ଜେଇଇ ଢାଞ୍ଚାରେ ପିଜି ନାମଲେଖା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଜି(ସ୍ନାତ କୋତ୍ତର) ପାଠ୍ୟକ୍ରମରେ ନାମଲେଖା ଲାଗି ଆଉ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ହେବ ନାହିଁ। ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପଦ୍ଧତିରେ ପରିବର୍ତ୍ତନ କରାଯିବ। କିନ୍ତୁ କେଉଁ ପଦ୍ଧତିରେ ନା‌ମଲେଖା ହେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନଥିଲେ ମଧ୍ୟ ସର୍ବଭାରତୀୟସ୍ତରରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେଉଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଢାଞ୍ଚାରେ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ସରକାରୀ ବିଶ୍ବବିଦ୍ୟାଳୟର ୩ଜଣ କୁଳପତିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ରିପୋର୍ଟ ଆଧାରରେ ପିଜି ନାମଲେଖା ଢାଞ୍ଚା ପ୍ରସ୍ତୁତ ହେବ ବୋଲି ଗତ ମାସରେ ପୁରୀରେ ଅନୁଷ୍ଠିତ କୁଳପତିମାନଙ୍କ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। କିନ୍ତୁ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇ ନଥିବା ଜଣାପଡ଼ିଛି।

ସେପଟେ ତିନି ପର୍ଯ୍ୟାୟରେ ନାମଲେଖା ସରିଲାଣି। ତଥାପି ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପିଜି(ସ୍ନାତ କୋତ୍ତର) ପାଠ୍ୟକ୍ରମ ସିଟ୍‌ ପୂରଣ ହେଉନି। କେଉଁ ବିଭାଗରେ ୪ଟି ତ ଆଉ କେଉଁଠି ୧୩ଟି ସିଟ୍‌ ଖାଲି ପଡ଼ିଛି। ଏମିତି କିଛି ପାଠ୍ୟକ୍ରମ ରହିଛି, ଯାହାର ଅଧାରୁ ଅଧିକ ସିଟ୍‌ରେ କେହି ନାମ ଲେଖାଇନାହାନ୍ତି। ତା’ ମାନେ ନୁହେଁ ଯେ ପିଲା ନାମ ଲେଖାଇବାକୁ ଆଗ୍ରହ ଦେଖାଉନାହାନ୍ତି, ବରଂ ନାମଲେଖା ଲାଗି ଶତାଧିକ ଆଶାୟୀ ଛାତ୍ରଛାତ୍ରୀ ଚାତକ ପରି ଅନେଇ ରହିଛନ୍ତି।

୩ କୁଳପତିଙ୍କୁ ନେଇ କମିଟି ଗଢ଼ିଲା ଉଚ୍ଚଶିକ୍ଷା ବିଭାଗ
ଏକକ ପିଜି ନାମଲେଖାରେ ଘାଣ୍ଟି ହେଉଛନ୍ତି ପିଲା
୪ମାସ ବିତିଲାଣି, ପୂରଣ ହେଉନି ସିଟ୍‌
ଧାର୍ଯ୍ୟ ସମୟ ପୂର୍ବରୁ ପାଠପଢ଼ା, ଚିନ୍ତାରେ ଛାତ୍ରଛାତ୍ରୀ

ମାତ୍ର ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଯେଉଁଠି ପଢ଼ିବାକୁ ପିଲାଙ୍କ ଆଗ୍ରହ ରହିଛି, ସେଠାରେ ସିଟ୍‌ ମିଳି ନାହିଁ। ଉତ୍କଳରେ ପଢ଼ିବାକୁ ‌ଯୋଗ୍ୟତା ଥିବା ଛାତ୍ରଛାତ୍ରୀଙ୍କୁ ଗଙ୍ଗାଧର ମେହେରରେ ସିଟ୍‌ ମିଳିଛି। ଆଉ କେଉଁଠି କମ୍‌ ଯୋଗ୍ୟତା ଛାତ୍ରଛାତ୍ରୀଙ୍କୁ ରେଭେନ୍ସାରେ ସୁଯୋଗ ଦିଆଯାଇଛି। ମାଗଣା ଶିକ୍ଷା ଗ୍ରହଣ କରିବାକୁ ଯୋଗ୍ୟ ଥିବା ଗରିବ ମେଧାବୀ ପିଲାଙ୍କୁ ସେଲ୍ଫ ଫାଇନାନ୍ସରେ ସିଟ୍‌ ମିଳିଛି। ପିଲାମାନେ ବି ବାଧ୍ୟ ହୋଇ ପ୍ରଚୁର ଅର୍ଥ ଖର୍ଚ୍ଚ କରି ନାମ ଲେଖାଇଛନ୍ତି। କେବଳ ଉତ୍କଳରେ ଯେ ଏଭଳି ସମସ୍ୟା ହୋଇଛି ତାହା ନୁହେଁ, ବରଂ ଏକକ ପିଜି ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଥିବା ୭୭ଟି ଶିକ୍ଷାନୁଷ୍ଠାନରେ ସିଟ୍‌ ଖାଲି ପଡ଼ିଛି। କେତେକ ବିଶ୍ବବିଦ୍ୟାଳୟରେ ତ ଶତାଧିକ ସିଟ୍‌ ଖାଲି ପଡ଼ିଛି। ଯେଉଁଥିପାଇଁ ଏବେ ପୁଣିଥରେ ନାମଲେଖା ପ୍ରକ୍ରୟା ଚାଲିଛି। ଯାହାକି ଆସନ୍ତା ୨୧ ତାରିଖ ମଧ୍ୟରେ ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ କୁହାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ୪ ମାସ ହେଲା ପ୍ରକ୍ରିୟା ଚାଲିଛି। ଗତ ଅଗଷ୍ଟ ୧୨ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସ୍ନାତକ ତଥା ଯୁକ୍ତ ୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିଲେ ମଧ୍ୟ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଲାଗି ଆବେଦନ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ସାରା ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୧୦ ପର୍ଯ୍ୟନ୍ତ ଆବେଦନକାରୀ ଗ୍ରାଜୁଏସନ(ସ୍ନାତକ) ମାର୍କ ଦାଖଲ କରିବାକୁ ସୁଯୋଗ ଦିଆଯାଇଥିଲା। ୨୫ଅକ୍ଟୋବରରେ ମେଧା ତାଲିକା ପ୍ରକାଶ ପାଇଥିଲା। ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ ଏବଂ ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା। ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ କୌଣସି କାର୍ଯ୍ୟ ହେଉ ନଥିବାରୁ ବିଭାଗ ପକ୍ଷରୁ ବାରମ୍ବାର ସମୟ ପରିବର୍ତ୍ତନ କରିବାକୁ ପଡ଼ିଛି। ଡିସେମ୍ବର ପହିଲାରୁ ପାଠପଢ଼ା ଆରମ୍ଭ କରିବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ କେତେକ ଶିକ୍ଷାନୁଷ୍ଠାନରେ ଆଗୁଆ ପାଠପଢ଼ା ଆରମ୍ଭ ହୋଇଥିବାରୁ ନାମ ଲେଖା ଅପେକ୍ଷାରେ ଥିବା ଛାତ୍ରଛାତ୍ରୀ ଚିନ୍ତାରେ।

ସେହିପରି ପିଲାମାନେ ନାମ ଲେଖାଇବା ପରେ ଅକ୍ଟୋବର ୨୦ରୁ ନଭେମ୍ବର ୧୭ ଭିତରେ ଫି’ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ତା’ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ସ୍ଲାଇଡ୍‌-ଅଫ୍‌ ସମ୍ଭାବନାରେ ପାଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିଲେ ମଧ୍ୟ ଏବେ ସୁଦ୍ଧା ଫି’ ଦାଖଲ କରିନାହାନ୍ତି। ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। କେଉଁ ପିଲା ଶିକ୍ଷାନୁଷ୍ଠାନରେ ରହିବେ, କିଏ ଯିବେ, ସେନେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଜାଣିପାରୁ ନାହାନ୍ତି କି ବିହିତ ପଦକ୍ଷେପ ନେଉନାହାନ୍ତି।

ସମ୍ବନ୍ଧିତ ଖବର