ସମ୍ପର୍କ ରଖିବା ପାଇଁ ନର୍ସଙ୍କୁ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ, ଫାର୍ମାସିଷ୍ଟକୁ ଗିରଫ କଲା ପୁଲିସ

ସୁନ୍ଦରଗଡ଼: ବଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ରୁନଗାଁ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ମହିଳା କର୍ମଚାରୀ (ଏଏନ୍‌ଏମ୍‌)ଙ୍କୁ ସେହ କେନ୍ଦ୍ରର ସିନିୟର ଫାର୍ମାସିଷ୍ଟ ଅବନୀକାନ୍ତ ବେହେରା ଅଶ୍ଲୀଳ ଇଙ୍ଗିତ କରିବା ସହ ଖୋଲାଖୋଲି ଯୌନ ଆବେଦନ କରୁଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ବଡ଼ଗାଁ ଥାନାସରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଫାର୍ମାସିଷ୍ଟ ଶ୍ରୀ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ନର୍ସଙ୍କ ଅଭିଯୋଗକ୍ରମେ, ସେ ମେ’ ୩ ତାରିଖରେ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଇଥିଲେ। ଡାକ୍ତର ନଥିବା ଓ ସେ ଏକ ମାତ୍ର ମହିଳା କର୍ମଚାରୀ ଭାବେ ସେଠାରେ ସେ କାମ କରୁଥିବାରୁ ସିନିୟର ଫାର୍ମାସିଷ୍ଟ ତାଙ୍କୁ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ ସହ ଅଶ୍ଲୀଳ ଭାଷା ପ୍ରୟୋଗ କରି ଆସୁଥିଲେ। ଏପରିକି ତାଙ୍କ ସହ ସମ୍ପର୍କ ରଖିବାକୁ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ। ଛୁଟି ପରେ ଘରକୁ ଗଲେ ମୋବାଇଲ୍‌ରେ କଲ୍ ଓ ମେସେଜ କରି ପ୍ରେମ ନିବେଦନ କରୁଥିବା ଏହି ଫାର୍ମାସିଷ୍ଟ ସ୍ବାସ୍ଥ୍ୟ କେନ୍ଦ୍ରରେ କେହି ନଥିବା ବେଳେ ତାଙ୍କୁ ଅସଦାଚରଣ କରିଥିବା ମହିଳା ସ୍ପଷ୍ଟ ଅଭିଯୋଗ କରିଥିଲେ।

ଅନ୍ୟପଟେ ତାଙ୍କ କଥାରେ ରାଜି ନହେଲେ ତାଙ୍କୁ ଅନ୍ୟତ୍ର ବଦଳି କରିଦେବା, ଦରମା ବନ୍ଦ କରି ଜୀବନକୁ ବରବାଦ କରିଦେବେ ବୋଲି ଧମକ ଦେଉଥିବା ପୀଡ଼ିତା ଏତଲାରେ ଉଲ୍ଲେଖ କରିଥିଲେ। ବାପାଙ୍କ ମୃତ୍ୟୁ ପରେ କର୍କଟ ପୀଡ଼ିତା ମା’ଙ୍କ ସେବା କରୁଥିବା ମହିଳା କର୍ମଚାରୀ ଫାର୍ମାସିଷ୍ଟଙ୍କ ଆଚରଣରେ ଭାଙ୍ଗି ପଡ଼ିଥିବା ପ୍ରକାଶ କରି ତୁରନ୍ତ ତାଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଥିଲେ।

ଅଭିଯୋଗ ପରେ ଓଡ଼ିଶା ପ୍ରଗତି ଦଳର ଜିଲ୍ଲା ସଭାପତି ପ୍ରଫୁଲ୍ଲ ରୋହିଦାସ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ରଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗୋଟିଏ ପଟେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ, ଅନ୍ୟପଟେ ସିଡିଏମଓ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ‘ବିଭାଗୀୟ ତଦନ୍ତ ପରେ ଆପତତଃ ପ୍ରମାଣଯୋଗ୍ୟ ତଥ୍ୟ ମିଳିଛି, ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି ସିଡିଏମଓ ଡ. ସରୋଜ କୁମାର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର