ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା : ମିଳିଲାଣି ୩ ବସ୍ତା ପୋଡ଼ା ମାଂସ, ମିଳୁନି ମୃତକଙ୍କ ହିସାବ

ଏସ୍‌ସିବିରେ ଆଖିବୁଜିଲେ ସତ୍ୟ, ଜଣେ ଏବେ ବି ନିଖୋଜ

ଭୁବନେଶ୍ୱର/କଟକ : ପେଟ୍ରୋଲ୍‌ ପମ୍ପରେ ଘଟିଥିବା ଛାତିଥରା ବିସ୍ଫୋରଣରେ କେତେ ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ଗତକାଲି ଗୁରୁତର ଆହତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୨ ଜଣଙ୍କ ମଧ୍ୟରୁ ଗଞ୍ଜାମର ସତ୍ୟ ନାୟକ ନାମକ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗତକାଲିଠାରୁ ପୁଲିସ ୩ ବସ୍ତା ପୋଡ଼ା ମାଂସ ଜବତ କରି କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି। ସେଥିରେ ୨ଟି ଖପୁରି ଓ ଅନେକ ଅଙ୍ଗପ୍ରତ୍ୟଙ୍ଗ ରହିଛି। ଏବେ ବି ନିକଟସ୍ଥ ବଣବୁଦାରେ ଆହୁରି ପୋଡ଼ା ମାଂସ ପଡ଼ିଥିବା ଜଣାପଡ଼ିଛି। ତେଣୁ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ୁଥିଲେ ମଧ୍ୟ ପରିଚୟ ମିଳିପାରିନାହିଁ। ଏମିତିକି ପୁଲିସ ନିକଟରେ ନିଖୋଜଙ୍କ ସଂଖ୍ୟା ବାବଦରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ। ପୁଲିସ କମିସନରଙ୍କ ସୂଚନାନୁସାରେ ବର୍ତ୍ତମା‌ନ ସୁଦ୍ଧା ଜଣେ ନିଖୋଜ ଥିବା ଅଭିଯୋଗ ମିଳିଛି ଓ ଚିକିତ୍ସାଧୀନ ଜଣେ ଗୁରୁତର ଆହତଙ୍କ ମୃତ୍ୟୁ ଘଟିଛି। ପୋଡ଼ା ମାଂସର ଡିଏନ୍‌ଏ ପରୀକ୍ଷା କରାଯିବ ଓ ନିଖୋଜ ବ୍ୟକ୍ତିଙ୍କ ବାବଦରେ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ ସାଇଣ୍ଟିଫିକ୍ ଟିମ୍‌ର ଛାନ୍‌ଭିନ୍ ଜାରି ରହିଛି ଓ ଆଜି ସନ୍ଧ୍ୟା ୭ଟା ପରେ ରାଜଭବନ ରାସ୍ତାକୁ ସାଧାରଣ ଯାତାୟାତ ପାଇଁ ଖୋଲି ଦିଆଯାଇଛି।

ଏହି ବିସ୍ଫୋରଣର ଭୟଙ୍କର ପରିଣତି ଆଜି ପାରିପାର୍ଶ୍ବିକ ପରିସ୍ଥିତିରୁ ଅଧିକ ସ୍ପଷ୍ଟ ହୋଇଛି। ଗତକାଲି ଦୁଇ ବସ୍ତା ପୋଡ଼ା ମାଂସ ଜବତ ହୋଇଥିଲା। ସେଥିରେ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ, ଖପୁରି, ପାପୁଲି, ପାଦ, ହାତ ଆଦି ମିଳିଥିଲା। ଆଜି ମଧ୍ୟ ଆଉ ପାଖାପାଖି ବସ୍ତାଏ ପୋଡ଼ା ମାଂସ ଖଣ୍ଡ ଓ ଶରୀରର ଛିନ୍ନ ଅଂଶ ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଆଖପାଖ ବଣବୁଦାରେ ମଧ୍ୟ ମାଂସ ଖଣ୍ଡ ଲାଗିଥିବା ଦେଖିବାକୁ ମିଳୁଛି। ପ୍ରାୟ ୨୦ ମିଟର ଦୂରରେ ରହୁଥିବା ଟ୍ରାନ୍ସପୋର୍ଟ କମିସନର ସଞ୍ଜିବ ପଣ୍ଡାଙ୍କ ଘର କ୍ୟାମ୍ପସରୁ ମାଂସ ଖଣ୍ଡ ମିଳିଛି। ମାଂସ ଖଣ୍ଡଗୁଡ଼ିକ ପ୍ରାୟ ୨ ଶହ ମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ପଡ଼ିଥିବାରୁ ରାଜଭବନ ପରିସରରେ ଥିବା ଜଙ୍ଗଲ ଓ ଆଖପାଖ ବୁଦାରେ ପଡ଼ି ରହିଥିବା ଆଶଙ୍କା କରାଯାଉଛି। ମାଂସ ଖଣ୍ଡସବୁକୁ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଦୁଇଟି ଖପୁରି ମିଳିଥିବାରୁ ନିହାତି ମୃତ୍ୟୁ ସଂଖ୍ୟା ୨ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଜବତ ମାଂସ ଖଣ୍ଡ ପରିମାଣରୁ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏବେ ସୁଦ୍ଧା ଜଣେ ନିଖୋଜ ଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଟେକ୍ନିସିଆନ୍‌ଭାବେ କାମ କରୁଥିବା ଗଞ୍ଜାମ ଅଞ୍ଚଳର ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମିଳୁନାହିଁ। ଯେଉଁ ମାଂସ ଖଣ୍ଡଗୁଡ଼ିକ ଜବତ କରାଯାଇଛି, ସେଗୁଡ଼ିକ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଡିଏନ୍ଏ ସହ ମେଳ କରାଯିବ ବୋଲି ପୁଲିସ କହିଛି। ଡିଏନ୍ଏ ରିପୋର୍ଟ ଆସିବା ପରେ ତାହା ସୀମାଞ୍ଚଳଙ୍କର କି ନାହିଁ ତାହା ଜଣାପଡ଼ିବ। ସେପଟେ କଟକ ଏସ୍‌ସିବି ମେଡ଼ିକାଲରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ଗଞ୍ଜାମର ସତ୍ୟ ନାୟକଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ସଂକଟାପନ୍ନ ହର୍ଷବର୍ଦ୍ଧନ ଶ୍ରୀବାସ୍ତବ ଚିକିତ୍ସିତ ହେଉଛନ୍ତି ବୋଲି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ସେହିଭଳି ପଟ୍ରୋଲ ପମ୍ପ ଚାରିପଟେ କେଉଁଠି ଲୁହାଖଣ୍ଡ ପଡ଼ିଛି ତ ଆଉ କେଉଁଠି ବିସ୍ଫୋରଣରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ରାସାୟନିକ ଟାଙ୍କିର ଅଂଶ ସବୁ ପଡ଼ିଛି। ପେଟ୍ରୋଲ ପମ୍ପ କାଉଣ୍ଟର ନିକଟ, ବିସ୍ଫୋରଣ ସ୍ଥଳ, ପମ୍ପ ପରିସରରେ ଥିବା ସଫଲ୍ ଦୋକାନ ନିକଟରୁ ଏହି ଖଣ୍ଡ ଗୁଡ଼ିକ ଜବତ କରାଯାଇଛି। ସେହିପରି ରାଜଭବନ ପରିସରରେ ୧୨ ନମ୍ବର ଵାଚ୍ ଟାଵାର ପାଖରୁ ବଡ଼ ଲୁହାଖଣ୍ଡ ମିଳିଥିବା ବେଳେ ଗୋଟିଏ ଲୁହା ଖଣ୍ଡ ଗଛରେ ଲଟକି ରହିଛି। ସେହି ଅଞ୍ଚଳଗୁଡ଼ିକ ଯାଞ୍ଚ କରାଗଲେ ଆହୁରି କିଛି ମନୁଷ୍ୟ ଶରୀରର ଅଙ୍ଗପ୍ରତ୍ୟଙ୍ଗ ମିଳିପାରେ ବୋଲି କୁହାଯାଉଛି।

ଏହି ବିସ୍ଫୋରଣ ଘଟଣାରେ କମିସନରେଟ୍‌ ପୁଲିସ ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ମାମଲା ରୁଜୁ କରାଯାଇଛି। ଆଇପିସି ଦଫା-୨୭୯, ୩୩୭, ୩୩୮ରେ ମାମଲା ରୁଜୁ ହୋଇଛି। ସନ୍ଧ୍ୟାରେ ପେଟ୍ରୋଲ ପମ୍ପର ଜଣେ ଅଧିକାରୀ ଓ ଜଣେ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। କେମିତି, କେଉଁ ପରିସ୍ଥିତିରେ ଘଟଣା ଘଟିଲା ସେ ନେଇ ପୁଲିସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପଚରାଉଚରା କରୁଛି। ସିଆରପିସି ଧାରା-୧୬୧ ଅନୁସାରେ ଦୁଇ ଜଣଙ୍କର ବୟାନ ରେକର୍ଡ କରାଯାଇଛି। ପେଟ୍ରୋଲ ପମ୍ପରେ ଲାଗିଥିବା ସିସିସିଭି ହାର୍ଡଡିସ୍କକୁ ପୁଲିସ ଜବତ କରିଛି। ପମ୍ପରେ ଲାଗିଥିବା ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରି ପୁଲିସ ବିସ୍ଫୋରଣର ରହସ୍ୟ ଖୋଲିବ ବୋଲି ଉଦ୍ୟମ କରୁଛି। ଘଟଣାସ୍ଥଳରୁ ଆଉ ଦୁଇଟି ଟାଙ୍କି ମଧ୍ୟ ଜବତ କରାଯାଇଛି।

ଅନ୍ୟପକ୍ଷରେ ଗତକାଲିଠାରୁ ରାଜ୍ୟ ଫୋରେନ୍‌ସିକ୍‌ ଟିମ୍‌ର ୫ ଜଣିଆ ଦଳ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି। ବିସ୍ଫୋରଣ ସ୍ଥଳରେ ବିପଦ ଥିବାରୁ ଗତକାଲି ଫୋରେନ୍‌ସିକ ଟିମ୍‌ର ତଦନ୍ତରେ ବିଶେଷ ଅଗ୍ରଗତି ହୋଇପାରିନଥିଲା। ଆଜି ସେଠାକୁ ଯାଇ ବିସ୍ଫୋରଣରେ ଫାଟି ଯାଇଥିବା ଟାଙ୍କିର କିଛି ଅଂଶ, ମାଂସ ଖଣ୍ଡର ଅଂଶ, କିଛି ବାଲି, ମାଟି, ଇଟା ଆଦି ସଂଗ୍ରହ କରିଛନ୍ତି। ଏଥିପାଇଁ ଫୋରେନ୍‌ସିକ୍ ଟକ୍ସିକ୍ ଯାଞ୍ଚ କରିବ ବୋଲି ପୁଲିସ କମିସନର ଶ୍ରୀ ଷଡଙ୍ଗୀ କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣ ପ୍ରାୟ ୧ଟାରେ ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ୍‌ ପେଟ୍ରୋଲ ପମ୍ପରେ ହୋଇଥିବା ଭୟଙ୍କର ବିସ୍ଫୋରଣ ରାଜଧାନୀକୁ ଦୋହଲାଇ ଦେଇଥିଲା। ଏଥିରେ ୩୦ରୁ ଅଧିକ ଆହତ ହୋଇଥିବା ବେଳେ ପ୍ରାୟ ୨୦ ଗାଡ଼ି ଭାଙ୍ଗିରୁଜି ଯାଇଥିଲା।

ସମ୍ବନ୍ଧିତ ଖବର