ପ୍ରମାଣ ଖୋଜୁଛି ଫାରୋ ଥ୍ରି-ଡି ସ୍କାନର୍: କ୍ରାଇମ୍‌ବ୍ରାଞ୍ଚ ହାତରେ ନବଙ୍କ ବ୍ୟବଚ୍ଛେଦ ରିପୋର୍ଟ

ବଦଳି ପାଇଁ କେବେ ଆବେଦନ କରିନଥିଲେ ଗୋପାଳ: ଆଇଜି

କଟକ: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଘଟଣା ସ୍ଥଳରୁ ଅଧିକ ତଥ୍ୟ ପ୍ରମାଣ ଖୋଜିବାରେ କ୍ରାଇମବ୍ରାଞ୍ଚ ବ୍ୟବହାର କରିଛି ଫାରୋ ଥ୍ରି-ଡି ସ୍କାନର୍। କ୍ରାଇମବ୍ରାଞ୍ଚ ଥ୍ରି-ଲେୟାର ଫର୍ମାଟ ମାଧ୍ୟମରେ ପ୍ରମାଣ ସଂଗ୍ରହ କରିଛି। ଏହି ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବ। ସବୁଠାରୁ ବଡ଼ କଥା ହେଲା, ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଆଜି ତଦନ୍ତକାରୀ ଅଧିକାରୀ ଯାଞ୍ଚ କରିଥିଲେ। ଏଥିରେ ଗୋପାଳଙ୍କ ଗତିବିଧି ଏବଂ ଘଟଣାକ୍ରମକୁ ଠାବ କରାଯିବାକୁ ଉଦ୍ୟମ କରାଯାଇଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଯେଉଁ କର୍ମୀ ଓ ସ୍ଥାନୀୟ ପୁଲିସ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ ମୋବାଇଲ୍ ଭିଡିଓ ଆଧାରରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଚିହ୍ନଟ କରିଛି। ସମସ୍ତଙ୍କୁ ପୃଥକ ଭାବେ ପଚରାଉଚରା ଆରମ୍ଭ କରିଦେଇଛି।

ସିସିଟିଭି, ମୋବାଇଲ୍‌ ଭିଡ଼ିଓ ଯାଞ୍ଚ
ଗୋପାଳଙ୍କ ଗତିବିଧିକୁ ରେକର୍ଡ କରାଗଲା
ବିଜେଡି କର୍ମୀ, ସ୍ଥାନୀୟ ପୁଲିସଙ୍କୁ ଜେରା ହେବ
ଗଠନ ହେଲା ଆଉ ଏକ ୮ ଜଣିଆ ଟିମ୍; ମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ

କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ବରେ ଏକ ଟିମ୍ ପୁଣି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏହି ଟିମ୍‌ ସହିତ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ୍ ବିଶେଷଜ୍ଞ ସାମିଲ ହୋଇଥିଲେ। ଯେଉଁ କାର୍‌ରେ ମନ୍ତ୍ରୀ ନବ ଦାସ ଆସିଥିଲେ, ସେହି କାରକୁ ଉଭୟ ସାଇଣ୍ଟିଫିକ୍ ଓ ବାଲାଷ୍ଟିକ୍ ବିଶେଷଜ୍ଞ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିଛନ୍ତି। ସେପଟେ କ୍ରାଇମବ୍ରାଞ୍ଚର ଆଉ ଏକ ୮ ଜଣିଆ ଟିମ୍ ଡିଏସପି ବାସୁଦେବ ଭୂୟାଁଙ୍କ ନେତୃତ୍ବରେ ଝାରସୁଗୁଡ଼ା ବ୍ରଜରାଜନଗର ଗସ୍ତ କରିଛି। ସେଠାରେ ପୂର୍ବରୁ ଥିବା ଡିଏସପି ଦୋରାଙ୍କୁ ଏହି ଟିମ୍ ସହଯୋଗ କରିବ। ଏହି ଟିମ୍ ଅଭିଯୁକ୍ତ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ଜେରା କରିବାକୁ ଯୋଜନା କରୁଥିବା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

କ୍ରାଇମ୍‌ବ୍ରାଞ୍ଚ ହାତରେ ନବଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆଜି କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି। ଡାକ୍ତର ଲକ୍ଷ୍ମୀକାନ୍ତ ବେହେରା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି। ନବଙ୍କ ଶରୀରର କେଉଁ କେଉଁ ସ୍ଥାନରେ ଓ କେତୋଟି ଗୁଳି ବାଜିଥିଲା, ଶରୀରରେ ଗୁଳି ଥିଲା କି ନାହିଁ, ଗୁଳି ବାଜିବାର କେତେ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା; ଏ ସଂପର୍କିତ ରିପୋର୍ଟକୁ ହସ୍ପିଟାଲ କର୍ତ୍ତୃପକ୍ଷ ଆଜି ପୋଷ୍ଟାଲ୍‌ ଯୋଗେ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟକୁ ପଠାଇଛନ୍ତି। କିନ୍ତୁ ଏହି ରିପୋର୍ଟରେ ନିର୍ଦିଷ୍ଟ କଣ ତଥ୍ୟ ରହିଛି, ସେ ସଂପର୍କରେ କ୍ରାଇମବ୍ରାଞ୍ଚ କିମ୍ବା ହସ୍ପିଟାଲ୍‌ କର୍ତ୍ତୃପକ୍ଷ, କେହି ମୁହଁ ଖୋଲି ନାହାନ୍ତି। ଅନ୍ୟପକ୍ଷରେ ବାଲାଷ୍ଟିକ୍‌ ପରୀକ୍ଷା ଚାଲିଛି। ହତ୍ୟାରେ କେଉଁ ବନ୍ଧୁକ ବ୍ୟବହାର କରାଯାଇଥିଲା, କେତେ ବ୍ୟବଧାନରୁ ଗୁଳି କରାଯାଇଛି, ଗୁଳି ଚଳାଇବାରେ ପୁଲିସ ଏସ୍‌ଆଇ କେତ‌େ ଦକ୍ଷ ଥିଲେ? ଏ ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି।

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଖାଲି ପଡ଼ିଥିବା ନେଇ ବିଜ୍ଞପ୍ତି

ଭୁବନେଶ୍ବର: ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଗତ ୨୯ତାରିଖରେ ଆପୋଲୋ ହସ୍ପିଟାଲରେ ମୃତ୍ୟୁ ପରେ ଏହି ବିଧାନସଭା ଆସନଟି ଖାଲି ପଡ଼ିଥିବା ନେଇ ବିଧାନସଭା ସଚିବ ଦାସରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଛନ୍ତି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଭାରତର ନିର୍ବାଚନ ଆୟୋଗ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ଅବଗତ କରାଯାଇଛି। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କରିବା ନେଇ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଖୁବ୍‌ ଶୀଘ୍ର ଭାରତର ନିର୍ବାଚନ ଆୟୋଗଙ୍କୁ ଜଣାଇବେ ବୋଲି ଜଣାପଡ଼ିଛି। ଏବେ ଆଗାମୀ ସାଧାରଣ ନିର୍ବାଚନକୁ ୧ବର୍ଷରୁ ଅଧିକ ସମୟ ଥିବାରୁ ଏଠାରେ ଉପନିର୍ବାଚନ ନେଇ ଆସନ୍ତା ୧ମାସ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ବଦଳି ପାଇଁ କେବେ ଆବେଦନ କରିନଥିଲେ ଗୋପାଳ: ଆଇଜି

ସମ୍ବଲପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରିଥିବା ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଦୀର୍ଘ ୧୨ ବର୍ଷ ହେଲା ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିଲେ। ଗୋପାଳଙ୍କ ପରିବାର ଲୋକେ ନିଜ ଜିଲ୍ଲାକୁ ବଦଳି ପାଇଁ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିବା ବେଳେ ଉତ୍ତରାଂଚଳ ପୁଲିସ ଆଇଜି ଦୀପକ କୁମାର ଏହାକୁ ଖଣ୍ଡନ କରିଛନ୍ତି। ଗୋପାଳ ଦାସ ବଦଳି ପାଇଁ କେବେ ଆବେଦନ କରିନଥିଲେ। ସେ ବଦଳି ମାଗିଥିବା ନେଇ କୌଣସି କାଗଜପତ୍ର ପୁଲିସ ବିଭାଗର କେବେ ହସ୍ତଗତ ହୋଇନାହିଁ ବୋଲି ଆଇଜି ଦୀପକ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏଏସ୍‌ଆଇ ଏବଂ ଏସ୍‌ଆଇ ପଦରେ କାର୍ଯ୍ୟରତ ପୁଲିସ ଅଫିସରମାନଙ୍କୁ ନିଜ ଗୃହ ଜିଲ୍ଲାରେ ନିଯୁକ୍ତି ମିଳିନଥାଏ। ସେମାନେ ଅନ୍ୟ ଜିଲ୍ଲାରେ ନିୟୋଜିତ ହୋଇଥାନ୍ତି। ତେବେ, ଅନ୍ୟ ପଦରେ କାର୍ଯ୍ୟରତ ପୁଲିସ ଅଫିସରମାନଙ୍କ ବଦଳି ପାଇଁ ସେଭଳି କୌଣସି ନିର୍ଦ୍ଦିଷ୍ଟ ନିୟମ ନଥିବା ବେଳେ ନିର୍ବାଚନ ସମୟରେ ସାଧାରଣତଃ ଗୋଟିଏ ଜାଗାରେ ୩ ବର୍ଷ କାର୍ଯ୍ୟରତ ଥିବା ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର