ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଧୀନ ଗୋପୀମୋହନପୁର ଗ୍ରାମର ସ୍ବର୍ଗତ ଅନନ୍ତ ପରିଡ଼ା ଏବଂ ମାହେଶ୍ୱରୀ ପରିଡ଼ାଙ୍କ ପୁଅ ହେଉଛନ୍ତି ଫନୀନ୍ଦ୍ର ନାଥ ପରିଡ଼ା। ଫନୀନ୍ଦ୍ରଙ୍କ ଜନ୍ମ ୧୯୨୨ ମସିହା ଡିସେମ୍ବର ମାସ ୨୦ ତାରିଖରେ। ବୟସ ହେଲାଣି ୧୦୨ ବର୍ଷ।

Advertisment

ସ୍ଥାନୀୟ ଜମାଳପୁର ବିଶ୍ବନାଥ ଏକାଡେମୀରୁ ସେ ମାଟ୍ରିକ୍‌ ପାସ୍‌ କରିଥିଲେ। ମାଟ୍ରିକ୍‌ ପାସ୍‌ କରିବାର ୩ ବର୍ଷ ପରେ, ଅର୍ଥାତ୍; ୧୯୪୪ ମସିହାରେ ସେ ସେହି ହାଇସ୍କୁଲ୍‌ରେ ୪୦ ଟଙ୍କା ଦରମାରେ ଜଣେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୮୮ ମସିହାରେ ୧୪୪୦ ଟଙ୍କା ଦରମା ପାଉଥିବା ବେଳେ ଉକ୍ତ ସ୍କୁଲ୍‌ରୁ ସେ ଅବସର ନେଇଥିଲେ। ଚାରିପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ପୁଅ ହେଉଛନ୍ତି ଫନୀନ୍ଦ୍ର। ତାଙ୍କ ତଳ ଦୁଇଭାଇ ଆରପାରିକୁ ଚାଲିଗଲେଣି। ହେଲେ, ଏବେ ବି ଫନୀନ୍ଦ୍ର ସମ୍ପୂର୍ଣ୍ଣ ସୁସ୍ଥ ଓ ନିରାମୟ ଜୀବନ ବିତାଉଛନ୍ତି। ସେ ପ୍ରତିଦିନ ରାତି ସାଢ଼େ ୮ଟାରେ ବିଛଣାକୁ ଯାଉଥିବା ବେଳେ ଭୋର୍‌ ୪ଟାରେ ବିଛଣା ଛାଡ଼ିଥାନ୍ତି। ପରେ ଗାଁ ରାସ୍ତାରେ ଦେଢ଼ କିଲୋମିଟର ଚାଲିଥା’ନ୍ତି। ସେହିପରି ଘର ଅଗଣାରେ ଝାଡୁ ମାରିବା ତାଙ୍କର ତିନିଦିନିଆ କାମ।

publive-image

ସେ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତି। ଶୁକ୍ରବାରକୁ ଛାଡ଼ିଦେଲେ ପ୍ରତିଦିନ ଭାତ ସହ ମାଛ ଖାଆନ୍ତି। କୌଣସି କଥାକୁ ନେଇ ସେ କେବେ ଅଧିକ ଚିନ୍ତା କରନ୍ତି ନାହିଁ। ନାତିନାତୁଣୀ ଏବଂ ଅଣନାତି ଓ ଅଣନାତୁଣୀଙ୍କ ସହ ହସଖୁସିରେ ରହୁଛନ୍ତି। ନିଜର ଦୀର୍ଘ ଓ ନିରାମୟ ଜୀବନର ରହସ୍ୟ ବବାଦରେ ତାଙ୍କୁ ପଚରାଯାଇଥିଲା। ସେ ଏଥିପାଇଁ ଖୁସି ଓ ସନ୍ତୁଳିତ ଖାଦ୍ୟ ପ୍ରମୁଖ କାରଣ ବୋଲି କହିଛନ୍ତି। ଫନୀନ୍ଦ୍ର ଏମିତି ଖୁସିରେ ରହି ଦୀର୍ଘାୟୁ ହୁଅନ୍ତି, ‘ସମ୍ବାଦ’ ପକ୍ଷରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ସତ୍ୟବ୍ରତ ପ୍ରଧାନ