ଭୁବନେଶ୍ବର: ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଔଷଧ କାରଖାନାରେ ଗତ ସୋମବାର ପୂର୍ବହ୍ନ ୯ ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଥିବା ବେଳେ ସେଥି ମଧ୍ୟରୁ ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ  କୋଦଭଟ୍ଟା ଗ୍ରାମର ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ହେଲେ କୃଷ୍ଣ ଗୌଡ଼ଙ୍କ ପୁଅ ରମେଶ ଗୌଡ଼ (୨୨) ଏବଂ ହରିଚନ୍ଦ୍ର ଭତ୍ରାଙ୍କ ପୁଅ ଚଇତୁ ଭତ୍ରା(୨୩)।

Advertisment

କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରା ସହ ଆଖପାଖ ଗ୍ରାମର କିଛି ଶ୍ରମିକ ମିଶି ଏକ ମାସ ତଳେ ତେଲଙ୍ଗାନା ଔଷଧ କାରଖାନାରେ କାମ କରିବା ପାଇଁ ଯାଇଥିଲେ।ତେବେ କାମ କରିବା ସମୟରେ ଘଟିଥିବା ବିସ୍ଫୋରଣ ଯୋଗୁ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରାଙ୍କ ମୃତ୍ୟୁ ହୋଇଥିଲା।

ଘଟଣା ନେଇ ସାଥି ହୋଇ ଯାଇଥିବା ଅନ୍ୟ ଜଣେ ଶ୍ରମିକ କୃଷ୍ଣ ଗୌଡ଼ଙ୍କୁ ଫୋନ ଯୋଗେ ଗତକାଲି ପୂର୍ବାହ୍ନ ୯ ଟା ସମୟରେ ସୂଚନା ଦେଇଥିଲେ। ଖବର ପାଇ ୱାର୍ଡ ସଭ୍ୟ କୁମ ଭତ୍ରା,ଶୁକମନ ଗୌଡ଼,ଚଇତୁ ଭତ୍ରା,ବଳି ଗୌଡ଼ ପ୍ରମୁଖ ଗତକାଲି  ସନ୍ଧ୍ୟାରେ ଘଟଣା ସ୍ଥଳକୁ ଯିବା ପାଇଁ ବାହାରିଥିଲେ।

ଗୁରୁବାର ସକାଳୁ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଡିଏନଏ ପରୀକ୍ଷା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ପରେ ସେମାନେ ଘରକୁ ଫେରିବେ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।

ସେହିପରି ଏହି ଘଟଣାରେ ୫ ଜଣ ଓଡ଼ିଆ ଶ୍ରମିକ ଏବେ ବି ନିଖୋଜ ରହିଛନ୍ତି। ପୂର୍ବରୁ  ୪ ଜଣ ଓଡିଆଙ୍କ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତିମାନେ ହେଉଛନ୍ତି ଗଞ୍ଜାମର ଜଗନ ମୋହନ,ତିଗିରିଆର ଲଗ୍ନଜିତ ଦୁଆରି,ବାଲେଶ୍ଵରର ମନୋଜ ରାଉତ ଓ ଯାଜପୁରର ଦୋଳଗୋବିନ୍ଦ ସାହୁ।

ଓଡ଼ିଆ ଶ୍ରମିକଙ୍କର ମୃତ ଦେହ ଚିହ୍ନଟ ପରେ ମୃତଦେହକୁ ତେଲେଙ୍ଗାନା ସରକାର ଓଡ଼ିଶା ପଠାଇଛନ୍ତି । କିନ୍ତୁ ଏବେ ବି ୫ ଜଣ ଓଡ଼ିଆ ଶ୍ରମିକଙ୍କର ପତ୍ତା ମିଳୁନାହିଁ। ଗଞ୍ଜାମ ଜିଲ୍ଲାର ସିଦ୍ଧାର୍ଥ ଗୌଡ,ପ୍ରଶାନ୍ତ ମହାପାତ୍ର ,ନବରଙ୍ଗପୁରର ରମେଶ ଗୌଡ ଓ ଚଇତୁ ଭତରା ଏବଂ କଟକର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କର କୌଣସି ଖବର ମିଳିପାରୁନାହିଁ ବୋଲି ଓଡିଶା ପରିବାର ନିର୍ଦ୍ଦେଶାଳୟ ସୂଚନା ଦେଇଛି।

ନିଖୋଜ ୫ ଜଣଙ୍କ ପରିଚୟ ଖୋଜିବା ପାଇଁ ପରିବାରର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣା ସ୍ଥଳରେ ଅନେକ ମୁଣ୍ଡ ବିହୀନ ଶବ ଓ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବାରୁ ଅନେକଙ୍କ ପରିଚୟ ମିଳିପାରିନାହିଁ। ସେଥିପାଇଁ ଓଡିଶାରୁ ଯାଇଥିବା ଶ୍ରମିକଙ୍କ ପରିବାର ଲୋକେ ଡିଏନଏ ପରୀକ୍ଷା ପାଇଁ ରକ୍ତ ନମୂନା ବି ଦେଇଛନ୍ତି। 

ନିଖୋଜ ଥିବା ପୂର୍ଣ୍ଣ ଚନ୍ଦ୍ର ସାହୁ ବ୍ୟତୀତ ଅନ୍ୟ ସମସ୍ତଙ୍କର ରକ୍ତ ନମୁନା ଡିଏନଏ ମ୍ୟାଚ୍ ପାଇଁ ସେମାନଙ୍କ ସମ୍ପର୍କୀୟମାନେ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଆରଏସପି ପକ୍ଷରୁ ଭଙ୍ଗାଗଲା ରେଷ୍ଟୁରାଣ୍ଟ

ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ବାପା ଡିଏନଏ ନମୁନା ଦେବାକୁ ଯାଉଛନ୍ତି ଏବଂ ସେ ଗୁରୁବାର ଅପରାହ୍ନ ୪ଟାରେ ପହଞ୍ଚିବେ ବୋଲି ସ୍ୱତନ୍ତ୍ର ଡ୍ୟୁଟିରେ ଥିବା  ଓଡିଶା ସରକାରଙ୍କ ଅଧିକାରୀ ପ୍ରୀତିଶ ପଣ୍ଡା କହିଛନ୍ତି।

ଏହି ଦୁର୍ଘଟଣାରେ ୪ ଜଣ ଓଡ଼ିଆ ଶ୍ରମିକ  ଆହତ ହୋଇଥିବାବେଳେ ଜଣେ ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମାଦିନାଗୁଡାର ପ୍ରଣାମ ହସ୍ପିଟାଲରେ ସମସ୍ତେ ଭର୍ତ୍ତି ହୋଇଛନ୍ତି।ଓଡିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରିତୀଶ ପଣ୍ଡା  ଏବଂ ଚନ୍ଦ୍ରଶେଖର ହୋତା ଘଟଣାସ୍ଥଳରେ ପହଞ୍ଚି ଓଡିଆ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ଉପମୁଖ୍ୟମନ୍ତ୍ରୀ

Telengana | Odisha