ନିର୍ବାଚନ ପରେ ବଢ଼ିବ ପେଟ୍ରୋଲ୍ ଦାମ୍: ଅଶୋଧିତ ତୈଳ ଦର ୯୩ ଡଲାର

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ଆସନ୍ତା ମାସଠାରୁ ପୁଣି ମହଙ୍ଗା ହେବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦରବୃଦ୍ଧିକୁ ଅଟକାଇ ଦିଆଯାଇଛି। ନିର୍ବାଚନ ଶେଷ ହେବାପରେ ପେଟ୍ରୋଲ୍ ଦାମ୍‌ ପୁଣି ବଢ଼ିବ। ଏହାପଛର ମୁଖ୍ୟ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୩ ଡଲାର ‌ହୋଇଗଲାଣି। ନିର୍ବାଚନ ନଥିଲେ ଲୋକମାନଙ୍କୁ ଏବେଠାରୁ ତେଲ କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଥାନ୍ତା। ସାରାବିଶ୍ବରେ କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ୍‌ ବ୍ୟାପିବା ପରେ ତୈଳ ଚାହିଦା ହଠାତ୍ ହ୍ରାସ ପାଇଥିଲା। ଫଳରେ ୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୯ ଡଲାରକୁ ଖସିଯାଇଥିଲା। ଏହାପୂର୍ବରୁ ୨୦୨୧ ନଭେମ୍ବର ୪ରେ ଏହାର ଦାମ୍ ୮୪ ଡଲାର ଭଳି ଉଚ୍ଚ ସ୍ତରରେ ଥିଲା। ଗତବର୍ଷ ନଭେମ୍ବର ୪ ପରେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୧୨ ଡଲାର ବଢ଼ିଛି। ଏବେ ତାହା ୯୩ ଡଲାରରେ ପହଞ୍ଚିଯାଇଛି। ଦୁଇ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ତାହାର ପ୍ରଭାବରେ ବଜାରରୁ ତୈଳ ଯୋଗାଣ ହ୍ରାସ ପାଇଛି।

ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ସୁନିଲ କୁମାର ସିହ୍ନା କହିଛନ୍ତି ଯେ ଏବେ ତୈଳ ଦର ଉପରେ ଅର୍ଥନୀତି ନୁହେଁ ରାଜନୀତିର ପ୍ରଭାବ ରହିଛି। ଯଦି ଅଶୋଧିତ ତୈଳ ଦାମ୍ ଏଭଳି ଉଚ୍ଚ ସ୍ତରରେ ବଜାୟ ରହିବ ତେବେ ନିର୍ବାଚନ ଶେଷ ହେବା ମାତ୍ରେ ଗ୍ରାହକଙ୍କୁ ଦରବୃଦ୍ଧିର ଝଟ୍‌କା ଲାଗିବ। ତେଲ କଂପାନିଗୁଡ଼ିକ କମ୍ ଦାମ୍‌ରେ ତେଲ ବିକି ଏବେ ଯେଉଁ କ୍ଷତି ସହୁଛନ୍ତି ତାହାକୁ ସେମାନେ ଦରବୃଦ୍ଧି ଜରିଆରେ ଭରଣା କରିବାକୁ ପ୍ରୟାସ କରିବେ। ଯଦି ତୈଳ ମହଙ୍ଗା ହେବ ତେବେ ତାହା ମୁଦ୍ରାସ୍ଫୀତି କୁ ବେଲଗାମ କରିଦେବ। ଡିଜେଲ୍ ଦାମ୍ ବଢ଼ିଲେ ତାହାର ପ୍ରଭାବରେ ପରିବହନ ମହଙ୍ଗା ହେବ। ଯେଉଁସବୁ ସାମଗ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଉଛି ସେଗୁଡ଼ିକର ଦାମ୍ ବଢ଼ିବ।

ସରକାରୀ ତୈଳ କଂପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଏମ୍‌ କେ ସୁରାନା ଗତ ସପ୍ତାହରେ କହିଥିଲେ ଯେ କିଛି ଦିନ ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍‌ର ଖୁଚୁରା ଦାମ୍ ଆନ୍ତର୍ଜାତିକ ବଜାର ଦର ଅନୁସାରେ ବଢ଼ାଇବାକୁ ପଡ଼ିବ। ରେଟିଂ ଏଜେନ୍ସି କ୍ରିସିଲ୍‌ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ଡି କେ ଯୋଶୀ କହିଛନ୍ତି ଯେ ତୈଳ ଦରକୁ ନେଇ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ସରକାର କିଛି ପରିମାଣର ଟିକସ କମ୍ କରିବେ ଏବଂ ତୈଳ ମୂଲ୍ୟରେ ଅଳ୍ପ ପରିମାଣର ବୃଦ୍ଧି କରି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରାଯାଇପାରିବ।

ସମ୍ବନ୍ଧିତ ଖବର