କଳାହାଣ୍ଡିରେ ମିଳୁନି ପେଟ୍ରୋଲ୍‌, ଡିଜେଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅନ୍ତର୍ଜାତୀୟ ତୈଳ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି। ତୈଳଦର ବୃଦ୍ଧି ଯୋଗୁ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବାବେଳେ ତୈଳ କମ୍ପାନିଗୁଡ଼ିକ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ଏହାର ପ୍ରଭାବରେ ଗତ ୧୫ ଦିନ ଧରି କଳାହାଣ୍ଡି ଜିଲ୍ଲାର ଘରୋଇ କମ୍ପାନିର ପେଟ୍ରୋଲ ଟାଙ୍କିଗୁଡ଼ିକ ବନ୍ଦ କରିଦେଇଛନ୍ତି। ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରୁଷ ଓ ୟୁକ୍ରେନ ଯୁଦ୍ଧ ପରେ ଏହାର ପ୍ରଭାବ ଭାରତରେ ପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘଟିଛି। ଏଥିଯୋଗୁଁ ଭାରତୀୟ ତୈଳ ନିଗମ କମ୍ପାନିଗୁଡ଼ିକ କ୍ଷତି ସହିବା ଆରମ୍ଭ କରିଛନ୍ତି। ଲିଟର ପିଛା ପ୍ରାୟ ୧୦ରୁ ୧୫ ଟଙ୍କା କ୍ଷତି ହେଉଥିବା କମ୍ପାନିମାନେ ଦର୍ଶାଇଛନ୍ତି। ଫଳରେ, ଯେତିକି ପରିମାଣ ପେଟ୍ରୋଲ ଡିଜେଲ ଆସୁଥିଲା ‌ଏଥିରେ ହ୍ରାସ ପାଇଛି। ପେଟ୍ରୋଲ ଟ୍ୟାଙ୍କିଗୁଡ଼ିକ ଦେଉଥିବା ଅର୍ଡର ଅନୁଯାୟୀ ଲଟ୍‌ ଆସିପାରୁ ନାହିଁ। ଆବଶ୍ୟକତା ଠାରୁ କମ୍‌ ଆସୁଥିବାରୁ ଏକପ୍ରକାର ତୈଳ ସଙ୍କଟ ଦେଖାଦେଇଛି। କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୯୫ଟି ‌ପେଟ୍ରୋଲ ପମ୍ପ୍‌ ରହିଛି।

ସେଗୁଡ଼ିକ ମଧ୍ୟରୁ ଆଇଓସିଏଲ୍‌ର ୫୦ଟି, ବିପିସିଏଲ୍‌ର ୩୦ଟି, ଏଚ୍‌ପି କମ୍ପାନିର ୧୫ଟି ପମ୍ପ୍‌ ରହିଛି। ସେହିଭଳି ଭବାନୀପାଟଣା ଓ କେସିଙ୍ଗାରେ ରିଲାଏନ୍ସ କମ୍ପାନିର ୨ଟି ପେଟ୍ରୋଲ ପମ୍ପ୍‌ ଥିବାବେଳେ ଏସ୍‌ଆର କମ୍ପାନିର ଜୟପାଟଣା, କେସିଙ୍ଗା ଓ ଜୁନାଗଡଠାରେ ୩ଟି ପମ୍ପ୍‌ ରହିଛି। ବର୍ତ୍ତମାନ ଜିଲ୍ଲାର ଘରୋଇ କମ୍ପାନିରେ ଥିବା ଏହି ୫ଟି ପମ୍ପ୍‌ ଗତ ୧୫ ଦିନ ଧରି ବନ୍ଦ ରହିଛି। ସେହିଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକରେ ଷ୍ଟକ୍‌ ସରିଲେ ସାମୟିକ ଭାବେ ପମ୍ପ ବନ୍ଦ ହେଉଥିବା ଦେଖିବାକୁ ମିଳୁଛି। ଷ୍ଟକ୍‌ ଆସିଲେ ପୁଣି କିଛି ଦିନ ପମ୍ପ୍‌ ଚାଲୁଛି। ଷ୍ଟକ୍‌ ଅପେକ୍ଷାରେ ପେଟ୍ରୋଲ ପମ୍ପଗୁଡ଼ିକ ନାକେଦମ ହେବାରେ ଲାଗିଛନ୍ତି। ସେହିଭଳି, ଗ୍ରାହକମାନେ ମଧ୍ୟ ହଟହଟା ହେଉଥିବା ଦେଖିବାକୁ ମିଳୁଛି। କମ୍‌ ପରିମାଣ ‌ଷ୍ଟକ୍‌ ରହୁଥିବା ଯୋଗୁ ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକମାନଙ୍କର ଲମ୍ବା ଭିଡ଼ ଦେଖିବାକୁ ମିଳୁଛି। ‌ତେବେ, ଭାରତ ରୁଷରୁ ତୈଳ ଆମଦାନି ପରେ ଏହି ପରିସ୍ଥିତି ସୁଧୁରିବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର