ରାଜଧାନୀ ପେଟ୍ରୋଲ ପମ୍ପ୍ ଦୁର୍ଘଟଣା ପରେ ତନାଘନା : ପେଟ୍ରୋଲ ପମ୍ପରେ ଏଲ୍‌ପିଜି ଟାଙ୍କିକୁ ସରକାରଙ୍କ ନା

ଜନଗହଳି ଓ ସମ୍ବେଦନଶୀଳ ଅଞ୍ଚଳରୁ ହଟିବ ତେଲ ଓ ଗ୍ୟାସ୍‌ ଟାଙ୍କି
ସିଏନ୍‌ଜି ଟାଙ୍କିକୁ ପେଟ୍ରୋଲ ଟାଙ୍କିଠାରୁ ଅଲଗା କରାଯିବାକୁ ପ୍ରସ୍ତାବ
ରସାୟନିକ, ଗ୍ୟାସ ଅଗ୍ନିକାଣ୍ଡ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ରଣନୀତି

ଭୁବନେଶ୍ୱର : ଓଡ଼ିଶାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଏଲ୍‌ପିଜି ଗ୍ୟାସ୍ ଟାଙ୍କି ରହିପାରିବ ନାହିଁ। ସିଏନ୍‌ଜି ଟାଙ୍କି ପେଟ୍ରୋଲ ଟାଙ୍କିଠାରୁ ଦୂରରେ ରହିବ। କେବଳ ସେତିକି ନୁହେଁ, ଅତି ସମ୍ବେଦନଶୀଳ ସ୍ଥାନମାନଙ୍କରୁ ପେଟ୍ରୋଲ ପମ୍ପଗୁଡ଼ିକୁ ହଟାଯିବ।

ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ଭୟଙ୍କର ବିସ୍ଫୋରଣ ପରେ ରାଜ୍ୟ ସରକାର ତୈଳକଂପାନିମାନଙ୍କ ସାମ୍ନାରେ ଏଭଳି କଠୋର ଆଭିମୁଖ୍ୟ ରଖିଛନ୍ତି। ନିକଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି କିଛି କଥା କଠୋର ଶଦ୍ଦରେ ତୈଳ କଂପାନିମାନଙ୍କୁ ସରକାରଙ୍କ ପକ୍ଷରୁ ଶୁଣାଇ ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ଦୁର୍ଘଟଣା ପରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆଉ ଦୁଇପାଦ ଆଗକୁ ଯିବା ଲାଗି ବାଟ ଖୋଲିଛନ୍ତି। ରାସାୟନିକ, ପେଟ୍ରୋଲ ବା ଗ୍ୟାସ୍‌ ଜନିତ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ଲାଗି ସରକାରୀ ତନାଘନା ଓ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଏହି ଭୟଙ୍କର ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଅଳ୍ପକେ ଭୁବନେଶ୍ବର ବର୍ତିଯାଇଛି। ଅନ୍ୟଥା ନିକଟରେ ଥିବା ଗ୍ୟାସ ଓ ପଟ୍ରୋଲକୁ ନିଆଁ ଛୁଇଁଥିଲେ ଏହା ଦୁର୍ଘଟଣାର ଭୟାବହତାକୁ ବହୁଗୁଣିତ କରିଥାନ୍ତା। ଏହି ଘଟଣାଟି ସରକାରଙ୍କୁ ବିଚଳିତ କରିଛି। ବିଶେଷକରି ଦୁର୍ଘଟଣାସ୍ଥଳ ନିକଟରେ ରାଜଭବନ ରହିଛି ଓ ଏହା ଏକ ଜନଗହଳି ତଥା ଭିଭିଆଇପି ଅଞ୍ଚଳ ଭାବେ ଜଣାଶୁଣା ହୋଇଥିବା ପରିପ୍ରେକ୍ଷୀରେ ସରକାର ଏହି ଦୁର୍ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ ଏହି ଗୋଟିଏ ପେଟ୍ରୋଲ ଟାଙ୍କି ନୁହେଁ, ସଚିବାଳୟ ପଛପାଖରେ ମଧ୍ୟ ପେଟ୍ରୋଲ ପମ୍ପ ରହିଛି। ଏହାର ଚାରିପାଖରେ ବିପର୍ଯ୍ୟୟ ପରିଚାଳନା ବିଭାଗ, ୩୩କେଭି ବିଦ୍ୟୁତ ଲାଇନ୍, ରାଜୀବ ଭବନ, ନ’ତାଲା, ପୁଲିସ ବିଭାଗର ଦୁଇଟି ବଡ଼ କାର୍ଯ୍ୟାଳୟ ଆଦି ରହିଛି। ୨ନମ୍ବର ମାର୍କେଟ୍‌ ବିଲ୍‌ଡିଂ ନିକଟରେ ସ୍ଥିତି ତା ଚାହିଁ ତଦ୍ରୂପ। ଦୈନିକ ହଜାର ହଜାର ଲୋକଙ୍କର ଏଠାରେ ସମାଗମ ହେଉଛି। ଅତୀତରେ ଜନଗହଳି ନ ଥିବା ସ୍ଥାନଗୁଡିକ ଯେଉଁଠାରେ ପେଟ୍ରୋଲ ପମ୍ପ ଥିଲା, ସେସବୁ ଏବେ ଲୋକାରଣ୍ୟ ହୋଇଗଲାଣି ଓ ଏକାଧିକ ପ୍ରତିଷ୍ଠାନ ବା ସଂସ୍ଥା ଏହାର ଚାରିପାଖରେ ଗଢ଼ିଉଠିଛି।

Magicpin

ଏଣୁ ପେଟ୍ରୋଲ ପମ୍ପ ବା ଗ୍ୟାସ୍‌ ଟାଙ୍କି ଆଦି କାରଣରୁ ଭବିଷ୍ୟତରେ ଯେଭଳି କୌଣସି ଅଭାବନୀୟ ପରିସ୍ଥିତି ସୃଷ୍ଟି ନ ହୁଏ, ସେ ନେଇ ମୁଖ୍ୟମନ୍ତ୍ରୀ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ନିର୍ଦେଶ ଦେଇଛନ୍ତି। ମୁଖ୍ୟଶାସନ ସଚିବଙ୍କ ନିର୍ଦେଶ କ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜରୁରୀ ବୈଠକମାନ ଡାକି ଏ ସଂପର୍କରେ ବିଚାର ଆଲୋଚନା ଆରମ୍ଭ କରିଦେଇଥିବା ଖବର ଆସିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଗାଣ ସଚିବ ତୈଳ କଂପାନିଙ୍କ ସହିତ ଏକ ବୈଠକ ନେଇଛନ୍ତି। ଯେଉଁଥିରେ ସରକାର ବିପର୍ଯ୍ୟୟ ଦୃଷ୍ଟି କୋଣରୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନାଙ୍କୁ ଯୋଗଦେବାକୁ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ଜନଗହଳି ଓ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ପେଟ୍ରୋଲ ପମ୍ପ ହଟାଇ ନେବା ଲାଗି ସରକାରଙ୍କ ସ୍ପଷ୍ଟ ନିର୍ଦେଶ ସଂପର୍କରେ ସୂଚାଇ ଦିଆଯାଇଛି। ଭୁବନେଶ୍ବର କିମ୍ବା ରାଜ୍ୟର କୌଣସି ପେଟ୍ରୋଲ ପମ୍ପରେ ଏଲ୍‌ପିଜି ଟାଙ୍କିକୁ ତୈଳ କଂପାନି ଆଉ ରଖିପାରିବେ ନାହିଁ ବୋଲି ଜଣାଇ ଦିଆଯାଇଛି। ଏବେ କେବଳ ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ଏଲ୍‌ପିଜି ବ୍ୟବସ୍ଥା ରହିଥିଲା।

ସେହିଭଳି ପେଟ୍ରୋଲ ଟାଙ୍କି ସହିତ ସିଏନ୍‌ଜି ରଖିବା ପ୍ରସଙ୍ଗକୁ ମଧ୍ୟ ସରକାର ଗମ୍ଭୀରତାର ସହିତ ନେଇ ଏଥିପାଇଁ ପୃଥକ୍ ଟାଙ୍କି କରିବା ଲାଗି ତୈଳ କଂପାନିଙ୍କୁ ଜଣାଇଛନ୍ତି। ଦିଲ୍ଲୀ, ମୁମ୍ବାଇ ଆଦି ପ୍ରାୟ ସବୁ ସହରରେ ଉଭୟ ପେଟ୍ରୋଲ, ଡିଜେଲ ସହିତ ସିଏନ୍‌ଜି ଗ୍ୟାସ ରହିଥିବା ସଂପର୍କରେ ତୈଳ କଂପାନିମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସିଠାରେ ଏଯାଏ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଜଣାଇଥିଲେ। ହେଲେ ରାଜ୍ୟ ସରକାର କିନ୍ତୁ ଏ ସଂକ୍ରାନ୍ତରେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ସହିତ ଏ ସଂକ୍ରାନ୍ତରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ଲାଗି ତୈଳ କଂପାନିଠାରୁ ଆଶା ରଖିଥିବା ସୂଚନା ମିଳିଛି।

ଏପଟେ ରସାୟନିକ ବିପର୍ଯ୍ୟୟ ଓ ଗ୍ୟାସ ଜନିତ ଦୁର୍ଘଟଣା ମୁକାବିଲା ଲାଗି ଓଡ଼ିଶାର ଆବଶ୍ୟକ ପ୍ରସ୍ତୁତି ନଥିବା ପ୍ରସଙ୍ଗକୁ ମଧ୍ୟ ଅନୁରୂପ ଭାବେ ଗୁରୁତ୍ବ ଦିଆଯାଇଛି। ୭ ତାରିଖର ଦୁର୍ଘଟଣାରେ ବିମାନବନ୍ଦରର ଅଗ୍ନି ନିର୍ବାପନ ଗାଡିକୁ ବ୍ୟବହାର କରାଯାଇଥିଲା। ମାତ୍ର ଏହାକୁ ବାରମ୍ବାର ଆଣିବା ବା ଅନ୍ୟ ସ୍ଥାନକୁ ପଠାଇବା ସମ୍ଭବ ନୁହେଁ। ଏଣୁ ସରକାର ନିଜସ୍ବ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ବି ସ୍ବତନ୍ତ୍ର ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର