ଡା.ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିରେ ଖୋଲିବ ଫାର୍ମାକୋ ଭିଜିଲାନ୍‌ସ କେନ୍ଦ୍ର

ଭୁବନେଶ୍ବର : ଡା. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଖୋଲିବ ଫାର୍ମାକୋ ଭିଜିଲାନ୍‌ସ କେନ୍ଦ୍ର। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହି କେନ୍ଦ୍ର ଖୋଲିବା ପାଇଁ କଲେଜକୁ ପ୍ରସ୍ତାବ ଦିଆଯାଇଛି। ଦେଶରେ ୪ଟି ହୋମିଓପ୍ୟାଥି କଲେଜରେ ଏଭଳି କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଓଡ଼ିଶାରେ ଡା. ଅଭିନ୍ନ ଚନ୍ଦ୍ର କଲେଜ ଏଥିରେ ସ୍ଥାନ ପାଇଛି। ଏହି କେନ୍ଦ୍ର ସଂପର୍କିତ ସମସ୍ତ ଆବଶ୍ୟକ ମାନବ ସମ୍ବଳ ଓ ଅନ୍ୟାନ୍ୟ ସଂପର୍କରେ ସୂଚନା ପ୍ରଦାନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କର୍ଣ୍ଣାଟକରେ ଥିବା ହୋମିଓପ୍ୟାଥିକ କଲେଜରେ ମଧ୍ୟ ଏହାକୁ ଖୋଲାଯିବ। ଏହି ଫାର୍ମାକୋ ଭିଜିଲାନ୍‌ସ କେନ୍ଦ୍ରରେ ଜଣେ ଡାକ୍ତର ରହିବେ। ସଂପୃକ୍ତ ଡାକ୍ତର ହୋମିଓପ୍ୟାଥି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଓ ଲୋକମାନଙ୍କୁ ଭ୍ରମିତ ବିଜ୍ଞାପନ ପ୍ରଦାନ କରୁଥିବା ଔଷଧ କମ୍ପାନିଗୁଡ଼ିକ ଉପରେ ନଜର ରଖାଯିବ। ଏହାସହ ହୋମିଓପ୍ୟାଥିକ ଔଷଧ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ଏଥିପାଇଁ ଜାଗା ଚିହ୍ନଟ କରିବା ସହ କେଉଁ ବ୍ୟକ୍ତିଙ୍କୁ ଏହାର ଦାୟିତ୍ବ ପ୍ରଦାନ କରାଯିବ, ତାଙ୍କ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି। ଏଥିପାଇଁ ବିଧିବଦ୍ଧ ଭାବେ ଏକ ଇ-ମେଲ୍‌ ଆଇଡି ତିଆରି କରିବା ସହ ପ୍ରତି ୩ମାସରେ ଥରେ ଫାର୍ମାକୋ ଭିଜିଲାନ୍‌ସ କେନ୍ଦ୍ରର କାର୍ଯ୍ୟକାରିତା ସଂପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ମନ୍ତ୍ରଣାଳୟ ଚିଠି ଲେଖିଛି। ତେବେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାର ୧ବର୍ଷ ପାଇଁ କାର୍ଯ୍ୟ କରିବ। ଯଦି ସଂପୃକ୍ତ କେନ୍ଦ୍ରର କାର୍ଯ୍ୟକଳାପ ସନ୍ତୋଷଜନକ ହେବ, ତା’ ହେଲେ ପରବର୍ତୀ ବର୍ଷଗୁଡ଼ିକ ପାଇଁ ଏହାକୁ କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଦେଶର ୮ଟି ଆୟୁର୍ବେଦିକ ମେଡିକାଲ କଲେଜରେ ଏହି ଫାର୍ମାକୋ ଭିଜିଲାନ୍‌ସ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ଏଥିରେ ଓଡ଼ିଶାର କୌଣସି ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାନ ପାଇ ନାହାନ୍ତି। ଏହାସହ ୟୁନାନିର ୪ଟି ଓ ସିଦ୍ଧ ଚିକିତ୍ସାରେ ୪ଟି କେନ୍ଦ୍ରରେ ଏଭଳି ଭିଜିଲାନ୍‌ସ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ରହିଛି।

ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଏଣ୍ଡ ହସ୍ପିଟାଲର ଅଧୀକ୍ଷକ ଡା.ସୁଧୀର ଚନ୍ଦ୍ର ଦାଶ କହିଛନ୍ତି, ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଫାର୍ମାକୋ ଭିଜିଲାନ୍‌ସ କେନ୍ଦ୍ର ସଂପର୍କରେ ପ୍ରସ୍ତାବ ଆସିବା ପରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି। ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଯେଉଁ ଯେଉଁ ଆବଶ୍ୟକତା ସଂପର୍କରେ ପ୍ରସ୍ତାବ ରହିଛି, ତାହାର ତର୍ଜମା କରାଯାଉଛି। ନୂଆ କରି ଏଭଳି କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆସିଥିବା ବୋଲି ଡା.ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର