ସମୂହ ଛୁଟିରେ ଯିବାକୁ ଧମକ : ତାତିଲେ ଫାର୍ମାସିଷ୍ଟ, ୨୮ରେ ଅନଶନ

ଭୁବନେଶ୍ୱର : ତାତିଛନ୍ତି ଫାର୍ମାସିଷ୍ଟ। ବିଭିନ୍ନ ସମୟରେ ବିଭିନ୍ନ ଫୋରମ୍‌ରେ ନ୍ୟାଯ୍ୟ ଦାବି ସରକାରଙ୍କ ନିକଟରେ ସେମାନେ ଉପସ୍ଥାପନ କରିଥିଲେ ମଧ୍ୟ ସରକାର ଭଣ୍ଡେଇଛନ୍ତି। ସରକାରଙ୍କ ଉପରେ ଭରସା ରଖି ଆନ୍ଦୋଳନ ପ୍ରତ୍ୟାହାର କରି ସ୍ୱାସ୍ଥ୍ୟ ସେବା ଭଳି ଏକ ଗୁରୁତ୍ୱପୁର୍ଣ୍ଣ ସେବାକୁ ଶୃଙ୍ଖଳିତ ସହ କରି ଆସିଛନ୍ତି। ହେଲେ ଆଉ ନୁହେଁ। ୫ ଦଫା ଦାବି ନେଇ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ଆସନ୍ତା ୨୮ ତାରିଖରେ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିବ। ସମଗ୍ର ରାଜ୍ୟର ପାଖାପାଖି ୨୭ଶହ ଫାର୍ମାସିଷ୍ଟ ଭୁବନେଶ୍ୱରର ରାମ ମନ୍ଦିର ଠାରେ ଏକତ୍ର ହୋଇ ସେଠାରୁ ଧାରଣ ସ୍ଥଳ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଆସିବେ। ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।

ଏ ନେଇ ଆଜି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସ ଆସୋସିଏସନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସରୋଜ ବୋଷ, ସଭାପତି ଜଳଧର ସେଠୀ, ସଂଯୋଜକ ଶକ୍ତିନାଥ ତରାଇ, ସଦସ୍ୟ ଅନୀଲ ସାହୁ, ଚିନ୍ମୟ ସିହ୍ନା ପ୍ରମୁଖ ସୂଚନା ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ୧୯୮୬ ମସିହା ରାଜ୍ୟ ବେତନ ନିର୍ଦ୍ଧାରଣ ପରଠାରୁ ଦରମା ହାରରେ ରହିଥିବା ଅସଙ୍ଗତି ଦୂର ସହ ସମ ଡିପ୍ଲୋମା ସ୍କେଲ ଲାଗୁ କରି ୯୩୦୦ ଗ୍ରେଡ଼୍‍ ପେ ଲାଗୁ କରିବା, ନିୟମିତ ପାଇଁ ଅପେକ୍ଷା କରିଥିବା ଫାର୍ମାସିଷ୍ଟଙ୍କୁ ନିୟମିତ କରିବା, ୨୦୧୩ ମସିହାରେ ହୋଇଥିବା କ୍ୟାଡ଼ର ପୁନର୍ଗଠନରେ ଥିବା ଅସଙ୍ଗତି ଦୂର କରାଯାଇ ଆର୍‌ଏସିପି ୨୦୧୩ ମତେ ଗ୍ରେଡ଼୍‍ ପେ ୪୨୦୦, ୪୬୦୦, ୪୮୦୦ ବର୍ଷ ୧୦, ୨୦, ୩୦ ପାଇଁ ୨୦୧୩ ଠାରୁ ଲାଗୁ କରିବା, ଏମ୍‌ଏଚ୍‌ୟୁ, ଆରବିଏସ୍‌କେ ଇତ୍ୟାଦି ଯୋଜନାରେ ଦୀର୍ଘ ଦିନ ହେବ ସେବା ଯୋଗାଉଥିବା ଫାର୍ମାସିଷ୍ଟଙ୍କର ଚାକିରି ସ୍ଥାୟୀ କରିବା, ନିରାମୟ ଯୋଜନାକୁ ସଫଳ କରିବା ପାଇଁ ଅତିରିକ୍ତ ଫାର୍ମାସିଷ୍ଟ ପଦବି ସୃଷ୍ଟି ସହିତ ଗ୍ରୁପ୍‌ ଡ଼ି କର୍ମଚାରୀଙ୍କୁ ସହାୟକ ଭାବରେ ନିଯୁକ୍ତ କରିବା ପ୍ରଭୃତି ମୁଖ୍ୟ ରହିଛି। ରାଜ୍ୟରେ ଡାକ୍ତର ଅଭାବ ରହିଥିବା ଖୋଦ୍‌ ସରକାର ମାନିଛନ୍ତି। ଏପରି ସ୍ଥଳେ ଫାର୍ମାସିଷ୍ଟମାନେ ହିଁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ମୁଖ୍ୟ ଭୂମିକା ନିଭାଇଛନ୍ତି। ଏଣୁ ଏହି ଫାର୍ମାସିଷ୍ଟମାନେ ସମୂହ ଛୁଟିରେ ଆସିଲେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର