ଭୁବନେଶ୍ବର: ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଗତକାଲି ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ରୋକ୍ଠୋକ୍ ଶୁଣାଇ ଦେଇଛି। ତେବେ ଆଜି ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ୍ରାଇଭର ମହାସଂଘକୁ ଡକାଯାଇ ନାହିଁ। ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଗାଡ଼ି ଅଟକାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ଖବର ମିଳିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ସଂପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି। ତୈଳ ପରିବହନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ବହୁ ତେଲ ଟାଙ୍କିରୁ ପେଟ୍ରୋଲ୍, ଡିଜେଲ୍ ସରି ଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି ପେଟ୍ରୋଲ୍, ଡିଜେଲ୍ ପରିବହନ ନ ହୋଇ ପାରିଲେ ରାଜ୍ୟରେ ତେଲ ସଙ୍କଟ ଦେଖା ଦେବ। ଫଳରେ ସଙ୍ଗିନ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତୈଳ ସଙ୍କଟ ନେଇ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ଅସୋସିଏସନ୍ ସଭାପତି ସଞ୍ଜୟ ଲାଠ୍ କହିଛନ୍ତି ଯେ ପାରାଦୀପ, ବାଲେଶ୍ବର, ଜଟଣୀ, ଝାରସୁଗୁଡ଼ା ଆଦି ପେଟ୍ରୋଲ ଡିପୋରେ ତୈଳ ପରିବହନ କରୁଥିବା ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ଦୁଇ ଦିନ ହେଲା ତେଲ ପରିବହନ ବନ୍ଦ ରହିଛି। ଆସନ୍ତାକାଲି ସକାଳୁ ତୈଳ ପରିବହନ ନ ହେଲେ ଅଧିକାଂଶ ତେଲ ଟାଙ୍କିରୁ ତେଲ ସରିଯିବ। ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ଟାଙ୍କିରେ ପେଟ୍ରୋଲ୍, ଡିଜେଲ୍ ମିଳିବ ନାହିଁ। ତେଣୁ ଆସନ୍ତାକାଲି ସକାଳୁ ତେଲ ପରିବହନ ହେବା ଜରୁରୀ।
ଦ୍ବିତୀୟ ଦିନରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଲିଖିତ ପ୍ରତିଶ୍ରୁତି ନି ମିଳିବା ଯାଏଁ ହଟିବୁନି: ଡ୍ରାଇଭର ମହାସଂଘ
ବୋର୍ଡ ବୈଠକରେ ଆଲୋଚନା କରାଯାଇ ଦାବି ପୂରଣ କରାଯିବ: ମନ୍ତ୍ରୀ
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ, ଉତ୍ତେଜନା
ଲିଖିତ ପ୍ରତିଶ୍ରୁତି ନି ମିଳିବା ଯାଏଁ ହଟିବୁନି: ଡ୍ରାଇଭର ମହାସଂଘ
ବୋର୍ଡ ବୈଠକରେ ଆଲୋଚନା କରାଯାଇ ଦାବି ପୂରଣ କରାଯିବ: ମନ୍ତ୍ରୀ
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ, ଉତ୍ତେଜନା
ଅନ୍ୟପକ୍ଷରେ ଓଡ଼ିଶା ଡ୍ରାଇଭର ମହାସଂଘର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁରେଶ କୁମାର ପ୍ରଧାନ କହିଛନ୍ତି ଯେ ଗତକାଲି ୬ ଦଫା ଦାବି ନେଇ ପରିବହନ ମନ୍ତ୍ରୀଙ୍କ ସହିତ ସକରାତ୍ମକ ଆଲୋଚନା ହୋଇଥିଲା। ମନ୍ତ୍ରୀ ଯେଉଁ କଥା କହିଲେ ସେଥିରେ ଆମେ ରାଜି ଥିଲୁ। ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର ୱେଲ୍ଫେୟାର୍ ବୋର୍ଡ ବୈଠକରେ ଆଲୋଚନା କରାଯାଇ ନ୍ୟାଯ୍ୟ ଦାବିଗୁଡ଼ିକ ପୂରଣ କରାଯିବ। ମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତିକୁ ଲିଖିତ ଆକାରରେ ଦେବାକୁ ମହାସଂଘର ପ୍ରତିନିଧି ଅଡ଼ି ବସିଥିଲେ। କିନ୍ତୁ ମନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେଲେ ନାହିଁ। ଯାହାଦ୍ବାରା ସରକାରଙ୍କ କଥାକୁ ଆମେ ବିଶ୍ବାସ କଲୁ ନାହିଁ। ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଡ୍ରାଇଭରମାନଙ୍କ ଯେଉଁ ପ୍ରମୁଖ ଦାବି ରହିଛି, ଯେମିତିକି ୱେଲ୍ଫେୟାର୍ ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯିବା। ଏହି ଦାବିକୁ ବୋର୍ଡ ବୈଠକରେ ସରଳୀକରଣ କରାଯାଇ ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରାଯିବ। ସାଧାରଣ ଲୋକଙ୍କ ଆକ୍ରୋଶରୁ ଡ୍ରାଇଭରମାନଙ୍କୁ ସୁରକ୍ଷା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ଜିଲ୍ଲାର ଏସ୍ପିଙ୍କୁ ଚିଠି ଲେଖାଯାଇଛି। ଓଡ଼ିଶାରେ ଗଢ଼ି ଉଠିଥିବା ଶିଳ୍ପ ଓ କାରଖାନାମାନଙ୍କରେ ଓଡ଼ିଶାର ଡ୍ରାଇଭରମାନେ ଅଧିକରୁ ଅଧିକ ଯେପରି ନିଯୁକ୍ତି ପାଇବେ, ସେ ନେଇ ସରକାରୀ ନିଷ୍ପତ୍ତି ନିଆଯିବ। ପ୍ରତି ୧୦୦ କିମିରେ ଡ୍ରାଇଭର ସୁବିଧା କେନ୍ଦ୍ର ସ୍ଥାପନ କରାଯିବ। ପୁଲିସର ମାତ୍ରାଧିକ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ନ ହେବା ଲାଗି ନିର୍ଦ୍ଦେଶ ଦିଆଯିବ। ୱେଲ୍ଫେୟାର ବୋର୍ଡରେ ପଞ୍ଜୀକରଣ ମାଗଣା କରାଯିବ ଆଦି ନିଷ୍କର୍ଷ ବାହାରିଛି। ଖୁବ୍ଶୀଘ୍ର ୱେଲ୍ଫେୟାର ବୋର୍ଡ ବୈଠକ କରାଯାଇ ଡ୍ରାଇଭରମାନଙ୍କ ସବୁ ଦାବି ଶୁଣାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଡ୍ରାଇଭରମାନେ ଆନ୍ଦୋଳନରୁ ହଟିବାକୁ ମନ୍ତ୍ରୀ ନିବେଦନ କରିଥିଲେ। ଏ ନେଇ ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ୫ ବର୍ଷ ହେବ ଆମେ ସରକାରଙ୍କ ନିକଟରେ ଦାବି କରି ଆସୁଛୁ। କିନ୍ତୁ କେହି ଦାବି ପୂରଣ ନେଇ ପଦକ୍ଷେପ ନେଉ ନାହାନ୍ତି। ତେଣୁ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ।