୧୭ରୁ ଫାର୍ମାସିଷ୍ଟ ନେବେ ସମୂହ ଛୁଟି

ସମ୍ବଲପୁର: ବର୍ଷବର୍ଷ ଧରି କାମ କଲେ ବି ମିଳୁନି ପଦୋନ୍ନତି। ଦିନରାତି ସ୍ବାସ୍ଥ୍ୟସେବା ଯୋଗାଇବା ପରେ ବି ଦାବି ଶୁଣୁ ନାହାନ୍ତି ସରକାର। ଶେଷରେ ଫାର୍ମାସିଷ୍ଟ ସଂଘ ଏବେ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୧୭ ତାରିଖ ମଧ୍ୟରେ ସରକାର ଯଦି ଦାବି ପୂରଣ ନ କରନ୍ତି ରାଜ୍ୟର ସମସ୍ତ ଫାର୍ମାସିଷ୍ଟ ସମୂହ ଛୁଟିରେ ଯାଇ ଆନ୍ଦୋଳନକୁ ଓହ୍ଲାଇବେ। ଏ ନେଇ ରବିବାର ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଫାର୍ମାସିଷ୍ଟ ସର୍ଭିସେସ୍ ଆସୋସିଏସନ୍‌ର ସଭାପତି ମମତା ଚୌଧୁରୀ କହିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦିନି ରାତି ଏକ କରି କାମ କରି ଆସୁଥିଲେ ମଧ୍ୟ ସରକାର ଫାର୍ମାସିଷ୍ଟମାନଙ୍କ ଦାବିକୁ ପୂରଣ କରୁନଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ।

ସେ କହିଛନ୍ତି, ୩ଟି ମୁଖ୍ୟ ଦାବି ପୂରଣ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି। ସେଗୁଡ଼ିକ ହେଲା ସଂଶୋଧିତ ଫାର୍ମାସିଷ୍ଟ କ୍ୟାଡର୍‌ ୨୦୧୬ ପରିବର୍ତ୍ତେ ୨୦୧୩ରୁ କାର୍ଯ୍ୟକାରୀ, ମୂଳ ଦରମା ଗ୍ରେଡ୍‌ ପେ’ ୨୮୦୦ ଟଙ୍କାରୁ ଆରମ୍ଭ କରିବା ସହ ୩ ବର୍ଷ ପରେ ତାକୁ ୪୨୦୦ ଟଙ୍କା କରିବା ଏବଂ ପଦବୀର ନାମକୁ ପରିବର୍ତ୍ତନ କରାଯାଇ ‘ଫାର୍ମାସି ଅଧିକାରୀ’ ରଖିବା। ଯଦି ଆସନ୍ତା ୧୭ ତାରିଖ ମଧ୍ୟରେ କୌଣସି ଦାବି ସରକାର ପୂରଣ ନ କରନ୍ତି ସମ୍ବଲପୁର ସମେତ ପୂରା ରାଜ୍ୟର ଫାର୍ମାସିଷ୍ଟମାନେ ସମୂହ ଛୁଟିରେ ଯିବୁ ଏବଂ ବିଧାନସଭା ସମ୍ମୁଖରେ ଧାରଣାରେ ବସିବୁ ବୋଲି ଉପ ସଭାପତି ରଞ୍ଜିତ୍‌ ପ୍ରଧାନ ଚେତାବନୀ ଦେଇଥିଲେ। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଆଶିଷ ସାହୁ, ଉପ ସଭାପତି ପ୍ରଶାନ୍ତ ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ ପାତ୍ର, ରବୀନ୍ଦ୍ର ବେହେରା, ଧୀରଜକାନ୍ତ ପ୍ରଧାନ, ବିଜୟ ବନ୍‌ଛୋର୍‌, ରାଜୀବ ପଟେଲ୍‌ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର