ତେଲରେ ଲାଗଛି ନିଆଁ, ପେଟ୍ରୋଲ ୧୧୨, ଡିଜେଲ୍ ୧୦୨ ଟପିଲା

ସମ୍ବଲପୁର: ତେଲରେ ଲାଗିଛି ନିଆଁ। କି ଗରିବ, କି ଧନୀ ସମସ୍ତେ ଏହି ନିଆଁର ଝାସରେ ସନ୍ତୁଳି ହେଉଛନ୍ତି। ହାର୍‌ ମାନିଲାଣି ପକେଟ୍। ଜାଳେଣି ତେଲର ଦର ହୁହୁ ବଢ଼ି ଚାଲିଛି। ଦିନକୁ ହାରାହାରି ୭୫ ଲେଖାଏଁ ବଢ଼ି ଚାଲିଛି ପେଟ୍ରୋଲ୍। ଗରିବ, ମଧ୍ୟବିତ୍ତ ଲୋକେ ଏହି ତେଲ ଦରବୃଦ୍ଧି ଯୋଗୁଁ ତ୍ରାହିତ୍ରାହି ଡାକିଲେଣି। ଯାନବାହନ ବ୍ୟବହାର ନକଲେ ଚଳୁ ନାହିଁ। କିନ୍ତୁ ତେଲ ଦାମ୍ ଏତେ ଅଧିକ ହେଲାଣି ଯେ ପେଟ କାଣ୍ଟି ଟାଙ୍କି ଭରିବାକୁ ପଡ଼ୁଛି। ଅପରପକ୍ଷରେ ଡିଜେଲ୍ ଦରବୃଦ୍ଧି କାରଣରୁ ପନିପରିବା, ରାସନଠୁ ଆରମ୍ଭ କରି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବି ଆକାଶଛୁଆଁ ହେଲାଣି।

ସମ୍ବଲପୁରରେ ଗତ ରବିବାର ଦିନ ତିନି ଅଙ୍କ ଛୁଇଁଥିବା ଡିଜେଲ୍‌ ଦର ମଙ୍ଗଳବାର ୧୦୨ ଟଙ୍କା ଟପି ଯାଇଛି। ମଙ୍ଗଳବାର ଆଇଓସିଏଲ୍‌ ପମ୍ପ ଗୁଡିକରେ ଡିଜେଲ ୧୦୨ ଟଙ୍କା ୫ ପଇସା, ବିପିସିଏଲ୍‌ରେ ୧୦୨ ଟଙ୍କା ୫ ପଇସା ଓ ଏଚ୍‌ପି ଟାଙ୍କି ଗୁଡ଼ିକରେ ୧୦୧ ଟଙ୍କା ୯୪ ପଇସାରେ ବିକ୍ରି ହେଉଥିଲା। ସେହିପରି ସାଧାରଣ ପେଟ୍ରୋଲ୍ ଦର ଆଇଓସିଏଲ୍‌ରେ ୧୧୨.୩୦ ପଇସା, ବିପିସିଏଲ୍‌ରେ ୧୧୨.୩୨ ପଇସା ଏବଂ ଏଚ୍‌ପିରେ ୧୧୨.୧୮ ପଇସା ରହିଛି। ଅପେକ୍ଷାକୃତ କମ୍ ଦାମ୍‌ ଥିବା ଏଚ୍‌ପି ପକ୍ଷରୁ ପ୍ରିମିୟମ୍ ପେଟ୍ରୋଲ୍ ୧୧୬.୬୭ ପଇସା ଓ ପ୍ରିମିୟମ୍ ଡିଜେଲ୍ ୧୦୫ ଟଙ୍କା ୩୨ ପଇସାରେ ବିକ୍ରି ହେଉଛି। ମଙ୍ଗଳବାର ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ଆଇଓସିଏଲ୍‌ ପକ୍ଷରୁ ୧୦୦ ଅକ୍ଟେନ୍ ବିଶିଷ୍ଟ ଉଚ୍ଚ ମାନର ପେଟ୍ରୋଲ୍ ବିକ୍ରି ଆରମ୍ଭ ହୋଇଥିବାବେଳେ ଏହାର ଦର ଲିଟ୍ ପିଛା ୧୬୦ ଟଙ୍କା ରହିଛି।

ତେବେ ଏହି ଦରବୃଦ୍ଧି କେବଳ ପେଟ୍ରୋଲ୍, ଡିଜେଲ୍‌ରେ ସୀମିତ ରହି ନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି କାରଣରୁ ସବୁ ପେଟ୍ରୋଲିୟମ୍‌ଜାତ ଉତ୍ପାଦ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ପୂର୍ବରୁ ରନ୍ଧନ ଗ୍ୟାସ୍ ମୂଲ୍ୟ ବଢ଼ି ସାରିଥିବାବେଳେ ଏବେ କିରୋସିନ୍ ମୂଲ୍ୟ ବି ଅହେତୁକ ବୃଦ୍ଧି ପାଇଛି। କିରୋସିନ ଖୋଲା ବଜାରରେ ଉପଲବ୍‌ଧ ହେଉ ନଥିବାବେଳେ ରିହାତି ଦରରେ ମିଳୁଥିବା ପିଡିଏସ୍‌ କିରୋସିନ୍ ଦାମ ବି ଲିଟର୍ ପିଛା ୬୫ ଟଙ୍କା ଛୁଇଁଲାଣି। ମାର୍ଚ୍ଚା ମାସରେ ସମ୍ବଲପୁରରେ ପିଡିଏଫ୍‌ କିରୋସିନ ଦର ୬୪ ଟଙ୍କା ୨୧ ପଇସା ପ୍ରତି ଲିଟର୍ ଥିଲା। ଏପ୍ରିଲ୍‌ରେ ଏହା ୬୫ ଟପିବା ନିଶ୍ଚିତ। ଏହି ଦରବୃଦ୍ଧି କାରଣରୁ ତେଲ ବିକ୍ରି ବି କିଛିଟା ହ୍ରାସ ପାଇଥିବା ପେଟ୍ରୋଲ୍ ପମ୍ପ ମାଲିକ ମାନଙ୍କ ସୂତ୍ରରୁ ପ୍ରକାଶ।

କିନ୍ତୁ ଇନ୍ଧନ ତୈଳ ପ୍ରତ୍ୟେକ ବ୍ୟକ୍ତିର ଜରୁରୀ ଆବଶ୍ୟକତା ପାଲଟି ଥିବାରୁ ପକେଟ୍‌କୁ ବାଧିଲେ ବି ସମସ୍ତେ ଏହାକୁ ଅଳ୍ପବହୁତ କିଣୁଛନ୍ତି। ଅପରପକ୍ଷରେ ତେଲ ଦରବୃଦ୍ଧିର ପ୍ରଭାବ ଏହାର ଯୋଗାଣ ଓ ବିତରଣ ଉପରେ ବି ପଡ଼ିଛି। ଏହି ଦରବୃଦ୍ଧି ଯୋଗୁଁ ସେମାନେ ବ୍ୟାପକ କ୍ଷତି ସହୁଥିବା କିଛି ପେଟ୍ରୋଲ୍ ପମ୍ପ ମାଲି କହିଛନ୍ତି। ନାନା ପ୍ରକାର ସମସ୍ୟା କାରଣରୁ ତେଲ ଯୋଗାଣ ବି ଠିକ୍‌ଭାବେ ହୋଇପାରୁ ନାହିଁ। ଘରୋଇ କମ୍ପାନିର ପେଟ୍ରୋଲ୍‌ ପମ୍ପ ଗୁଡ଼ିକରେ ତାଲା ପଡ଼ିଥିବା ବେଳେ ବହୁ ରାଷ୍ଟ୍ରାୟତ୍ତ କମ୍ପାନିର ପେଟ୍ରୋଲ୍ ପମ୍ପ ମଧ୍ୟ ଯୋଗାଣ ଅଭାବରୁ ନିଜର କିଛିକିଛି ୟୁନିଟ୍‌କୁ ବନ୍ଦ କରି ଦେଇଥିବା ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ୬ଟି ୟୁନିଟ୍‌ ଥିବା ପମ୍ପ୍ ଗୁଡ଼ିକ ୨ ବା ୩ଟି ଚଳାଇ ବାକିକୁ ବନ୍ଦ କରି ଦେଇଛନ୍ତି। କିଛି ପେଟ୍ରୋଲ୍ ପମ୍ପ ମଧ୍ୟ କର୍ମଚାରୀ ମାନଙ୍କୁ ଛଟେଇ କରିଥିବା ଜଣା ପଡ଼ିଛି। ବ୍ୟବସାୟରେ କ୍ଷତି ହେଉଥିବାରୁ ସେମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି ବୋଲି ଜଣେ ପେଟ୍ରୋଲ ପମ୍ପ ମାଲିକ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଗ୍ରାହକ କମିଥିବାରୁ ପମ୍ପ ଏବେ ଖାଁଖାଁ ଲାଗୁଥିବା ଏକ ପେଟ୍ରୋଲ୍‌ ପମ୍ପ୍‌ର କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର