ଭୁବନେଶ୍ୱର : ପାଞ୍ଚ ଦଫା ଦାବି ନେଇ ରାଜ୍ୟ ଫାର୍ମାସିଷ୍ଟ ସଂଘ ଧାରଣା ଦେଉଛି। ଦୀର୍ଘ ୫ ଦିନ ଧରି ଶତାଧିକ ପାର୍ମାସିଷ୍ଟ ଲୋୟର ପିଏମ୍‌ଜିରେ ବସି ରହିବା ସହ ସରକାରଙ୍କ ଟାଳଟୁଳ ନୀତି ଓ ଫାର୍ମାସିଷ୍ଟଙ୍କୁ ଉପେକ୍ଷା ସମ୍ବନ୍ଧରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେଉଛି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଫାର୍ମାସିଷ୍ଟମାନେ ଧାରଣାରେ ବସି ରହିଥିବା ବେଳେ ଆଜି ଏସ୍‌ସିବି ଓ ଅନ୍ୟ ବଡ଼ ବଡ଼ ମେଡିକାଲରୁ ଫାର୍ମାସିଷ୍ଟମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ସ୍ୱାସ୍ଥ୍ୟ ସେବା ଉଦ୍‌ବେଗ ଜନକ ସ୍ଥିତି ଆଡ଼କୁ ଗତି କରୁଛି। ଫାର୍ମାସିଷ୍ଟଙ୍କ ବିନା ଔଷଧ ଦୋକାନ ଖୋଲା ଯାଇ ପାରିବ ନାହିଁ। କିନ୍ତୁ ନିରାମୟ ଭଳି ସରକାରୀ ଔଷଧ ଦୋକାନ ଏବେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ହାତରେ ସରକାର ଟେକି ଦେଇଛନ୍ତି। ପ୍ରେସ୍‌କ୍ରିପସନ୍‌ ପଢ଼ିପାରୁନଥିବା କର୍ମଚାରୀ ଗୋଟିଏ ଔଷଧ ଜାଗାରେ ଆଉ ଗୋଟାଏ ଦେଉଥିବା ଅଭିଯୋଗ ହେଉଛି। ସମଗ୍ର ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣେ ସରକାର ନଛୋଡ଼ ବନ୍ଧା। ଗତକାଲି ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ଧାରଣାସ୍ଥଳକୁ ଆସି ଏହି ଫାର୍ମାସିଷ୍ଟମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ନିଷ୍କର୍ସ ବାହାରି ପାରିନାହିଁ। ଫଳରେ ସମସ୍ୟା ବଢ଼ିବାକୁ ଯାଉଥିବା ରାଜ୍ୟ ସଭାପତି ଜଳଧର ସେଠୀ ଆଶଙ୍କା କରିଛନ୍ତି। ୨୦୦୬ ମସିହାରେ ସରକାର ସମସ୍ତ କର୍ମଚାରୀଙ୍କୁ କେନ୍ଦ୍ରୀୟ ହାରରେ ଦରମା ଲାଗୁ କରିଥିଲେ ମଧ୍ୟ ଫାର୍ମାସିଷ୍ଟମାନେ ସେହି ଅନୁସାରେ ଦରମା ପାଉନାହାନ୍ତି। ଏଣୁ ଅସଙ୍ଗତି ଦୂର ସହ ମୂଳଦରମା ୯୩୦୦-୪୨୦୦ କରାଯିବା ପାଇଁ ଦାବି ହୋଇଛି। ଏଥିସହିତ ଠିକା ନିଯୁକ୍ତିପ୍ରାପ୍ତ ଫାର୍ମାସିଷ୍ଟଙ୍କୁ ନିୟମିତ କରାଯିବା, ବିକୃତ କ୍ୟାଡର୍‌ ପ୍ରତ୍ୟାହାର ଓ ଆରଏସିପି ସଂଶୋଧନ, ଏମ୍‌ଏଚ୍‌ୟୁ ଓ ଆରବିଏସ୍‌କେମାନଙ୍କୁ ନିୟମିତ କରିବା, ନିରାମୟ ଭଳି ଜନହିତକର ଯୋଜନାରେ ନିଯୁକ୍ତି ସହ ନୂଆ ପଦବି ସୃଷ୍ଟି କରିବା ଓ ଜଣେ ଲେଖାଏଁ ସହାୟକ ନିଯୁକ୍ତି କରିବା ପ୍ରଭୃତି ଦାବି ରହିଛି।