ତୈଳଦର ବୃଦ୍ଧିର ପ୍ରଭାବ: କମିଛି ଡିଜେଲ ବିକ୍ରି, ହ୍ରାସ ପାଇନି ପେଟ୍ରାଲ ବିକ୍ରି

ଜିଲ୍ଲାରେ ରହିଛି ୧୬୦ ପେଟ୍ରୋଲ ପମ୍ପ

ରାଉରକେଲା: ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ସାରା ରାଜ୍ୟରେ ଜାରି ରହିଛି ପ୍ରତିବାଦର ସ୍ବର। କଂଗ୍ରେସ, ବିଜେଡି ଓ ବାମପନ୍ଥୀ ଦଳଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇଛନ୍ତି। କେନ୍ଦ୍ର ବିରୋଧୀ ନାରା ଦେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବେଶ୍‌ ବାଧିଛି। ଗତ ଅଗଷ୍ଟ ମାସରେ ରାଉରକେଲାରେ ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୭୦ ପଇସା ଓ ଡିଜେଲ ଦର ଥିଲା ୯୮ ଟଙ୍କା ୯୯ ପଇସା। ଅକ୍ଟୋବର ମାସରେ ପେଟ୍ରେଲ ଓ ଡିଜେଲର ସାମାନ୍ୟ ହ୍ରାସ ପାଇଥିଲା। ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୩ ପଇସା, ଡିଜେଲ ଲିଟର ପିଛା ୯୭ ଟଙ୍କା ୯୧ ପଇସା ରହିଥିଲା। ବୁଧବାର ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୨୧ ପଇସାରେ ବିକ୍ରି ହେଉଥିବାବେଳେ ଡିଜେଲ ୧୦୮ ଟଙ୍କା ୫୪ ପଇସାରେ ବିକ୍ରି ହେଉଛି। ଦରବୃଦ୍ଧି ବିକ୍ରି ଉପରେ ସେତେଟା ପ୍ରଭାବ ପକାଇ ପାରି ନାହିଁ। ‌‌ପେଟ୍ରୋଲ ବିକ୍ରି ପୂର୍ବରୁ ଯେମିତି ରହିଥିଲା ସେମିତି ରହିଛି। କେବଳ ଡିଜେଲ ବିକ୍ରି ଜିଲ୍ଲାରେ ୧୪% କମ୍‌ ରହିଛି।

ସୁନ୍ଦରଗଡ ଜିଲ୍ଲାରେ ମୋଟ ୧୬୦ଟି ପେଟ୍ରୋଲ ପମ୍ପ ରହିଛି। ଏଥି ମଧ୍ୟରୁ ରାଉରକେଲା ସହର ଓ ଏହାର ଆଖପାଖରେ ୧୭ଟି ପେଟ୍ରୋଲ ପମ୍ପ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୦୨୦-୨୧ (ଏପ୍ରିଲରୁ ଅକ୍ଟୋବର) ମଧ୍ୟରେ ୩୦୩୫୫ କିଲୋ ଲିଟର ଅର୍ଥାତ୍‌ ୩,୦୩,୫୫,୦୦୦ ଲିଟର ପେଟ୍ରୋଲ ବିକ୍ରି ହୋଇଥିଲା। ଚଳିତ ବର୍ଷ (୨୦୨୧-୨୨) ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ଜିଲ୍ଲାରେ ୩୪୬୦୨ କିଲୋଲିଟର ଅର୍ଥାତ୍‌ ୩,୪୬, ୦୨୦୦୦ ପେଟ୍ରୋଲ ବିକ୍ରି ହୋଇଛି। ସେମିତି ଗତ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଜିଲ୍ଲାରେ ୧,୨୭,୯୫୨ କିଲୋଲିଟର ଅର୍ଥାତ୍‌ ୧୨,୭୯,୫୭,୦୦୦ ଲିଟର ଡିଜେଲ ବିକ୍ରି ହୋଇଥିଲା।

ଚଳିତ ବର୍ଷ ବିକ୍ରି ସାମାନ୍ୟ ହ୍ରାସ ପାଇଛି। ଅକ୍ଟୋବର ସୁଦ୍ଧା ୧୨୬୦୨୦ କିଲୋଲିଟର ଅର୍ଥାତ୍‌ ୧୨,୬୦,୨୦,୦୦୦ ଲିଟର ଡିଜେଲ ବିକ୍ରି ହୋଇଛି। ଅନୁରୂପ ଭାବେ ରାଉରକେଲାରେ ପେଟ୍ରୋଲ ଅଧିକ ବିକ୍ରି ହୋଇଥିବାବେଳେ ଡିଜେଲ କମ୍‌ ବିକ୍ରି ହୋଇଛି। ଗତ ୨୦୨୦-୨୧ରେ ରାଉରକେଲାରେ ୧୦୨୪୯ କିଲୋଲିଟର ପେଟ୍ରୋଲ ବିକ୍ରି ହୋଇଥିଲା ବେଳେ ୨୦୨୧-୨୨ରେ ୧୧୬୫୨ କିଲୋଲିଟର ପେଟ୍ରୋଲ ବିକ୍ରି ହୋଇଛି। ସେମିତି ଗତବର୍ଷ ଅର୍ଥାତ୍‌ ୨୦୨୦-୨୧ରେ ସହରରେ ୬୭୮୯ କିଲୋଲିଟର ଡିଜେଲ ବିକ୍ରି ହୋଇଥିଲା। ଚଳିତ ଥର (ଅକ୍ଟୋବର ମାସ) ପର୍ଯ୍ୟନ୍ତ ୮୦୪୫ ଲିଟର ଡିଜେଲ ବିକ୍ରି ହୋଇଛି।

ସୁନ୍ଦରଗଡ଼: ଦୁଇ ବର୍ଷରେ ବିକ୍ରି ପେଟ୍ରୋଲ ଓ ଡିଜେଲ

‌ବର୍ଷ ପେଟ୍ରୋଲ (ଲିଟର) ଡିଜେଲ (ଲିଟର)
୨୦୨୦-୨୧ ୩,୦୩,୫୫,୦୦୦ ୧୨,୭୯,୫୭,୦୦୦
୨୦୨୧-୨୨ ୩,୪୬, ୦୨୦୦୦ ୧୨,୬୦,୨୦,୦୦୦

ରାଉରକେଲା
୨୦୨୦-୨୧ ୧,୦୨,୪୯,୦୦୦ ୬୭,୮୯,୦୦୦
୨୦୨୧-୨୨ ୧,୧୬,୫୨,୦୦୦ ୮୦,୪୫,୦୦୦

ସମ୍ବନ୍ଧିତ ଖବର