ରାଜ୍ୟରେ ୪୦୩୯ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଫାର୍ମା ଏବଂ ଜୈବପ୍ରଯୁକ୍ତି କମ୍ପାନିଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିରୁ ଇ‌ଣ୍ଡୋ ୟୁରୋପିଆନ୍ ହାର୍ଟ ହସ୍ପିଟାଲ୍‌ସ ଆଣ୍ଡ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ପ୍ରାଇଭେଟ୍‌ ଲିମିଟେଡ ୧୨୦୦ କୋଟି, ଇଣ୍ଡୋ ୟୁରୋପିଆନ୍ ରିସର୍ଚ୍ଚ ଆଣ୍ଡ୍‌ ହେଲ୍‌ଥ କେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ୬୦୦ କୋଟି, ମୋନାଡ ଲାଇଫ୍‌ ସଲ୍ୟୁସନ୍ସ ପ୍ରାଇଭେଟ୍‌ ଲିମିଟେଡ ୫ କୋଟି, ଗ୍ଲୋପୋର୍ଟ ଫେଟୋନିକ୍ସ ଇନୋଭେସନ୍ସ ପ୍ରାଇଭେଟ୍‌ ଲିମିଟେଡ ୨୦୦ କୋଟି, ବିକାଶ ରେସିଡେନ୍‌ସିଆଲ୍ ଇନଷ୍ଟିଚ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ୫୪୪ କୋଟି, ଏମ୍‌ସର୍ଗ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ ୨୦୦ କୋଟି, ଓନ୍‌ଲିହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ ୧୦୦ କୋଟି, ଜେ-ଭିପିଡି ଡାଇଗ୍ନୋଷ୍ଟିକ୍‌ସ ପ୍ରାଇଭେଟ ଲିମିଟେଡ ୫୦୦ କୋଟି ଏବଂ ସମ୍‌ ଓଡ଼ିଶା ୧୦୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଦ୍ବିତୀୟ ଦିନରେ ସ୍ବାସ୍ଥ୍ୟ, ଫାର୍ମା ଏବଂ ଜୈବପ୍ରଯୁକ୍ତି କ୍ଷେତ୍ର ଉପରେ ‘ଓଡ଼ିଶାରେ ସାର୍ବଜନୀନ ସ୍ବାସ୍ଥ୍ୟ ଏବଂ ସୁସ୍ଥତା’ ଶୀର୍ଷକ ଅଧିବେଶ‌ନରୁ ଏହା ଜଣାଯାଇଛି। 

Advertisment

ଏହି ଅଧିବେଶନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେବାୟୋଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି, ଯାହାଦ୍ୱାରା ଓଡିଶାର ଆର୍ଥିକ-ସାମାଜିକ ସ୍ଥିତିରେ ଆଶାତୀତ ଉନ୍ନତି ଆସିବ। ଆଜି ଓଡ଼ିଶା ନବସୃଜନ ଏବଂ ପୁଞ୍ଜି ବିନିଯୋଗର ଏକ ହବ୍ ଭାବରେ ଉଭା ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମତ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଉତ୍କର୍ଷ ଓଡ଼ିଶା ୨୦୩୬ ପାଇଁ ଓଡ଼ିଶାର ସ୍ବାସ୍ଥ୍ୟ କ୍ଷେତ୍ରରେ ଦକ୍ଷତା ହାସଲ ବିଷୟରେ ଏକ ଅଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାଚକ୍ରରେ ଡା. ମାନସ ରଞ୍ଜନ ସାହୁ,  କୁଳପତି, ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ପ୍ରଫେସର ସରୋଜ କାନ୍ତ ମିଶ୍ର, ଡା. ଅମୂଲ୍ୟ ପଣ୍ଡା, ପ୍ରଫେସର ଅରୁଣ କୁମାର ଦାସ ବକ୍ତା ଭାବେ ଯୋଗଦେଇ ସ୍ୱାସ୍ଥ୍ୟ, ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡିଶାକୁ ଏକ ଉତ୍କର୍ଷ ରାଜ୍ୟ ରୂପେ ପରିଗଣିତ କରିବା ପାଇଁ ଦିଗଦର୍ଶନ ଦେଇଥିଲେ। ଓଡ଼ିଶାରେ ସମ୍ପ୍ରତି ୧୨ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିଲାବେଳେ ଆଉ ୨ଟି ମେଡିକାଲ କଲେଜ କାର୍ଯ୍ୟକାରୀ ହେବା ଯୋଜନା ରହିଛି। ଏଥିସହ ୮ଟି ନର୍ସିଂ କଲେଜ କାର୍ଯ୍ୟକ୍ଷମ ଥିଲାବେଳେ ଆଉ ୭ଟି ନର୍ସିଂ କଲେଜ ଖୋଲିବା ଯୋଜନା ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ କରିବା ପାଇଁ ସରକାର ୫ ,୦୦୦  ଡାକ୍ତର ଏବଂ ୧,୨୦୦  ନର୍ସ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।