ଏସ୍‌ସିବି ପିଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : ଏସ୍‌ସିବି ମେଡିକାଲ୍‌ରେ କାର୍ଯ୍ୟରତ ପିଜି ଡାକ୍ତରମାନେ ସୋମବାର ଅପରାହ୍ନଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପିଜି ଡାକ୍ତରମାନେ ଅପରାହ୍ନରେ କାଜୁଆଲ୍‌ଟି ନିକଟରେ ବିକ୍ଷୋଭ କରିବା ପରେ କାର୍ଯ୍ୟବନ୍ଦ ନେଇ ଘୋଷଣା କରିଥିଲେ। ୟୁରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବିରୋଧରେ ୧୨ଜଣ ଏମ୍‌ସିଏଚ୍‌ ଡାକ୍ତରୀ ଛାତ୍ର ସଙ୍ଗୀନ ଅଭିଯୋଗ ଆଣିଥିଲେ। ହେଲେ ଘଟଣାକୁ ୫ଦିନରୁ ଅଧିକ ସମୟ ବିତିଯାଇଥିଲେ ବି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି। ତେଣୁ ସାଧାରଣ ପରିଷଦ ବୈଠକ ପରେ ପିଜି ଡାକ୍ତରମାନେ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଏହି ଘଟଣା ଉପରେ ଡାକ୍ତର ହୋତା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲା ବେଳେ ଓଡ଼ିଶା ମେଡିକାଲ୍‌ ଶିକ୍ଷକ ସଂଘ (ଓମ୍‌ଟା) ପକ୍ଷରୁ ମଙ୍ଗଳବାର କାର୍ଯ୍ୟନିର୍ବାହୀ ସମିତି ବୈଠକ ଡକାଯାଇଛି। ପୂର୍ବରୁ ପ୍ରାୟ ୪/୫ ଥର ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ବିରୋଧରେ ଏ ପ୍ରକାର ଅଭିଯୋଗ କରିଛନ୍ତି। ପରୀକ୍ଷା ପୂର୍ବରୁ ଏଭଳି ଅଭିଯୋଗ ଆସୁଥିବା ଦେଖା ଯାଉଛି। ତେଣୁ ଭବିଷ୍ୟତରେ କିପରି ଏସବୁ ଘଟଣାକୁ ପ୍ରତିହତ କରାଯାଇପାରିବ ସେ ସଂପର୍କରେ ମଙ୍ଗଳବାର ଆଲୋଚନା କରାଯିବ ବୋଲି ଓମ୍‌ଟାର ସମ୍ପାଦକ ଡାକ୍ତର ବିଭୂତି ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର