ପଶ୍ଚିମ ଓଡ଼ିଶାର ୨୨ ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: କୋଲାବିରାରେ ସର୍ବାଧିକ ୮୭.୬୯ ଓ ପୁଇଁତଲାରେ ସର୍ବନିମ୍ନ ୬୫.୭୬ ପ୍ରତିଶତ

ସମ୍ବଲପୁର : ପଂଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୨୨ଟି ବ୍ଲକରେ ମତଦାନ ହୋଇଛି। ସମ୍ବଲପୁର ଜିଲ୍ଲାର ମାନେଶ୍ବର ଓ ନାକଟିଦେଉଳ, ବରଗଡ଼ ଜିଲ୍ଲାର ଗାଇସିଲେଟ, ଅତାବିରା ଓ ପଦ୍ମପୁର, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ଆଗଲପୁର ଓ ପୁଇଁତଲା, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା, ନର୍ଲା ଓ ମ.ରାମପୁର, ନୂଆପଡ଼ା ଜିଲ୍ଲାର କୋମନା, ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଓ ବିନିକା, ବୌଦ୍ଧ ଜିଲ୍ଲା ସଦର ବ୍ଲକ ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, କେଲାବିରା, ଦେବଗଡ଼ ଜିଲ୍ଲାର ବାରକୋଟ ଏବଂ ସୁନ୍ଦରଗଡ଼ ଜିଲ୍ଲାର ସବଡେଗା, କୁତ୍ରା, ନୂଆଗାଁ ଓ ବିଶ୍ରା ବ୍ଲକ ଅଂଚଳର ଭୋଟର ତାଙ୍କର ମତ ସାବ୍ୟସ୍ତ କରିଛନ୍ତି।

ତେବେ, ସମ୍ପୃକ୍ତ ବ୍ଲକରେ ଏହି ଦ୍ବିତୀୟ ପର୍ଯ୍ୟାୟର ମତଦାନ ସୁରୁଖୁରୁରେ ହୋଇଥିବାବେଳେ କେତେକ ସ୍ଥାନରେ ଉତ୍ତେଜନା ଉପୁଜିଛି।
ବରଗଡ଼ ଜିଲ୍ଲାର ଅତାବିରା ବ୍ଲକର ଖରମୁଣ୍ଡାରେ ତାଲିକାରେ ଭୋଟରଙ୍କ ନାମ ନଥିବାରୁ ଦୁଇଟି ବୁଥରେ ମତଦାନ ଆଦୌ ହୋଇନାହିଁ। ଏଠାରେ ସାନି ଭୋଟ ଦାବିରେ ଧାରଣା ଦିଆଯାଇଥିଲା। ଏପରିକି ପୋଲିଂ ପାର୍ଟିକୁ ସଂଧ୍ୟା ଯାଏ ଅଟକ ରଖାଯାଇଥିଲା। ସେହିପରି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ପଞ୍ଚାୟତ ଚଉରିଆପଦର ଗ୍ରାମର ମତଦାନ କେନ୍ଦ୍ରରେ ମତଦାନ ଚାଲିଥିବା ବେଳେ ବୁଥକୁ କ୍ୟାପଚରିଂ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା। ମନମୁଣ୍ଡା ପୁଲିସ ଓ ବୌଦ୍ଧ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ସେଠାରେ ପହଞ୍ଚି ଏହି ଉଦ୍ୟମକୁ ଦମନ କରିବାକୁ ଚେଷ୍ଟା କରୁଥିଲେ। କେତେକ ଲୋକ ଏସ୍‌ଡିପିଓ ଶ୍ରୀ ଗୁରୁଙ୍କୁ ଅଟକ ରଖିଥିଲେ। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଚଉରିଆପଦର ବୁଥରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଅଟକ ଏସ୍‌ଡିପିଓ ଶ୍ରୀ ଗୁରୁଙ୍କୁ ଉଦ୍ଧାର କରିଥିଲେ।

