ଦେଓଗାଁ : ଦେଓଗାଁ ବ୍ଲକ୍ ଅର୍ଜୁନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୯ ବର୍ଷ ପୂରିଲାଣି। ସ୍ୱାସ୍ଥ୍ୟକେନ୍ଦ୍ରର ସୁନ୍ଦର କୋଠା ନିର୍ମାଣ ହୋଇଛି। କୋଠା ଭିତରେ ଫ୍ରିଜ୍, କୁଲର୍ ଓ ପଙ୍ଖା ସହ କୋଠା ଉପରେ ହଜାରେ ଲିଟରର ୨ଟି ସିନଟେକ୍ସ ଟାଙ୍କି ମଧ୍ୟ ଅଛି। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସିଛି। ହେଲେ ସ୍ୱାସ୍ଥ୍ୟକେନ୍ଦ୍ର କୋଠାକୁ ବିଦ୍ୟୁତ ସଂଯୋଗ ଆଜିଯାଏ ହୋଇନାହିଁ। ଫଳରେ କୋଠା ଭିତରେ ଥିବା ବିଭିନ୍ନ ବୈଦ୍ୟୁତିକ ଉପକରଣ ଖତ ଖାଉଛି। ବିଦ୍ୟୁତ୍ ନଥିବାରୁ ଫ୍ରିଜ୍ କାମ କରୁନାହିଁ। ଫ୍ରିଜ୍ ଭିତରେ ଟିଟି ଇଞ୍ଜେକ୍ସନ ରଖାଯାଇପାରୁନାହିଁ। ସେହିପରି ବିଭିନ୍ନ ଅତି ଜରୁରୀ ଔଷଧ ବି ରଖିବା ସମ୍ଭବ ହେଉନାହିଁ। କୋଠା ଉପରେ ସିନଟେକ୍ସ ଟାଙ୍କି ବସିଛି। ସବୁ କୋଠରିକୁ ପାନୀୟ ଜଳ ଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେଲେ ବିଦ୍ୟୁତ ସଂଯୋଗ କରାଯାଇ ନଥିବାରୁ ସବୁ ଅକାମୀ ହୋଇ ପଡ଼ିଛି ବୋଲି ଫର୍ମାସିଷ୍ଟ ଜୟକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବଲାଙ୍ଗୀର ବିଦ୍ୟୁତ ବିଭାଗକୁ ବିଦ୍ୟୁତ ସଂଯୋଗ ପାଇଁ ୧୯ ହଜାର ଟଙ୍କା ପଇଠ କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ବିଦ୍ୟୁତ ବିଭାଗର ଯନ୍ତ୍ରୀମାନେ ସଂଯୋଗ ଦେବାକୁ କୋଠାରେ ୱେରିଙ୍ଗ କିଭଳି ହୋଇଛି, କେତେ ଉନ୍ନତ ମାନର କୋଠା, କିଏ କରିଛି ତାହାର ଏକ ପ୍ରମାଣପତ୍ର ମାଗୁଛନ୍ତି। ଯଦି ନିମ୍ନ ମାନର କାମ ହୋଇଛି ତାହା ହେଲେ ବିଭାଗୀୟ ଯନ୍ତ୍ରୀ ୟୁସି କେମିତି ଦେଲେ ବୋଲି ପ୍ରଶ୍ନ ଉଠିଛି।
ଗତ ୩ ମାସର ରୋଗୀ ସଂଖ୍ୟା ହିସାବ କଲେ ଅକ୍ଟୋବର ମାସରେ ୭୯୧, ନଭେମ୍ବର ମାସରେ ୫୭୫, ଡିସେମ୍ବର ମାସରେ ୪୭୦ ସର୍ବ ମୋଟ ୧୮୩୬ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦେଓଗାଁ ବ୍ଲକ୍ର ଅର୍ଜୁନପୁର, କୁଲୁତାପଡ଼ା, ବଡ଼ବାହାଲ, ଘୁଡ଼କାପଲା, ମକୁନ୍ଦପୁର ଓ ଗୌଡ଼ଗୋଠ ପଞ୍ଚାୟତର ୩୦ରୁ ଅଧିକ ଗାଁର ଲୋକେ ନିର୍ଭରକରନ୍ତି। ନିୟମିତ ଫର୍ମାସିଷ୍ଟ ଓ ଡାକ୍ତର ରହୁଛନ୍ତି। ହେଲେ ଅଞ୍ଚଳକୁ ଅନୁଧ୍ୟାନ କରି ସେତିକି ପରିମାଣରେ ଔଷଧ ଦିଆଯାଉ ନାହିଁ। ଅଞ୍ଚଳରେ ସାପ ଭୟ ରହିଛି। ହେଲେ ଏଠାରେ ବିଜୁଳି ନଥିବାରୁ ସାପକାମୁଡ଼ା ଇଞ୍ଜେକ୍ସନ ବି ରଖି ହେଉନାହିଁ ବୋଲି କର୍ତ୍ତୃପକ୍ଷ କହୁଛନ୍ତି। ତୁରନ୍ତ ଏହି ସ୍ୱାସ୍ଥ୍ୟକେନ୍ଦ୍ର କୋଠାକୁ ବିଦ୍ୟୁତ ସଂଯୋଗ କରାଯିବାକୁ ସାଧରଣରେ ଦାବି ହେଉଛି।