣ୍ଟା ଖରାତରାରେ ଛିଡ଼ା ହୁଅନ୍ତେନି। ପୂର୍ବରୁ ବଲ୍ଲଭ କି ବାଳଧୂପ ବେଳେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହୁଥିଲେ ବି ଭକ୍ତମାନେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ପାରୁଥିଲେ। ଏବେ କିନ୍ତୁ ବଲ୍ଲଭ କି ବାଳଧୂପ ସମୟରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଉନି। ଫଳରେ ବାହାରେ ଅସମ୍ଭାଳ ଭିଡ଼ ହେଉଛି। ଭକ୍ତମାନେ ଖରାତରାରେ ୨-୩ ଘଣ୍ଟା ବାହାରେ ଅପେକ୍ଷା କରୁଛନ୍ତି। ସେପଟେ ଶ୍ରୀମନ୍ଦିର ନାଟମଣ୍ଡପରେ ବି ପୂର୍ବରୁ ଅଲଗା ଦର୍ଶନ ବ୍ୟବସ୍ଥା ଥିଲା। ଯେଉଁ ଭକ୍ତମାନେ ଯାଉଥିଲେ ସେମାନେ ଦର୍ଶନ ପରେ ପଣ୍ଡାଦ୍ବାର ଦେଇ ବାହାରି ଯାଉଥିଲେ। ଏବେ ଘଣ୍ଟିଦ୍ବାର ଓ ଅନ୍ୟାନ୍ୟ ଦ୍ବାରରେ ଭକ୍ତଙ୍କୁ ଦର୍ଶନ ପରେ ବାହାରିବା ଅନୁମତି ଦେଉଛନ୍ତି। ଏହା ଅଯଥା ଭିଡ଼ ବଢ଼ାଉଛି। ଛତିଶାନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନ ଏ ଉପରେ ଗୁରୁତ୍ବର ସହ ବିଚାର କରିବା ଦରକାର। ଆଗକୁ ପଞ୍ଚୁକ ସହ ନୂଆବର୍ଷ ବି ଆସୁଛି। ଏହା ପୂର୍ବରୁ ଦର୍ଶନ ବ୍ୟବସ୍ଥା ଉପରେ ବିଚାର କରାଯାଉ।
- ବିଶ୍ବାବସୁ ବିନାୟକ ଦାସମହାପାତ୍ର,
ବରିଷ୍ଠ ଦଇତାପତି ସେବକ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହେବ
ବି.ପି. ଦାସ କମିସନଙ୍କ ରିପୋର୍ଟ ଆଧାରରେ ଚାରିଦ୍ବାର ଦର୍ଶନ ବନ୍ଦ ରଖାଯାଇଛି। କେବଳ ସିଂହଦ୍ବାରରେ ଭକ୍ତଙ୍କ ଦର୍ଶନ ପାଇଁ ଛଡ଼ାଯାଉଛି। କମିସନଙ୍କ ବି ତାଙ୍କ ରିପୋର୍ଟରେ ଧାଡ଼ି ଦର୍ଶନ ବ୍ୟବସ୍ଥା କଥା କହିଥିଲେ। ଏଣୁ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ପୂର୍ବରୁ ଯେତିକି ଭକ୍ତ ଶ୍ରୀମନ୍ଦିରକୁ ଆସୁଥିଲେ, ଏବେ ତାହା ବଢ଼ିଛି। ଦୈନିକ ସର୍ବନିମ୍ନ ୫୦ରୁ ୬୦ହଜାର ଭକ୍ତ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଛନ୍ତି। ତଥାପି ଦର୍ଶନ ବ୍ୟବସ୍ଥା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। ଚାରିଦ୍ବାର ଖୋଲିଦେଲେ ଯଦି ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବ, କୌଣସି ଅସୁବିଧା ହେବ, ସେଥିପାଇଁ କିଏ ଉତ୍ତରଦାୟୀ ହେବ?
- ଅନନ୍ତ ତିଆଡ଼ି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ
ଧାଡ଼ି ଦର୍ଶନ ବନ୍ଦ ହେଲେ ଦର୍ଶନ ଶୃଙ୍ଖଳିତ ହେବ
ଚାରିଦ୍ବାର ଖୋଲିଦେଲେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆସିବନି। ଦର୍ଶନରେ ଶୃଙ୍ଖଳା ଆଣିବାକୁ ହେଲେ ଧାଡ଼ି ଦର୍ଶନ ବ୍ୟବସ୍ଥା ବନ୍ଦ କରିବାକୁ ହେବ। ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନାହିଁ, ଧାଡ଼ି ଦର୍ଶନ ବ୍ୟବସ୍ଥା କେବଳ ରଥଯାତ୍ରାରେ ଅଛି। ଏବେ ଶ୍ରୀମନ୍ଦିରରେ ୩୬୫ ଦିନ ତିରୁପତି ମନ୍ଦିର ବ୍ୟବସ୍ଥାରେ ଧାଡ଼ି କରି ଭକ୍ତଙ୍କୁ ଛଡ଼ାଯାଉଛି। କିନ୍ତୁ ଶ୍ରୀମନ୍ଦିରର ପରମ୍ପରା ଭିନ୍ନ। ପୂର୍ବରୁ ବିନାଧାଡ଼ିରେ ଭକ୍ତମାନେ ଯେଉଁ ଦ୍ବାରରେ ଚାହୁଥିଲେ, ଯାଉଥିଲେ ଓ ଶୃଙ୍ଖଳିତ ଦର୍ଶନ କରି ଫେରୁଥିଲେ। କଦାପି ଭିଡ଼ ହେଉନଥିଲା। ଏଣୁ ଶ୍ରୀମନ୍ଦିରରେ ମୁକ୍ତ ଦର୍ଶନର ଆବଶ୍ୟକତା ରହିଛି। କିନ୍ତୁ ଏଠି ପ୍ରଶାସନ ନିଜ ସୁବିଧା ପାଇଁ ଭକ୍ତଙ୍କୁ ଧାଡ଼ିକରି ଛାଡ଼ୁଛି। ଶ୍ରୀମନ୍ଦିର ଭିତରେ ଧାଡ଼ିକରି ଛାଡ଼ିଲେ ଚଳିବ, କିନ୍ତୁ ଶ୍ରୀମନ୍ଦିର ବାହାରେ ଧାଡ଼ି କଲେ ଚଳବନି। ଏଠି ଚାରିଦ୍ବାର ଏତେ ବଡ଼ ବଡ଼ ଯେ ଯେତେ ଭକ୍ତ ଗଲେ ବି କିଛି ଅସୁବିଧା ହେବନି। ଏଠି ଯିଏ ଟଙ୍କା ଦେବ, ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ଏଠି ଟଙ୍କା ଦେଇ ଦର୍ଶନ କରିବାକୁ ଭକ୍ତଙ୍କୁ ବାଧ୍ୟ କରାଯାଉଛି।
- ରାମଚନ୍ଦ୍ର ଦାସମହାପାତ୍ର, ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ
ଆବଶ୍ୟକ ପଡ଼ିଲେ, ପଞ୍ଚୁକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅଟକାଇ ଭକ୍ତଙ୍କୁ ଛାଡ଼ିବା ଦରକାର
ଶ୍ରୀମନ୍ଦିର ଦର୍ଶନ ଉପରେ ଆଜି ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଆଲୋଚନା କରିଛି। ପଞ୍ଚୁକରେ ସିଂହଦ୍ବାର ସହ ପଶ୍ଚିମଦ୍ବାରରୁ ବି ସମସ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡ଼ିବାକୁ କହିଛି। ଶ୍ରୀମନ୍ଦିରରେ ଭିଡ଼ ଅସମ୍ଭାଳ ହେବାର କାରଣ ହେଉଛି, ପୂର୍ବାପେକ୍ଷା ଭକ୍ତଙ୍କ ସଂଖ୍ୟା ବଢ଼ିଛି। ଅନ୍ୟପଟେ ଏବେ କାର୍ତ୍ତିକ ମାସ ଚାଲିଛି। କିନ୍ତୁ ଯେଉଁ ଭକ୍ତମାନେ ଯାଉଛନ୍ତି, ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ବା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଉନି। ବାରିକେଡ୍ରେ ଭକ୍ତମାନେ ଚିପି ହୋଇଯାଉଛନ୍ତି। ଧାଡ଼ି ଦର୍ଶନ ବ୍ୟବସ୍ଥା ଉଠିଯିବା ଦରକାର। ଚାରିଦ୍ବାର ବି ଭକ୍ତଙ୍କ ପାଇଁ ଖୋଲି ଦିଆଯିବା ଦରକାର। ଆବଶ୍ୟକ ପଡ଼ିଲେ, ପଞ୍ଚୁକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅଟକାଇ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ିବା ଦରକାର। ଯଦି କାମ କରିବାର ଅଛି, ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବି କାମ କରିହେବ।
- ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ, ପୁରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sfsfsffs.jpg)