ଫାଇଲିନ୍ ଉଡ଼ାଇ ନେଇଥିଲା ଘର : ବୁଢୀ ମା’ ମାଳର ବସା ପାଲଟିଛି ବିଦ୍ୟାଳୟ ପିଣ୍ଡା, ମାନସିକ ରୋଗଗ୍ରସ୍ତ ପୁଅ ସହ ବିତୁଛି ଦୁର୍ବିସହ ଜୀବନ
ଜଗନ୍ନାଥପ୍ରସାଦ : ୬ ବର୍ଷ ତଳେ ଫାଇଲିନ୍ ମହାବାତ୍ୟା ଘର ଉଡ଼ାଇ ନେଇଥିଲା। ଦୁଃଖ ଶୁଣି ସରକାରୀ ସହାୟତା ଦେବା ତ ଦୂରର କଥା, ଆହା ପଦେ ବି କହିବାକୁ ନା ସରକାରୀ ବାବୁ ନା ଜନପ୍ରତିନିଧି କାହାରି ବି ଦେଖା ମିଳି ନଥିଲା। ଝାଟିମାଟିର ଘର ଖଣ୍ଡିଏ ଭାଙ୍ଗିଯିବା ପରେ ୭୦ ବର୍ଷୀୟା ଆଦିବାସୀ ବୃଦ୍ଧା ମାଳକୁ ବୁଦ୍ଧିବାଟ ନ ଦିଶିବାରୁ ମାନସିକ ରୋଗଗ୍ରସ୍ତ ପୁଅ ସହ ବିଦ୍ୟାଳୟ ପିଣ୍ଡାରେ ସେମିତି ବେସାହାରା ହୋଇ ପଡ଼ି ରହିଥିଲେ। ସ୍ଥାନୀୟ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଓ ସରପଞ୍ଚ ଏହା ଜାଣିବା ପରେ ବିଡ଼ିଓଙ୍କୁ ଅବଗତ କରିଥିଲେ। ଯଥା ଶୀଘ୍ର ମାଳଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ବ୍ୟବସ୍ଥା କରି ଦିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଗତ ଫେବ୍ରୁଆରି ମାସରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହି ପ୍ରତିଶ୍ରୁତି ଆଜି ସୁଦ୍ଧା କେବଳ ପାଣିର ଗାର ହୋଇ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫାଇଲିନ ବାତ୍ୟାକୁ ୬ ବର୍ଷ ବିତିସାରିଛି। କ୍ଷତିଗ୍ରସ୍ତମାନଙ୍କୁ ସରକାରୀ ସହାୟତା ମିଳିବା ପରେ ସଭିଏଁ ନିଜର ଅଣ୍ଟା ସଳଖିଛନ୍ତି। ହେଲେ ମାଳ ପ୍ରଧାନଙ୍କ ଭାଗ୍ୟ ଆଜି ବି ବଦଳିନି। ଗୋଟିଏ ପଟେ ତାଙ୍କ କ୍ଷତି ଭରଣା ହୋଇ ନଥିବା ବେଳେ ଅନ୍ୟପଟେ ମାନସିକ ରୋଗୀ ଭେଣ୍ଡିଆ ପୁଅ ପାଇଁ ବି ଚିନ୍ତା ବଢ଼ିବାରେ ଲାଗିଛି। ମାଳଙ୍କୁ ଆଖିକୁ ବି ଭଲ ଭାବେ ଦିଶୁ ନ ଥିବା ବେଳେ ଅଣ୍ଟା ନଇଁ ଗଲାଣି। ଏହା ପୂର୍ବରୁ ସ୍ବାମୀ ଆସନ ଓ ମାନସିକ ରୋଗାଗ୍ରସ୍ତ ପୁଅ ସହ ମାଳ ଏକ କୁଡ଼ିଆରେ ରହୁଥିଲେ। ଆସନଙ୍କ ନାମରେ ୨୦୦୯-୧୦ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ଯୋଜନାରେ ୩୫ହଜାର ଟଙ୍କା କାର୍ଯ୍ୟାଦେଶ ମିଳିଥିଲା। ପାଞ୍ଚ ହଜାର ଟଙ୍କା ଅଗ୍ରୀମ ଉଠାଇ ଆସନ ଘରର ପୁନାଦ ପକାଇଥିଲେ। ହେଲେ ଘର କାମ ଆରମ୍ଭ ହେବା ପୂର୍ବରୁ ଆସନ ଅସୁସ୍ଥ ହେବାରୁ ସରକାରୀ ଟଙ୍କାରୁ ୧୦ହଜାର ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରିଥିଲେ। ଆଠ ବର୍ଷ ତଳେ ତାଙ୍କର ପରଲୋକ ଘଟିଲା। ଏହା ପରେ ମାଳ ଓ ପୁଅ ବେସାହାରା ପାଲଟିବା ସହ ସେହି ଅଧାପନ୍ତରିଆ କୁଡ଼ିଆ ଘରେ କଷ୍ଟେମଷ୍ଟେ ରହୁଥିଲେ। ୨୦୧୩ ମସିହା ଫାଇଲିନରେ କୁଡ଼ିଆ ସଂପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିଲା। ଏହାପରଠୁ ମାଳ ଓ ତାଙ୍କ ମାନସିକ ରୋଗାଗ୍ରସ୍ତ ପୁଅର ଠିକଣା ପାଲଟିଛି କ୍ରିୟାଧର ପ୍ରାଥମିକ ବିଦ୍ୟାଳୟ ପିଣ୍ଡା। ସରକାରଙ୍କ ୧୦ କେଜି ଚାଉଳ ଓ ୫ଶହ ଟଙ୍କା ଭତ୍ତାରେ ପ୍ରତିପୋଷଣ ହେଉଛି। ଏହାସହ ମାଳ ଖଜୁରୀ ପଟି ଓ ଖଲି ସିଲେଇ କରି ବିକିଲେ ପୁଅ ପାଇଁ ଔଷଧ କିଣାଯାଉଛି।
ମାଳଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ବିଡିଓଙ୍କ ନିର୍ଦ୍ଦେଶରେ ପିଇଓ ଓ ଗ୍ରାମ ରୋଜଗାର ସେବକ ଗତବର୍ଷ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଡିଓଙ୍କୁ ରିପୋର୍ଟ ଦିଆଯିବା ପରେ ପଞ୍ଚାୟତ ଅଫିସକୁ ମାଳଙ୍କୁ ଡାକି ଟିପ ଚିହ୍ନ ନିଆଯାଇଥିଲା। ଫଳରେ ପକ୍କା ଘର ଖଣ୍ଡିଏ ପାଇବାକୁ ମାଳ ଆଶା ବାନ୍ଧିଥିଲେ। କିନ୍ତୁ ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏପଟେ ଛଅ ବର୍ଷ ଧରି ବିଦ୍ୟାଳୟ ପିଣ୍ଡାରେ ଆଶ୍ରୟ ନେଉଥିବା ମାଳ ପାଇଁ ପ୍ରଧାନଶିକ୍ଷକ ବଳଭଦ୍ର ବେହେରା ଚିନ୍ତା ପ୍ରକଟ କରିଛନ୍ତି। ଅଘଟଣ ପୂର୍ବରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।