ଭୁବନେଶ୍ବର : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ଯେଉଁ ହାରରେ ବଢ଼ୁଛି ତାହା ଖାଉଟିଙ୍କୁ ଅତିଷ୍ଠ କଲାଣି। ସରକାରୀ ତେଲ କମ୍ପାନି ଖାଉଟିଙ୍କ ସ୍ବାର୍ଥରେ ନା ନିଜ ସ୍ବାର୍ଥରେ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ତେଲ କମ୍ପାନି ଗୁଡ଼ିକ ନୂଆବର୍ଷରେ ଆଜି ସୁଦ୍ଧା ଅର୍ଥାତ ଗତ ୪୪ ଦିନ ମଧ୍ୟରେ ୧୭ ଥର ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଛନ୍ତି। ଏଥିଯୋଗୁ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୪ ଟଙ୍କା ୮୦ ପଇସା ଏବଂ ଡିଜେଲ ଦର ୫ ଟଙ୍କା ୩୪ ପଇସା ମହଙ୍ଗା ହୋଇଯାଇଛି। କେବଳ ଫେବ୍ରୁଆରି ମାସରେ ଆଜିସୁଦ୍ଧା ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ଦେଢ଼ ଟଙ୍କା ଏବଂ ଡିଜେଲ ଦର ପ୍ରାୟ ୧ ଟଙ୍କା ୮୦ ପଇସା ବଢ଼ିଗଲାଣି। ଆଜି ଭାରତୀୟ ତୈଳ ନିଗମ ପମ୍ପରେ ପେଟ୍ରୋଲ ଦର ୮୯ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୮୫ ଟଙ୍କା ୮୦ ପଇସା ଛୁଇଁଛି। ଗତି କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ନୂଆ ରେକର୍ଡ କରୁଛି। ଚଳିତବର୍ଷ ଆଜିସୁଦ୍ଧା ତେଲ କମ୍ପାନି ଗୁଡ଼ିକ କୌଣସି ଗୋଟିଏ ଦିନ ହେଲେ ବି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିନାହାନ୍ତି। କେବଳ ବୃଦ୍ଧି ହିଁ ବୃଦ୍ଧି ଘଟି ଚାଲିଛି।
ରାଜଧାନୀ ଭୁବନେଶ୍ବର ତୁଳନାରେ ଦୂରରେ ଥିବା ରାଜ୍ୟର ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହିଛି। ସୂଚନା ମୁତାବକ ମାଲକାନଗିରିରେ ଦର ସର୍ବାଧିକ ରହିଛି। ପେଟ୍ରୋଲ ଦର ସେଠାରେ ଲିଟର ପିଛା ୯୩ ଟଙ୍କା ୭୭ ପଇସା ଏବଂ ଡିଜେଲ ଦର ୯୦ ଟଙ୍କା ୨୯ ପଇସାରେ ପହଞ୍ଚିଛି। ସେହିଭଳି ବ୍ରହ୍ମପୁର, ଅନୁଗୁଳ, ରାଉରକେଲା, କଳାହାଣ୍ଡିରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ରହିଛି। ମାଲଲକାନଗିରି ପଛକୁ କଳାହାଣ୍ଡିରେ ପେଟ୍ରୋଲ ଏବଂ ଡିଜେଲ ଦର ଦ୍ବିତୀୟ ସର୍ବାଧିକ ରହିଛି। ସେଠାରେ ପେଟ୍ରୋଲ ୯୧ ଟଙ୍କା ୬୧ ଏବଂ ଡିଜେଲ ୮୮ ଟଙ୍କା ୨୦ ପଇସା ଛୁଇଁଛି। କେନ୍ଦୁଝରରେ ମଧ୍ୟ ପେଟ୍ରୋଲ ଦର ମାଲକାନଗିରି ଓ କଳାହାଣ୍ଡି ପରେ ତୃତୀୟ ସର୍ବାଧିକ ରହିଛି। ସେଠାରେ ପେଟ୍ରୋଲ ୯୦ ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ୮୭ ଟଙ୍କା ୧ ପଇସା ରହିଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଇତିମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଟିକସରେ ଟଙ୍କାଟିଏ ବୃଦ୍ଧି କରିନାହାନ୍ତି। କିନ୍ତୁ ତେଲ କମ୍ପାନି ଗୁଡ଼ିକ ଦର ବଢ଼ାଇ ଚାଲିଛନ୍ତି। ଅଶୋଧିତ ତେଲ ଦର ବଢ଼ୁଥିବା ଆଳ ଦେଖାଇ କମ୍ପାନି ଗୁଡ଼ିକ ଖାଉଟିଙ୍କୁ ଶୋଷଣ କରୁଛନ୍ତି। ଚଳିତବର୍ଷ ସାଧାରଣ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ କୃଷି ବିକାଶ ସେସ୍ ଲାଗୁ କରିଛନ୍ତି। ପେଟ୍ରୋଲ ଉପରେ ଲିଟର ପିଛା ୨ ଟଙ୍କା ୫୦ ପଇସା ଏବଂ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କା ଆଦାୟ ପ୍ରସ୍ତାବ ରହିଛି। କିନ୍ତୁ ଏହାର ବୋଝ ଯେଭଳି ଗ୍ରାହକଙ୍କ ଉପରେ ନପଡ଼ିବ ସେଥିପାଇଁ ଅର୍ଥମନ୍ତ୍ରୀ ଉତ୍ପାଦ ଶୁଳ୍କକୁ ସମାନ ପରିମାଣରେ ହ୍ରାସ କରିଥିଲେ। ସେହିଭଳି ରାଜ୍ୟର ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ କୌଣସି ଭାଟ୍ ଇତିମଧ୍ୟରେ ବଢ଼ାଇ ନାହାନ୍ତି। ଓଡ଼ିଶାରେ ପେଟ୍ରୋଲ ଉପରେ ୩୨ ପ୍ରତିଶତ ଏବଂ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍ ଆଦାୟ ହେଉଛି। ଗତବର୍ଷ କରୋନା ମହାମାରୀ ବେଳେ ଟିକସ ରାଜସ୍ବ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତେଲ ଉପରେ ଟିକସ ବଢ଼ାଇଥିଲେ। ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ସରକାରଙ୍କ ପାଖରେ ଟିକସ ଆଦାୟ କରିବାର ଅନ୍ୟ କୌଣସି ବିକଳ୍ପ ନଥିବାରୁ ସେହି ନିଷ୍ପତ୍ତିକୁ ଖାଉଟି ସେତେବେଳେ ସହି ନେଇଥିଲେ। କିନ୍ତୁ ଏବେ କମ୍ପାନିଙ୍କ ଜୁଲମ୍ ସହି ହେଉନାହିଁ।
ପୂର୍ବରୁ ସରକାର ତେଲ ଦର ନିର୍ଦ୍ଧାରଣ କରୁଥିଲେ। ଏଥିଯୋଗୁ ତେଲ ଦରକୁ ସରକାର କେବେ କେମିତି ବଢ଼ାଉଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ତେଲ ଦର ନିର୍ଦ୍ଧାରଣକୁ ବଜାର ଉପରେ ଛାଡ଼ି ଦିଆଯାଇଛି।
ପ୍ରଥମେ ତେଲ କମ୍ପାନି ଗୁଡ଼ିକ ପ୍ରତି ୧୫ ଦିନରେ ଥରେ ଦରରେ ସଂଶୋଧନ ଆଣୁଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବଂ ଡଲାର ତୁଳନାର ଟଙ୍କାର ବିନିମୟ ମୂଲ୍ୟ ଆଧାରରେ ଏହି ସଂଶୋଧନ କରାଯାଉଥିଲା। କିନ୍ତୁ ୨୦୧୭ ମସିହାର ଜୁନରୁ ଦର ପ୍ରାୟ ପ୍ରତିଦିନ ସକାଳ ୬ଟାରେ ସଂଶୋଧନ ହେଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ମୂଲ୍ୟ ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଧାରରେ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରରେ ସଂଶୋଧନ ଆଣୁଥିବା କୁହାଯାଉଛି। କିନ୍ତୁ ଏହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କଲାଣି ଯେ ଦରରେ କମ୍ପାନି ଗୁଡ଼ିକ ସ୍ବଚ୍ଛତା ରଖୁନାହାନ୍ତି। ବିଦେଶରୁ ତୈଳ ଆମଦାନି କରିବା ବେଳେ ତାହାକୁ କେତେ ଦରରେ ସେମାନେ କିଣୁଛନ୍ତି। ଏହାପରେ ସେଗୁଡ଼ିକୁ ବିଶୋଧନ କରି ପେଟ୍ରୋଲ ଏବଂ ଡିଜେଲରେ ରୂପାନ୍ତରିତ କରିବା ପରେ ସେବା ବଦରେ ଦର କେତେ ରହୁଛି ତାହା ସର୍ବସାଧାରଣରେ ପ୍ରକାଶ କରାଯାଉ ନାହିଁ। ଫଳରେ ଅଶୋଧିତ ତେଲ ବଢ଼ିବା ବାହାନା କରି ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଚାଲିଛନ୍ତି। ତେଲ ଦରରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କେତେ ଟିକସ ଆଦାୟ କରୁଛନ୍ତି, ଡିଲରମାନେ କେତେ କମିସନ ନେଉଛନ୍ତି ଆଦି ଯେଭଳି ସାଧାରଣରେ ତଥ୍ୟ ପ୍ରକାଶ ପାଉଛି ସେହିଭଳି କମ୍ପାନି ଗୁଡ଼ିକର ଉତ୍ପାଦନ ଖର୍ଚ୍ଚ କେତେ ରହୁଛି ତାହା ମଧ୍ୟ ପ୍ରକାଶ କରାଗଲେ ଖାଉଟିଙ୍କ ପାଇଁ କମ୍ପାନିଙ୍କ ଶୋଷଣର ବାଟ ବନ୍ଦ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ମୂଳ ଦର(ଲିଟର/ଟଙ୍କା) କେନ୍ଦ୍ରୀୟ ଟିକସ ରାଜ୍ୟ ଟିକସ ଡିଲର କମିସନ୍ ବିକ୍ରି ମୂଲ୍ୟ
ପେଟ୍ରୋଲ୍ ୩୧.୯୯ ୩୨.୯୮ ୨୦.୭୯ ୩.୩୬ ୮୯.୧୨
ଡିଜେଲ୍ ୩୩.୪୬ ୩୧.୮୩ ୧୮.୨୮ ୨.୨୧ ୮୫.୭୮
(ଭୁବନେଶ୍ବରରେ ୧୩ ତାରିଖର ବିପିସିଏଲ ଟାଙ୍କି ଦର ହିସାବରେ)
କେଉଁ ସହରରେ କେତେ ଦର
ସହର ପେଟ୍ରୋଲ ଡିଜେଲ (ଲିଟର/ଟଙ୍କାରେ)
ଭୁବନେଶ୍ବର ୮୯.୧୪ ୮୫.୮୦
ମାଲକାନଗିରି ୯୩.୭୭ ୯୦.୨୯
ବ୍ରହ୍ମପୁର ୯୦.୩୬ ୮୬.୯୦
ଅନୁଗୁଳ ୯୦.୩୨ ୮୬.୯୪
ରାଉରକେଲା ୯୦.୦୫ ୮୬.୭୦
ବାଲେଶ୍ବର ୮୯.୧୩ ୮୫.୮୦
କଳାହାଣ୍ଡି ୯୧.୬୧ ୮୮.୨୦
କେନ୍ଦୁଝର ୯୦.୪୧ ୮୭.୦୧
ସମ୍ବଲପୁର ୮୯.୫୭ ୮୬.୨୪