ପେଟ୍ରୋଲ, ଡିଜେଲ ଦର କମିଲା

କେନ୍ଦ୍ରର ଦୀପାବଳି ଉପହାର

କେନ୍ଦ୍ର କମାଇଲା ଉତ୍ପାଦ ଶୁଳ୍କ
ଓଡ଼ିଶାରେ ପେଟ୍ରୋଲ୍ ୬ ଟଙ୍କା ୬୦ ପଇସା, ଡିଜେଲ୍ ୧୨ ଟଙ୍କା ୮୦ ପଇସା କମିବ
ଆସାମ, ତ୍ରିପୁରା, କର୍ଣ୍ଣାଟକ, ଗୋଆ ଭାଟ୍‌ କମାଇଲେ
ଅନ୍ୟ ରାଜ୍ୟମାନଙ୍କ ଉପରେ ଚାପ

ନୂଆଦିଲ୍ଲୀ/ଭୁବନେଶ୍ୱର : ଶେଷରେ କେନ୍ଦ୍ର ସରକାର ବାଧ୍ୟବାଧକତା ସ୍ୱରୂପ ବୁଧବାର ରାତିରେ ତୈଳ ଦର ଉପରେ ଟିକସ ହ୍ରାସ କରିଛନ୍ତି। ପେଟ୍ରୋଲ ଲିଟର ପିଛା ମୂଲ୍ୟରେ ୫ ଟଙ୍କା ଓ ଡିଜେଲରେ ୧୦ ଟଙ୍କାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ତୈଳ ଦରବୃଦ୍ଧିକୁ ନେଇ ଅଣନିଶ୍ବାସୀ ହୋଇପଡ଼ିଥିବା ଗ୍ରାହକ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ଓ ଦରଦାମରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। ତୈଳ ଦର ପ୍ରଭାବକୁ ଆହୁରି ହ୍ରାସ କରିବା ଲାଗି ରାଜ୍ୟମାନଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଭୁଲିନାହାନ୍ତି କେନ୍ଦ୍ର ସରକାର। ଭାଟ୍ କମାଇବା ପାଇଁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପରାମର୍ଶ ଦେଇଛି।

ଏହି ନିଷ୍ପତ୍ତିକୁ କେନ୍ଦ୍ରର ଦୀପାବଳି ଉପହାର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବିରୋଧୀମାନେ କହୁଛନ୍ତି ଯେ ସଦ୍ୟ ସମାପ୍ତ ଉପନିର୍ବାଚନରେ ବିଜେପି ଭୋଟ ବ୍ୟାଙ୍କ ଉପରେ ଦରଦାମ ପ୍ରଭାବ ପଡ଼ିଥିବାରୁ ଏଥିରୁ ମୁକୁଳିବା ଲାଗି ଏଭଳି ପଦକ୍ଷେପ ବୋକୁ କେନ୍ଦ୍ର ସରକାର ବାଧ୍ୟ ହୋଇଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଆଜିଠାରୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ। ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପ୍ରତି ୬ ଟଙ୍କା ୬୦ ପଇସା ହ୍ରାସ ପାଇବ। ଅର୍ଥାତ୍ ଏବେ ଏଠାରେ ପେଟ୍ରୋଲ ଦାମ୍ ୧୧୧ ଟଙ୍କା ୩ ପଇସା ଥିବା ବେଳେ ଏହା ୧୦୪ ଟଙ୍କା ୪୩ ପଇସାକୁ ଖସିଆସିବ। ସେହିପରି ଡିଜେଲ ଦର ଲିଟର ପ୍ରତି ୧୨ ଟଙ୍କା ୮୦ ପଇସା କମିଯିବ। ଏବେ ଡିଜେଲ ଦାମ୍ (ଭୁବନେଶ୍ବର) ଲିଟର ପିଛା ୧୦୭ ଟଙ୍କା ୩୮ ପଇସା ରହିଛି। କେନ୍ଦ୍ର ସରକାରଙ୍କ ଟିକସ ହ୍ରାସ ପରେ ଆସନ୍ତାକାଲି ଠାରୁ ଲିଟର ୯୪ ଟଙ୍କା ୫୮ ପଇସାରେ ମିଳିବ।

ସଂପ୍ରତି କେନ୍ଦ୍ର ସରକାର ପେଟ୍ରୋଲ୍‌ରୁ ପ୍ରତି ଲିଟରରେ ୩୨ ଟଙ୍କା ୯୦ ପଇସା ଓ ଡିଜେଲ୍‌ରୁ ୩୧ ଟଙ୍କା ୮୦ ପଇସାର ଟିକସ ସଂଗ୍ରହ କରୁଥିଲେ। ଆଜିର ଟିକସ ସଂଶୋଧନ ପରେ ଆସନ୍ତାକାଲି ଠାରୁ ପେଟ୍ରୋଲ୍‌ରେ କେନ୍ଦ୍ରୀୟ ଟିକସ ୨୭ ଟଙ୍କା ୯୦ ପଇସା ଓ ଡିଜେଲ୍ ଟିକସ ୨୧ ଟଙ୍କା ୮୦ ପଇସାକୁ ହ୍ରାସ ପାଇବ। ‌କେନ୍ଦ୍ରୀୟ ଟିକସ ବିଚାରକୁ ନେଲେ, ରାଜ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଏବେ ରାଜ୍ୟ ପେଟ୍ରୋଲ୍‌ରୁ ୨୬ ଟଙ୍କା ୩୧ ପଇସାର ଭାଟ୍‌ ସଂଗ୍ରହ କରୁଥିବା ବେଳେ ଡିଜେଲ୍‌ରୁ ୨୨ ଟଙ୍କା ୯୮ ପଇସା ସଂଗ୍ରହ କରୁଛି। ଆଜିର ନିଷ୍ପତ୍ତି ପରେ ପେଟ୍ରୋଲ୍‌ରେ ରାଜ୍ୟ ସରକାରଙ୍କ ଭାଟ୍‌ ୨୪ ଟଙ୍କା ୭୧ ପଇସା ଓ ଡିଜେଲ୍‌ରେ ଭାଟ୍‌ ୨୦ ଟଙ୍କା ୧୮ ପଇସାକୁ ହ୍ରାସ ପାଇବ। ମୋଟ ଉପରେ ପେଟ୍ରୋଲ୍‌ରେ ଭାଟ୍‌ ୧ ଟଙ୍କା ୬୦ ପଇସା ଓ ଡିଜେଲ୍‌ରୁ ଭାଟ୍‌ ୨ ଟଙ୍କା ୮୦ ପଇସା କମିବ ବୋଲି ଉତ୍କଳ ପେ‌ଟ୍ରୋଲିୟମ୍ ଡିଲର୍‌ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ ସୂଚନା ଦେଇଛନ୍ତି। ସଂପ୍ରତି ରାଜ୍ୟ ସରକାର ପେଟ୍ରୋଲରୁ ୩୨ ପ୍ରତିଶତ ଓ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍ ଆଦାୟ କରୁଛନ୍ତି।

Image Courtesy of Zee Business

ଭାଟ୍‌ ହ୍ରାସ କରିବାକୁ‌ କେନ୍ଦ୍ର ଦେଇଥିବା ଆହ୍ବାନକୁ ଗ୍ରହଣ କରି ଆଜି ରାତିରେ ଆସାମ, ତ୍ରିପୁରା, ଗୋଆ ଓ କର୍ଣ୍ଣାଟକ ସରକାର ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଭାଟ୍‌ରେ ୭ ଟଙ୍କାର ହ୍ରାସ ଘୋଷଣା କରିଛନ୍ତି। ଫଳରେ ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଅନ୍ୟରାଜ୍ୟଗୁଡ଼ିକ ତୁଳନାରେ କମ୍‌ ରହିବ।

ତେବେ ତୈଳଦର ହ୍ରାସ ପ୍ରସଙ୍ଗରେ କେନ୍ଦ୍ର ସରକାର ବିଶେଷ ଯୁକ୍ତି ରଖିଛନ୍ତି। କୁହାଯାଇଛି ଯେ ଦେଶର ଅର୍ଥ‌ନୈତିକ କାର୍ଯ୍ୟକଳାପରେ ଉନ୍ନତି ପରିଲକ୍ଷିତ ହୋଇଥିବାରୁ ତୈଳ ଉପରୁ ଟିକସ ହ୍ରାସ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ୨୦୨୦ ମାର୍ଚ୍ଚରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ତାହାର ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ସେବେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୧୯ ଡଲାରକୁ ହ୍ରାସ ପାଇଥିଲା। ସାରା ଦେଶରେ ଲକ୍‌ଡାଉନ୍ ଲଗାଯାଇଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିବା ସହ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ମଧ୍ୟ ବହୁତ କମିଯାଇଥିଲା। ତେଣୁ ଏହି ଦୁଇ ତୈଳରୁ‌ ଯେଉଁ ଟିକସ ସଂଗ୍ରହ ହେଉଥିଲା ତାହା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ମହାମାରୀ ମୁକାବିଲା ଲାଗି ଅଧିକ ପାଣ୍ଠି ଦରକାର ହେଉଥିବା ଯୋଗୁଁ କେନ୍ଦ୍ର ସରକାର ୨୦୨୦ ମେ’ରେ ଏକାଥରେ ପେଟ୍ରୋଲ୍‌ ଟିକସରେ ୧୯ ଟଙ୍କା ୯୮ ପଇସା ଓ ଡିଜେଲ୍‌ରେ ୧୫ ଟଙ୍କା ୮୩ ପଇସା ବୃଦ୍ଧି କରିଥିଲେ। ସେଥିରୁ ସରକାର ବେଶ ମୋଟା ଅଙ୍କର ଆୟ କରିଥିଲେ। ଚଳିତ ବର୍ଷ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ନିୟମିତ ଭାବେ ବୃଦ୍ଧି ପାଇ ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଯିବାରୁ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ପ୍ରାୟ ପ୍ରତିଦିନ ବଢ଼ୁଥିଲା। ବିଶେଷ କରି କୋଭିଡ୍ ଦ୍ବିତୀୟ ଲହର ପ୍ରଭାବ ଦୂର ହେବା ପରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ବେଶି ବଢ଼ିଥିଲା। ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ୍ ମୂଲ୍ୟ ୧୧୦ ଟଙ୍କା ଓ ଡିଜେଲ୍ ଦାମ୍ ୧୦୦ ଟଙ୍କା ଟପିଯାଇଥିଲା। ଏହାକୁ ନେଇ ସାରା ଦେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର