ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପକୁ ସିଲ୍ କରାଗଲା

ଭୁବନେଶ୍ବର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ ଘଟଣାରେ ଆଜି ଉକ୍ତ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଥିବାର ଖବର ମିଳିଛି। ଆଇଓସିଲ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ ଘଟିବା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଏଲପିଜି ଟାଙ୍କି ଫାଟିବାରୁ ଏହି ବିସ୍ଫୋରଣ ଘଟିଲା ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ।

ସୂଚନା ଅନୁସାରେ, ପ୍ରାୟ ଦିନ ଗୋଟାଏ ବେଳେ ଉକ୍ତ ପେଟ୍ରୋଲ୍ ଟାଙ୍କିରେ ଏକ ଟ୍ରକରୁ ଏଲପିଜି ସିଲିଣ୍ଡର ଓହ୍ଲା ଯାଉଥିଲା। ଏହି ସମୟରେ ଏକ ବିରାଟ ଶବ୍ଦ ହୋଇ ବିସ୍ଫୋରଣ ଘଟିଥିଲା। ତା’ପରେ ନିଆଁ ଭୟଙ୍କର ଭାବେ ବହୁ ଉଚ୍ଚକୁ ଉଠି ଜଳୁଥିବା ଦେଖାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ । ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରିଉଠିଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ । ଟାଙ୍କିରେ କାମ କରୁଥିବା ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ନିକଟରେ ଥିବା କେତେକ ଘରର କାଚ ଝରକା ଭାଙ୍ଗି ଯାଇଥିଲା। ଏଥିରେ କିଛି ଲୋକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଟେକ୍ନିସିଆନ୍ ସତ୍ୟ ନାୟକଙ୍କର ମୃତ୍ୟୁ ହୋଇଥିଲା। ଏକାଧିକ ମୃତ୍ୟୁ ହୋଇଥିବା ସନ୍ଦେହରେ ଖୋଳତାଡ଼ ଜାରି ରଖିଛି ପୁଲିସ।

ସମ୍ବନ୍ଧିତ ଖବର