ସାରନଗରୀ (ରାଉରକେଲା): ସରକାର ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ଏଥଇପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଛି। କିନ୍ତୁ ବାସ୍ତବ ଚିତ୍ର ବଦଳୁନାହିଁ। ସରକାର ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତୋଳୁଛନ୍ତି। କିନ୍ତୁ ଏହାର ପରିଚାଳନା ପାଇଁ ଦୃଷ୍ଟି ଦେଉନାହାନ୍ତି। ଫଳରେ କେଉଁଠି ଡାକ୍ତର ମରୁଡ଼ି ତ କେଉଁଠି କର୍ମଚାରୀ ଅଭାବ। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟଦସବା ଯୋଗାଇବା ପାଇଁ କିଣା ଯାଉଥିବା ଯନ୍ତ୍ରପାତି ପରିଚାଳନା କରିବା ପାଇଁ ବି ଆବଶ୍ୟକ କର୍ମଚାରୀ କିଂବା ଟେକ୍ନିସିଆନ ନିଯୁକ୍ତ ହେଉନାହାନ୍ତି। ଫଳରେ ମୂଳ ଉଦ୍ଦେଶ୍ୟ ସାଧନ ହୋଇପାରୁନାହିଁ କି ଲୋକେ ଠିକ୍ ସେବା ପାଉନାହାନ୍ତି। ଏପରି ଅବ୍ୟବସ୍ଥା ଦେଖାଦେଇଛି ସାରନଗରୀ ଉତ୍କଳନଗର ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦ ହଜାର ଲୋକ ନିର୍ଭର କରୁଥିବାବେଳେ ଜଣେ ଫାର୍ମାସିଷ୍ଟଙ୍କ ହାତରେ ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର।

Advertisment

ସୂଚନାଯୋଗ୍ୟ ଯେ, କିଛିମାସ ଆଗରୁ ୮୭ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ନବକୃଷ୍ଣନଗରରୁ ଉଠିଯାଇ ଉତ୍କଳନଗରରେ ଉଦ୍‌ଘାଟନ ହୋଇଥିଲା। ଉଦ୍‌ଘାଟନ ହେବାର କିଛିଦିନ ପରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ରହିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏହା ପ୍ରତି କାହାର ଦୃଷ୍ଟି ପଡୁନାହିଁ। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସାରନଗରୀ, ଉତ୍କଳନଗର, ନବକୃଷ୍ଣନଗର, ବାଲିଝୁଡି, ମଡର୍ଣ୍ଣ ଇଣ୍ଡିଆ, ଅଟୋ କଲୋନି, କନ୍‌ଷ୍ଟ୍ରକ୍‌ସନ କଲୋନି ଆଦି ଅଞ୍ଚଳର ପ୍ରାୟ ୨୦-୩୦ ହଜାର ଲୋକ ନିର୍ଭର କରିଥାନ୍ତି। କିନ୍ତୁ ଡାକ୍ତର ନଥିବାରୁ ସ୍ଥାନୀୟ ଅଞ୍ଚଳ ସହିତ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଡାକ୍ତରଙ୍କୁ ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। ଆଉ କିଛିରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେଇ ଯେନତେନ ଭାବେ କାମ ଚଳାଉଛନ୍ତି। କିଛିମାସ ଆଗରୁ ନବକୃଷ୍ଣନଗର ଭଡ଼ାଘରେ ଚାଲୁଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଉତ୍କଳନଗରରେ ସ୍ଥାୟୀକୋଠାରେ ଚାଲିବା ପରେ ସ୍ଥାନୀୟ ଜନସାଧାରଣ ଉନ୍ନତମାନର ସେବା ପାଇପାରିବେ ବୋଲି ଆଶାବାନ୍ଧି ବସିଥିବାବେଳେ ତାହାର ଓଲଟା ପରିଣତି ଏଠାରେ ଦେଖିବାକୁ ମିଳୁଛି। ଡାକ୍ତରଙ୍କ ଅଭାବ ଓ ଏଠାରେ ନିଯୁକ୍ତ ହୋଇଥିବା ଡାକ୍ତର ଛୁଟିରେ ରହୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଡାକ୍ତର ପୁନର୍ବାର କାମରେ ଯୋଗଦେଲେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।