ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ୍ ବୋତଲ କିମ୍ବା ବିନା ଅନୁମୋଦିତ ପାତ୍ରରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି, ପରିବହନ ଓ ଗଚ୍ଛିତ ହେଉଥିବା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ଏଭଳି ଅସୁରକ୍ଷିତ ଅଭ୍ୟାସ ଜନସାଧାରଣଙ୍କ ସୁରକ୍ଷା, ପରିବେଶ ଉପରେ ଗମ୍ଭୀର ବିପଦ ସୃଷ୍ଟି କରୁଛି। ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ରାଜ୍ୟ ସରକାର ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି, ପରିବହନ ଓ ଗଚ୍ଛିତ ରଖିବାକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏ ସଂପର୍କରେ ସବୁ ଜିଲ୍ଲାପାଳଙ୍କୁ ପତ୍ର ଜାରି ହୋଇଛି।
ସବୁ ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ପତ୍ର
ଇନ୍ଧନ ଷ୍ଟେସନ, ଖୁଚୁରା ଦୋକାନରେ ଅଚାନକ ଚଢ଼ଉ ନିର୍ଦ୍ଦେଶ
ବିଭାଗ ପଠାଇବେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ସଂପର୍କିତ ମାସିକ ରିପୋର୍ଟ
ବିଭାଗ ପକ୍ଷରୁ କୁହାଯାଇଛି ଯେ ପେଟ୍ରୋଲିୟମ ଆଇନ ୧୯୩୪, ପେଟ୍ରୋଲିୟମ୍ ନିୟମ ୨୦୦୨, ବିସ୍ଫୋରକ ଆଇନ ୧୮୮୪, ମୋଟର ସ୍ପିରିଟ୍ ଓ ହାଇସ୍ପିଡ୍ ଡିଜେଲ୍(ଯୋଗାଣ, ବଣ୍ଟନ ଓ ତ୍ରୁଟି ନିବାରଣ ନିୟନ୍ତ୍ରଣ) ଆଦେଶ ୨୦୦୫, ପରିବେଶ(ସୁରକ୍ଷା) ଆଇନ ୧୯୮୬ ଓ ଅନ୍ୟ ଆଇନରେ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲିୟମ ଉତ୍ପାଦକୁ ରୋକିବା ଲାଗି କେତେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଯୋଗାଣ ଅଧିକାରୀ, ପ୍ରବର୍ତ୍ତନ ସ୍କ୍ବାଡ୍, ପୁଲିସ ଅଧିକାରୀ, ତହସିଲଦାର ଓ ଅନ୍ୟ ପ୍ରବର୍ତ୍ତନ ଅଧିକାରୀ ଇନ୍ଧନ ଷ୍ଟେସନ, ଖୁଚୁରା ଦୋକାନ ଓ ଖୁଚୁରା ପଏଣ୍ଟ ଗୁଡ଼ିକରେ ଅଚାନକ ଯାଞ୍ଚ କରିବେ। ଇନ୍ଧନ ଯୋଗାଣ କେନ୍ଦ୍ର ଓ ପେଟ୍ରୋଲିୟମ ଡିଲରମାନେ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲିୟମ ଉତ୍ପାଦ ଯୋଗାଣରୁ ନିବୃତ୍ତ ରହିବାକୁ ହେବ।
ଇନ୍ଧନ ଷ୍ଟେସନ୍ ଗୁଡ଼ିକ ନିଜର ପ୍ରମୁଖ ସ୍ଥାନମାନଙ୍କରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ଲାଷ୍ଟିକ୍ ବୋତଲ ବାରଣ ସଂପର୍କିତ ଦୃଶ୍ୟମାନ ବୋର୍ଡ ଲଗାଇବେ। ଜିଲ୍ଲାମାନେ ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ସହ ପ୍ରବର୍ତ୍ତନ ସ୍ଥିତି ସଂପର୍କିତ ଏକ ସଂକ୍ଷିପ୍ତ ମାସିକ ରିପୋର୍ଟ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଯାଞ୍ଚ ସଂଖ୍ୟା, କେତେ ସଂଖ୍ୟକ ଉଲ୍ଲଂଘନ ଓ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଉଲ୍ଲେଖ ରହିବ। ଉଲ୍ଲେଖ ଯେ ବାଲେଶ୍ବର ଏଫ୍ଏମ୍ କଲେଜ ଓ ବଳଙ୍ଗା ପୋଡ଼ି ଘଟଣା ପରେ ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରିକୁ ରାଜ୍ୟ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ପେଟ୍ରୋଲିୟମ ସଂଘ ସହ ରାଜ୍ୟ ସରକାର ଆଲୋଚନା କରିବା ପରେ ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରିକୁ ପ୍ରୋତ୍ସାହିତ ନ କରିବାକୁ କୁହାଯାଇଛି।