ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜର ପିଜି ପାଠ୍ୟକ୍ରମରେ ଆଉ କୌଣସି ନାମଲେଖା ହେବ ନାହିଁ। ୨୦୨୨-୨୩ ଶିକ୍ଷାବର୍ଷରେ ପିଜି ପ୍ରଥମ ବର୍ଷ ନାମଲେଖା ଲାଗି ଗତ ନଭେମ୍ବର ୩୦ ଶେଷ ତାରିଖ ରହିଥିଲା। ଏହାପରେ ନାମଲେଖା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆଉ କୌଣସି ପିଲା ଯେପରି ନାମ ନ ଲେଖାନ୍ତି ସେଥିପ୍ରତି ଦୃଷ୍ଟି ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ଓ କଲେଜ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି।
ଅନ୍ୟପକ୍ଷରେ ଯୁକ୍ତ୩ କଲେଜ ତଥା ୟୁଜି ପାଠ୍ୟକ୍ରମରେ ଖାଲି ଥିବା ସିଟ୍ ପୂରଣ ପାଇଁ ୪ର୍ଥ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଡିସେମ୍ବର ୧୦ରୁ ୧୨ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍)ରେ ଆବେଦନ କରିପାରିବେ। ୧୫ ତାରିଖ ଅପରାହ୍ନ ୨ଟାରେ ଅପେକ୍ଷାରତ (ୱେଟିଂ ଲିଷ୍ଟ) ଛାତ୍ରଛାତ୍ରୀଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗ ଇ-ସ୍ପେସ୍ରେ ଉପଲବ୍ଧ କରାଯିବ। ଅପେକ୍ଷାରତ ତାଲିକାରେ ସ୍ଥାନ ପାଇଥିବା ଆବେଦନକାରୀ ୧୬ ଓ ୧୭ ତାରିଖରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରିପୋର୍ଟିଂ କରିବେ। ୧୭ ତାରିଖ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ଶିକ୍ଷାନୁଷ୍ଠାନ ନୋଟିସ୍ ବୋର୍ଡରେ ପ୍ରକାଶ ପାଇବ। ୧୯ ଓ ୨୦ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ, ଚୂଡ଼ାନ୍ତ ନାମଲେଖା ଓ ଇ-ସ୍ପେସ୍ରେ ଡାଟା ଅପଡେସନ୍ କରାଯିବ। ୨୦ ତାରିଖ ପରେ ଆଉ କୌଣସି ପ୍ରକାର ନାମଲେଖାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଶ୍ରୟ ଦିଆଯିବ ନାହିଁ। କେଉଁ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଗାଇଡ୍ଲାଇନ୍ରେ କୁହାଯାଇଛି।