ଭୁବନେଶ୍ବର: ତେଲ ଦରରେ ଲାଗୁନି ବ୍ରେକ୍ । ଦିନକୁ ଦିନ ବଢୁଛି ପେଟ୍ରୋଲ-ଡିଜେଲ ଦର । ଗତ ଦୁଇଦିନ ଧରି ତୈଳ ଦର ସ୍ଥିର ରହିବା ପରେ ଆଜି ପୁଣି ବଢିଛି ତୈଳ ଦର । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି । ମାଲକାନଗିରିର କାଲିମେଳାରେ ପେଟ୍ରୋଲ ଦର ୧୧୫ ଟଙ୍କା ୫୨ ପଇସାରେ ପହଞ୍ଚିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୯୦ ପଇସା ଥିବା ବେଳେ କଟକରେ ପେଟ୍ରୋଲ ଦର ୧୦୯ଟଙ୍କା ୨୫ ପଇସା ରହିଛି।
ଏହାରି ମଧ୍ୟରେ ଅନେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଗଲାଣି, ଯାହା ଗରିବ ଏବଂ ମଧ୍ୟବିତ ଲୋକଙ୍କ ପକେଟ ଉପରେ ବଡ଼ ପ୍ରଭାବ ପକାଉଛି । ଗତ କିଛିଦିନ ତଳେ ଡିଜେଲ ଦର ବୃଦ୍ଧି କାରଣରୁ ବସ୍ ଭଡାକୁ ବୃଦ୍ଧି କରାଯାଇଥିଲା । ଯଦି ଏହିଭଳି ଭାବେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବ ତେବେ ପୁଣି ବସ ଭଡା ବଢିବ । କମ୍ ଟଙ୍କା ରୋଜଗାର କରୁଥିବା ସାଧାରଣ ଲୋକେ ଯେଉଁମାନେ ବସରେ ଯାତାୟତ କରୁଛନ୍ତି, ସେମାନଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିବ ନିଶ୍ଚୟ।
ତେବେ ତେଲ ଦର ବଢିବା ଦ୍ୱାରା ଟ୍ରାନ୍ସପୋର୍ଟିଂ ଚାର୍ଜ ବଢୁଛି, ଯାହାଫଳରେ ଅନ୍ୟାନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଛି । ପରିବା ମାର୍କେଟରେ ୬୦ କିମ୍ବା ୭୦ ଟଙ୍କା ତଳକୁ କୌଣସି ପରିବା ମିଳୁ ନାହିଁ । ଯେଉଁଠାରେ ୫ଶହ ଟଙ୍କାର ପରିବା କିଣିଲେ ଦୁଇ କିମ୍ବା ୩ଟି ବ୍ୟାଗ୍ ପୁରିଯାଉଥିଲା, ଏବେ ୫ଶହ ଟଙ୍କାରେ ଅଧା ବ୍ୟାଗ୍ ବି ପୁରୁନାହିଁ, ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଲୋକେ । ତେଣୁ ଏହି ଦର ବୃଦ୍ଧି ଉପରେ ସରକାରଙ୍କୁ ନଜର ଦେବା ନିହାତି ଆବଶ୍ୟକ ହୋଇପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-237.jpg)