ନୂଆପଡ଼ା ଜିଲ୍ଲା କୋମନା କୋମନା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। ୧ ନଂ ଜିଲ୍ଲପରିଷଦ ଜୋନ୍‌ ଆଗ୍ରେନ ପଞ୍ଚାୟତ ୮ନଂ ବୁଥ୍‌ରେ ଜଣେ ବ୍ୟକ୍ତି ଭୋଟଦାନ କେନ୍ଦ୍ରକୁ ଆସି ମତଦାନ କରିବା ପରେ ନିଜେ ମତଦାନ କରିଥିବା ବାଲାଟ୍‌ ପେପରକୁ ଫାଡ଼ି ଦେଇଥିଲେ। ସେହିପରି ୨ନଂ ଜିଲ୍ଲା ପରିଷଦ ଜୋନ୍‌ ମୁଣ୍ତାପଲା ପଞ୍ଚାୟତ ସୁଆବାହାଲ ଗାଁର ବୁଥ୍‌ରେ ଦାୟିତ୍ବରେ ଥିବା ବୁଥ୍‌ ୩ ଜଣ ଏଜେଣ୍ଟଙ୍କୁ ଅପହରଣ କରି ପରେ ଛାଡ଼ି ଦିଆଯାଇଛି। ଏହି ଘଟଣାରେ ପୁଲିସ ତରଫରୁ ତଦନ୍ତ ଆରମ୍ଭ ହୋଇଛି। ସେହିଭଳି ୩ନଂ ଜିଲ୍ଲା ପରିଷଦ ଜୋନ୍‌ ପଏଁର ପଞ୍ଚାୟତର ୩ନଂ ବୁଥ୍‌ର ଭୋଟବାକ୍ସ ଏକ ଘରୋଇ ଗାଡ଼ିରେ ନେବା ସମୟରେ କର୍ମଚାରୀଙ୍କୁ ଗାଁ ଲୋକ ଅଟକ ରଖି ଉକ୍ତ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି।
ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ ଅନ୍ତର୍ଗତ କଠଉମାଲ୍ ଠାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସ‌ା ଘଟିଛି। ଜଣେ ମହିଳାଙ୍କୁ ମାଡ଼ ଘଟଣାକୁ ନେଇ ପୁଲିସ ଓ ଜନତା ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଭଂଗାରୁଜା କରିବା ସହ ଥାନାଧିକାରୀଙ୍କୁ ଆକ୍ରମଣ କରିଛନ୍ତି l ଆକ୍ରମଣରେ ଥାନାଧିକାରୀଙ୍କ ମୁଣ୍ଡ ଫାଟିଛି। ସ୍ଥିତି କାବୁ କରିବାକୁ ପୁଲିସ ମୃଦୁ ଲାଠିଚାର୍ଜ କରିଥିଲା।

ପଂଚାୟତ ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ମତଦାନ

ସମ୍ବଲପୁର ମାନେଶ୍ବର ୭୭.୭୩
ନାକଟିଦେଉଳ ୭୯.୦୬
ବରଗଡ଼ ଗାଇସିଲେଟ ୮୦.୫୧
ଅତାବିରା ୭୨.୪୯ ପଦ୍ମପୁର ୭୭.୧୪
ବଲାଙ୍ଗୀର ଲୋଇସିଂହା ୭୭.୬୩
ଆଗଲପୁର ୮୧.୫୫
ପୁଇଁତଲା ୬୫.୭୬
କଳହାଣ୍ଡି କର୍ଲାମୁଣ୍ଡା ୮୫.୭୧
ନର୍ଲା ୮୩.୦୨
ମ.ରାମପୁର ୮୨.୭୮
ନୂଅାପଡ଼ା କୋମନା ୭୭.୬୭
ସୁବର୍ଣ୍ଣପୁର ସୋନପୁର ୮୬.୭୩
ବିନିକା ୮୪.୭୩
ବୌଦ୍ଧ ବୌଦ୍ଧ ୮୪.୯୧
ଝାରସୁଗୁଡ଼ା ଲଖନପୁର ୮୨.୫୯
କୋଲାବିରା ୮୭.୬୯
ଦେବଗଡ଼ ବାରକୋଟ ୭୮.୩୪
ସୁନ୍ଦରଗଡ଼ ସବଡେଗା ୭୩.୯୦
କୁତ୍ରା ୭୧.୧୪
ନୂଆଗାଁ ୭୬.୫୧
ବିଶ୍ରା ୭୪.୯୬

ସମ୍ବନ୍ଧିତ ଖବର