କେନ୍ଦୁଝର ଜିଲ୍ଲାରେ ବିନା ଲାଇସେନ୍ସରେ ପେଟ୍ରୋଲ, ଡିଜେଲ ବିକ୍ରି

୩୨ଟି ପମ୍ପର ଲାଇସେନ୍ସ ନବୀକରଣ ହୋଇନାହିଁ, ସିଏସ୍‌ଓଙ୍କ କାର୍ଯ୍ୟାଳୟରେ ପଡ଼ିଛି ଫାଇଲ୍‌

କେନ୍ଦୁଝର : ଲାଇସେନ୍ସ ଅବଧି କେବେଠାରୁ ଶେଷ ହୋଇଗଲାଣି। କିନ୍ତୁ ଏହାର ନବୀକରଣ ହେଉନି। ବିନା ଲାଇସେନ୍ସରେ ପେଟ୍ରୋଲ ପମ୍ପ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଛନ୍ତି। କେନ୍ଦୁଝର ଜିଲ୍ଲ‌ାରେ ଏବେ ପ୍ରାୟ ୩୨ଟି ପେଟ୍ରୋଲ ପମ୍ପର ଲାଇସେନ୍ସ ଅବଧି ଶେଷ ହୋଇଥିବା ବେଳେ ତାହାର ନବୀକରଣ ହୋଇ ନଥିବା ଜଣାପଡ଼ିଛି। ପେଟ୍ରୋଲ ପମ୍ପ ଗୁଡ଼ିକର ଲାଇସେନ୍ସ ନବୀକରଣ ଫାଇଲ ମାସମାସ ଧରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ପ୍ରାୟ ୩୨ଟି ପଟ୍ରୋଲ ପମ୍ପର ଲାଇସେନ୍ସ ଅବଧି ଶେଷ ହୋଇଛି। କିଛି ପେଟ୍ରୋଲ ପମ୍ପର ଲାଇସେନ୍ସ ଅବଧିକ ସେପ୍ଟେମ୍ବର ମାସରୁ ସରିଥିବା ବେଳେ କିଛି ପମ୍ପର ଅକ୍ଟୋବର ଏବଂ ମାର୍ଚ୍ଚ ମାସରୁ ଶେଷ ହୋଇଛି। ଏସବୁ ପେଟ୍ରୋଲ ପମ୍ପଗୁଡ଼ିକର ଲାଇସେନ୍ସ ନବୀକରଣ ପାଇଁ ମାଲିକମାନେ ଆବେଦନ କରିବା ସହିତ ଚାଲାଣ ମଧ୍ୟ ଦାଖଲ କରିଛନ୍ତି। ମାତ୍ର ଏହାର ଫାଇଲ୍‌ ଜିଲ୍ଲା ଯୋଗାଣ ଅଧିକାରୀ (ସିଏସ୍‌ଓ)ଙ୍କ କାର୍ଯ୍ୟାଳୟରେ ମାସମାସ ଧରି ପଡ଼ିଥିବାରୁ ଲାଇସେନ୍ସ ନବୀକରଣ ହୋଇପାରୁ ନାହିଁ। ନିୟମ ଅନୁସାରେ, ଲାଇସେନ୍ସ ନଥିଲେ କିମ୍ବା ଲାଇସେନ୍ସର ଅବଧି ଶେଷ ହୋଇଯାଇଥିଲେ ପମ୍ପ ଗୁଡ଼ିକ ପେଟ୍ରୋଲ, ଡିଜେଲ ବିକ୍ରି କରିପାରିବା କଥା ନୁହେଁ। ମାତ୍ର ପ୍ରଶାସନର ଭୁଲ୍‌ ଯୋଗୁଁ ଏବେ ଲାଇସେନ୍ସ ନ ଥିବା ସତ୍ତ୍ବେ ପମ୍ପ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଚାଲିଛି।

ଏ ସମ୍ପର୍କରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌)ର ସେଲ୍‌ସ ମ୍ୟାନେଜର ବିପିନ ମିଞ୍ଜ କହିଛନ୍ତି, ଲାଇସେନ୍ସ ନବୀକରଣ ହୋଇ ନଥିଲେ ପେଟ୍ରୋଲ ପମ୍ପମାନେ ତେଲ ବିକ୍ରି କରିପାରିବେ ନାହିଁ। ପେଟ୍ରୋଲ ପମ୍ପ ଗୁଡ଼ିକର ଲାଇସେନ୍ସ ନବୀକରଣ ହୋଇଛି କି ନାହିଁ ସେ ତାହାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ସେହିପରି ଯୋଗାଣ ଅଧିକାରୀ ଦାୟିତ୍ବରେ ଥିବା ମନମୋହନ ପଟ୍ଟନାୟକ କହିଛନ୍ତି, ସେ ଆଜି ଦାୟିତ୍ବରେ ଅଛନ୍ତି। ଏ ସଂପର୍କରେ ସେ ବିଶେଷ କିଛି ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର