ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ଓ ସବୁ ରାଜ୍ୟର ଅର୍ଥମନ୍ତ୍ରୀ କିମ୍ବା ରାଜ୍ୟ ଦ୍ୱାରା ମନୋନୀତ ମନ୍ତ୍ରୀଙ୍କୁ ନେଇ ଜିଏସ୍‌ଟି କାଉନସିଲ୍‌ ଗଠିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିଜେ ଜିଏସ୍‌ଟି କାଉନସିଲ୍‌ର ଅଧ୍ୟକ୍ଷ। ସେ ଯେତେବେଳେ ଏହି କାଉନସିଲ୍‌ରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଆଣିବେ, ତାହା ଉପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ।

Advertisment

‘ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା। ମାତ୍ରାଧିକ ଟ୍ୟାକ୍ସ ଲଗାଇ ଲୋକଙ୍କୁ ଶୋଷଣ କରୁଛନ୍ତି ସରକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ଶେଷରେ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏଭଳି ସୂଚନା ଦେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ, ଅର୍ଥମନ୍ତ୍ରୀ ଏକଥା ବି କହିଛନ୍ତି, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରିଥିବା କେନ୍ଦ୍ରୀୟ ଉତ୍ପାଦ ଓ ଅତିରିକ୍ତ ଶୁଳ୍‌କ ହ୍ରାସ କଲେ ଯାଇ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ବିକ୍ରୟ ହ୍ରାସ ପାଇପାରିବ।

ଆଜି ମନ୍ତ୍ରୀ ଶ୍ରୀ ବେହେରା ବିଧାନସଭାରେ କହିଥିଲେ, ୨୦୧୪ ଏପ୍ରିଲ ୨ ତାରିଖରେ ଭୁବନେଶ୍ୱର ସହରରେ ପେଟ୍ରୋଲ ଲିଟର ପିଛା ଖୁଚୁରା ମୂଲ୍ୟ ୭୧ ଟଙ୍କା ୪୮ ପଇସା ଥିଲା। ସେ ମଧ୍ୟରେ ପେଟ୍ରୋଲ ଲିଟର ପିଛା ବେସିକ୍‌ ପ୍ରାଇସ୍‌ ୪୮ ଟଙ୍କା ୭୯ ପଇସା ଥିଲା। କେନ୍ଦ୍ର ସରକାର ସେତେବେଳେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍‌କ, ଅତିରିକ୍ତ ଉତ୍ପାଦ ଶୁଳ୍‌କ ଓ ସେସ୍‌ ବାବଦକୁ ୯ଟଙ୍କା ୪୭ ପଇସା ଆଦାୟ କରୁଥିଲେ। ସେହିଭଳି ରାଜ୍ୟ ସରକାର ମୂଲ୍ୟଯୁକ୍ତ କର ଓ ପ୍ରବେଶ କର ବାବଦକୁ ୧୧ଟଙ୍କା ୧୭ ପଇସା ଆଦାୟ କରୁଥିଲେ।

ମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ହେବାରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍‌କ, ଅତିରିକ୍ତ ଉତ୍ପାଦ ଶୁଳ୍‌କ ଓ ସେସ୍‌ ବାବଦକୁ ଆଦାୟ କରୁଥିବା ୯ ଟଙ୍କା ୪୭ ପଇସାକୁ ୯ ଥର ବୃଦ୍ଧି କରି ୨୧ଟଙ୍କା ୪୮ ପଇସା ଆଦାୟ କରୁଥିଲେ। ଗତବର୍ଷ ଅକ୍ଟୋବର ମାସରେ ଲିଟର ପିଛା କେନ୍ଦ୍ରୀୟ ଉତ୍ପାଦ ଶୁଳ୍‌କ ୨ଟଙ୍କା ହ୍ରାସ କରାଯାଇଛି ଓ ବର୍ତମାନ ଲିଟର ପିଛା କେନ୍ଦ୍ରୀୟ ଉତ୍ପାଦ ଶୁଳ୍‌କ, ଅତିରିକ୍ତ ଉତ୍ପାଦ ଶୁଳ୍‌କ ବାବଦକୁ କେନ୍ଦ୍ର ସରକାର ୧୯ ଟଙ୍କା ୪୮ ପଇସା ଆଦାୟ କରୁଛନ୍ତି। ଅର୍ଥାତ୍‌ ୨୦୧୪ରୁ ବର୍ତମାନ ମଧ୍ୟରେ ଏ କ୍ଷେତ୍ରରେ ପ୍ରାୟ ୧୦ ଟଙ୍କା ଅଧିକ ଅର୍ଥ ଆଦାୟ ହେଉଛି।

ପରିସଂଖ୍ୟାନ ଦେଇ ଅର୍ଥମନ୍ତ୍ରୀ ଆହୁରି କହିଥିଲେ ଯେ ୨୦୧୪ ଏପ୍ରିଲ ୨ ତାରିଖରେ ଭୁବନେଶ୍ୱର ସହରରେ ଡିଜେଲର ଲିଟର ପିଛା ଖୁଚୁରା ବିକ୍ରୟ ମୂଲ୍ୟ ୫୮ ଟଙ୍କା ୮୨ ପଇସା ଥିଲା। ସେ ମଧ୍ୟରେ ବେସିକ୍‌ ପ୍ରାଇସ୍‌ ଥିଲା ୪୪ ଟଙ୍କା ୭୨ ପଇସା। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍‌କ, ଅତିରିକ୍ତ ଉତ୍ପାଦ ଶୁଳ୍‌କ ଓ ସେସ୍‌ ବାବଦକୁ ୩ଟଙ୍କା ୫୬ ପଇସା ଆଦାୟ କରୁଥିଲେ। ରାଜ୍ୟ ସରକାର ଭାଟ୍‌ ଓ ପ୍ରବେଶ ବାବଦକୁ ୯ ଟଙ୍କା ୨୬ ପଇସା ଆଦାୟ କରୁଥିଲେ। ହେଲେ ଏ ମଧ୍ୟରେ କେନ୍ଦ୍ର ସରକାର ଏ ଶୁଳ୍‌କକୁ ୯ଥର ବୃଦ୍ଧି କରି ୧୭ ଟଙ୍କା ୩୩ ପଇସା ଆଦାୟ କରୁଥିଲେ। ଗତ ଅକ୍ଟୋବରରେ ୨ଟଙ୍କା କମାଇ ବର୍ତ୍ତମାନ ୧୫ଟଙ୍କା ୩୩ ପଇସା ଆଦାୟ କରାଯାଉଛି। ଅର୍ଥାତ୍‌ ୨୦୧୪ ତୁଳନାରେ କେନ୍ଦ୍ର ସରକାର ୧୧ଟଙ୍କା ୭୭ ପଇସା ଅଧିକ ଶୁଳ୍‌କ ଆଦାୟ କରୁଛନ୍ତି।

ବିଭିନ୍ନ ରାଜ୍ୟର ତଥ୍ୟ ଦେଇ ମନ୍ତ୍ରୀ କହିଥିଲେ, ୨୦୧୮ ଏପ୍ରିଲ ୨୩ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଖୁଚୁରା ମୂଲ୍ୟ ୭୩ ଟଙ୍କା ୩୪ ପଇସା ଥିବା ବେଳେ ଅନ୍ୟ ରାଜ୍ୟରେ ଏହା ଅପେକ୍ଷା ଦର ଅଧିକ ରହିଛି। ଯେମିତିକି ମୁମ୍ବାଇ (ମହାରାଷ୍ଟ୍ର)ରେ ଲିଟର ପିଛା ୮୨ ଟଙ୍କା ୩୫ ପଇସା, ଭୋପାଳ (ମଧ୍ୟପ୍ରଦେଶ)ରେ ୮୦ ଟଙ୍କା ୫ ପଇସା, ପାଟନା (ବିହାର)ରେ ୮୦ ଟଙ୍କା, ଜଳନ୍ଧର (ପଞ୍ଜାବ)ରେ ୭୯ ଟଙ୍କା ୭୦ ପଇସା, ହାଇଦ୍ରାବାଦ (ତେଲେଙ୍ଗାନା)ରେ ୭୮ ଟଙ୍କା ୯୦ ପଇସା ଗ୍ରାହର ଦେଉଛନ୍ତି। ସେହିପରି ଶ୍ରୀନଗର (ଜମ୍ମୁ ଓ କଶ୍ମୀର)ରେ ୭୮ ଟଙ୍କା ୮୭ ପଇସା, ତିରୁଅନନ୍ତପୁରମ୍‌ (କେରଳ)ରେ ୭୮ ଟଙ୍କା ୪୭ ପଇସା, ଚେନ୍ନାଇ (ତାମିଲନାଡୁ)ରେ ୭୭ ଟଙ୍କା ୨୯ ପଇସା, କୋଲକାତା (ପଶ୍ଚିମବଙ୍ଗ)ରେ ୭୭ ଟଙ୍କା ୨୦ ପଇସା, ଜୟପୁର (ରାଜସ୍ଥାନ) ୭୭ ଟଙ୍କା ୧୯ ପଇସା, ଗୌହାଟି (ଆସାମ)ରେ ୭୬ ଟଙ୍କା ୬୦ ପଇସା ଓ ଡେରାଡୁନ୍‌ (ଉତ୍ତରାଞ୍ଚଳ)ରେ ୭୬ ଟଙ୍କା ୨୩ ପଇସା ରହିଛି ପେଟ୍ରୋଲ ଦର। ଲକ୍ଷ୍ନୌ (ଉତ୍ତରପ୍ରଦେଶ)ରେ ୭୫ ଟଙ୍କା ୭୩ ପଇସା, ବାଙ୍ଗାଲୋର (କର୍ଣ୍ଣାଟକ)ରେ ୭୫ ଟଙ୍କା ୬୮ ପଇସା, ରାୟପୁର (ଛତିଶଗଡ)ରେ ୭୪ ଟଙ୍କା ୯୪ ପଇସା, ରାଞ୍ଚି (ଝାଡଖଣ୍ଡ)ରେ ୭୪ଟଙ୍କା ୮୯ ପଇସା, ନୂଆଦିଲ୍ଲୀ (ଦିଲ୍ଲୀ)ରେ ୭୪ ଟଙ୍କା ୫୦ ପଇସା ଓ ଗାନ୍ଧୀନଗର (ଗୁଜରାଟ)ରେ ପେଟ୍ରୋଲ ଦର ୭୩ ଟଙ୍କା ୮୧ ପଇସା ରହିଛି।

ଡିଜେଲ ଦର ସଂପର୍କରେ ମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଲିଟର ପ୍ରତି ଦର ୭୦ ଟଙ୍କା ୫୫ ପଇସା ରହିଛି। ମାତ୍ର ହାଇଦ୍ରାବାଦରେ ୭୧ଟଙ୍କା ୪୪ ପଇସା, କେରଳରେ ୭୧ ଟଙ୍କା ୩୩ ପଇସା, ଛତିଶଗଡରେ ୭୧ ଟଙ୍କା, ବିହାରରେ ୭୦ ଟଙ୍କା ୩୯ ପଇସା, ରାଜସ୍ଥାନରେ ୭୦ ଟଙ୍କା ୬ ପଇସା ଓ ମହାରାଷ୍ଟ୍ରରେ ୭୦ ଟଙ୍କା ୧ ପଇସା ରହିଛି।

ମନ୍ତ୍ରୀ କହିଥିଲେ, ଜିଏସ୍‌ଟି ପ୍ରଚଳନ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ କ୍ଷମତା ସଂପନ୍ନ କମିଟିର ନିଷ୍ପତ୍ତି କ୍ରମେ ପେଟ୍ରୋଲ, ଡିଜେଲ ସମେତ ୫ଟି ପେଟ୍ରୋଲ ଜାତ ଦ୍ରବ୍ୟକୁ ଜିଏସ୍‌ଟି ପରିସର ବାହାରେ ରଖିବା ପାଇଁ ପ୍ରସ୍ତାବ ଥିଲା। ୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ, ୨୦୧୬ ଅନୁସାରେ ସମ୍ବିଧାନର ରାଜ୍ୟ ତାଲିକାରେ ଏଣ୍ଟ୍ରି-୫୪କୁ ସଂଶୋଧନ କରାଯାଇଛି। ଏହାଫଳରେ ୬ଟି ଦ୍ରବ୍ୟ ଯଥା ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଓ ମାନବ ବ୍ୟବହାର ଯୋଗ୍ୟ ମଦ ଉପରେ ରାଜ୍ୟ ସରକାରମାନେ ଭାଟ୍‌ ଆଦାୟ କରିବାକୁ କ୍ଷମତାପ୍ରାପ୍ତ ଅଟନ୍ତି। କିନ୍ତୁ ସମ୍ବିଧାନର ଅନୁଚ୍ଛେଦ ୨୭୯-ଏ ଅନୁସାରେ କେଉଁ ତାରିଖରୁ ପେଟ୍ରୋଲ, ଡିଜେଲ ସମେତ ୫ଟି ପେଟ୍ରୋଲ ଜାତ ଦ୍ରବ୍ୟ ଉପରେ ଜିଏସ୍‌ଟି ଲାଗୁ ହେବ, ତାହା ଜିଏସ୍‌ଟି କାଉନସିଲ୍‌ ହିଁ ସ୍ଥିର କରିବେ। ଏ ସମ୍ପର୍କରେ ଜିଏସ୍‌ଟି କାଉନସିଲ୍‌ରେ ଏଯାଏ ଆଲୋଚନା ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଉତ୍ତର ରଖିଥିଲେ।