ହୋସ୍‌ ଉଡ଼ାଇଲାଣି : ୮୦ ଛୁଇଁବ ପେଟ୍ରୋଲ, ୭୫ ଟପିଲା ଡିଜେଲ

୧୩ ଦିନରେ ପାଖାପାଖି ୮ ଟଙ୍କା ବୃଦ୍ଧି

ଭୁବନେଶ୍ବର : ଯେତେବେଳେ ବିଶ୍ବ ବଜାରରେ ତେଲ ଦର କମୁଥିଲା ‌ସେତେବେଳେ ଏହାର ଫାଇଦା ଗ୍ରାହକଙ୍କୁ ଦେବା ବଦଳରେ ସରକାର ନିଜେ ନେଇଗଲେ। ଏବେ ଆନ୍ତର୍ଜାତିକ ବଜାରରେ ତେଲ ଦାମ ବଢ଼ୁଥିବା ବେଳେ ସରକାର ସବୁ ବୋଝ ଗ୍ରାହକମାନଙ୍କ ଉପରେ ଲଦିବା ଆରମ୍ଭ କରିଛନ୍ତି। ଲକ୍ ଡାଉନ ଯୋଗୁଁ ଲୋକ‌େ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ କେନ୍ଦ୍ର ସରକାରଙ୍କର ଗ୍ରାହକ-ମାରଣ ଆଭିମୁଖ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।

ଚଳିତମାସ ୭ ତାରିଖରୁ ୧୯ ତାରିଖ ମଧ୍ୟରେ ୧୩ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ଦର ପାଖାପାଖି ୮ ଟଙ୍କା ମହଙ୍ଗା ହୋଇଗଲାଣି। ଗତ ୬ ତାରିଖରେ ପଟ୍ରୋଲ ଦର ୭୧ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଦର ୬୭ ଟଙ୍କା ୭୩ ପଇସା ଥିଲା। କିନ୍ତୁ ଗତ ୭ ତାରିଖରୁ ଏହା ପ୍ରତିଦିନ ବଢ଼ି ବଢ଼ି ଚାଲିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ୭ ଟଙ୍କା ୨୦ ପଇସା ମହଙ୍ଗା ହୋଇଯାଇଛି। ଡିଜେଲ ଦର ମଧ୍ୟ ପେଟ୍ରୋଲ ତୁଳନାରେ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଗତ ୧୩ ଦିନରେ ଭିତରେ ଡିଜେଲ ଦର ଲିଟର ପିଛା ୭ ଟଙ୍କା ୫୫ ପଇସା ମହଙ୍ଗା ହୋଇଯାଇଛି। ଫଳରେ ଭୁବନେଶ୍ବରରେ ୧୯ ତାରିଖ ଦିନ ଡିଜେଲ ଦର ୭୫ ଟଙ୍କା ଟପିଯାଇଛି। ଏହି ହାରରେ ଦରବୃଦ୍ଧି ଜାରି ରହିଲେ ପେଟ୍ରୋଲ ଏବଂ ଡିଜେଲ ଦର ଖୁବଶୀଘ୍ର କେବଳ ୮୦ ଟଙ୍କା ଟପିବ ନାହିଁ, ସେଞ୍ଚୁରି ମାରିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ।

ସୂଚନାଯୋଗ୍ୟ ଯେ ଲକଡାଉନ୍ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲକୁ ଭାରତ ବ୍ୟାରେଲ ପିଛା ୨୦ ଡଲାର ଭଳି କମ୍ ମୂଲ୍ୟରେ କିଣିଥିଲା। କିନ୍ତୁ ଅଶୋଧିତ ତେଲ ଦର ହ୍ରାସର ଲାଭ ସରକାର ଗ୍ରାହକଙ୍କୁ ଦେଲେନାହିଁ। ଅନ୍ୟପକ୍ଷରେ ଉତ୍ପାଦ ଶୁଳ୍କକୁ ଦୁଇ ଥରରେ ବହୁମାତ୍ରାରେ ବଢ଼ାଇଦେଲେ। ମେ ୬ ତାରିଖରେ ପେଟ୍ରୋଲ ଉପରେ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୩ ଟଙ୍କା ଅଧିକ ଟିକସ ଭିଡ଼ିଲେ। କେବଳ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦରେ ଲିଟର ପିଛା ପେଟ୍ରୋଲରେ ୩୨ ଟଙ୍କା ୯୮ ପଇସା ଏବଂ ଡିଜେଲରେ ୩୧ ଟଙ୍କା ୮୩ ପଇସା ଭଳି ମୋଟା ଅଙ୍କର ଟିକସ ବୋଝ ଗ୍ରାହକଙ୍କ ଉପରେ ଲଦିଦେଲେ। ସରକାର ଯଦି ସେହି ସମୟରେ ରାଜକୋଷକୁ ନଭରି ଗ୍ରାହକଙ୍କୁ ଏହାର ଲାଭ ଦେଇଥାନ୍ତେ ତାହେଲେ ଗ୍ରାହକ ପାଖାପାଖି ୧୦ ଟଙ୍କା ଏବଂ ଡିଜେଲ ୧୩ ଟଙ୍କା କମ୍ ଦରରେ ଏହାକୁ କିଣିବା ସୁଯୋଗ ପାଇଥାନ୍ତେ।

ସମ୍ବନ୍ଧିତ ଖବର