ଭୁବନେଶ୍ୱର: ଦର୍ଶନଶାସ୍ତ୍ର ପ୍ରତ୍ୟେକ ସମୟରେ ସ୍ୱତନ୍ତ୍ର ପରିଚୟ ବହନ କରେ। ଦର୍ଶନଶାସ୍ତ୍ର ହେଉଛି ବ୍ୟବହାରିକ ମନସ୍ତତ୍ତ୍ୱ। ଦର୍ଶନ ଶାସ୍ତ୍ର ପାଇଁ ପ୍ରଫେସର ହୃଦାନନ୍ଦ ରାୟଙ୍କ ପ୍ରତ୍ୟେକ କାର୍ଯ୍ୟ ତାଙ୍କୁ ଜଣେ ଶ୍ରେଷ୍ଠ ଦାର୍ଶନିକ ଓ କର୍ମ ସନ୍ନ୍ୟାସୀ ଭାବେ ପରିଗଣିତ କରେ। ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଏମ୍‌କେସିଜି ପ୍ରେକ୍ଷାଳୟରେ ଆୟୋଜିତ ପ୍ରଫେସର ହୃଦାନନ୍ଦ ରାୟ ସ୍ମାରକୀ ବକ୍ତୃତା ଓ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏଭଳି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଗଣେଶ ପ୍ରସାଦ ଦାସ।  

Advertisment

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ଯୋଗଦେଇ ଦର୍ଶନ ଶାସ୍ତ୍ର ଉତ୍ତମ ସମାଜ ଗଠନରେ ସାହାଯ୍ୟ କରେ ବୋଲି କହିଥିଲେ। ଆଜିର ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କ ଭଳି ଦାର୍ଶନିକଙ୍କ ଆବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ କହିଲେ, ପ୍ରଫେସର ହୃଦାନନ୍ଦ ରାୟ ଜଣେ ଅଦ୍ୱିତୀୟ ବାଗ୍ମୀ ପୁରୁଷ ଥିଲେ। ସେ ତାଙ୍କ ପିଲାଦିନର ଉଦାହରଣ ଦେଇ ପିଲାମାନଙ୍କୁ ପ୍ରଶ୍ନ ପଚାରିବାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଆଜିର ଯୁବପିଢ଼ି ତାଙ୍କ ଆତ୍ମଜୀବନୀ ତଥା କାର୍ଯ୍ୟବଳୀକୁ ପଢ଼ିବା  ସହ ତାଙ୍କ ଭଳି ଜଣେ ଦର୍ଶନଶାସ୍ତ୍ରୀ ତଥା ଅପ୍ରତିଦ୍ୱନ୍ଦ୍ବୀ ବକ୍ତା ହୋଇପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଦର୍ଶନ ବିଭାଗର ପ୍ରଫେସର ରମେଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ସ୍ୱର୍ଗତ ରାୟ ଦର୍ଶନଶାସ୍ତ୍ରର ପ୍ରତ୍ୟେକ ଦିଗକୁ ତାଙ୍କ ଜୀବନରେ ଅଭ୍ୟାସ କରୁଥିଲେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ପୂର୍ବତନ ପ୍ରଫେସର ଫକୀର ମୋହନ ସାହୁ ଯୋଗ ଦେଇ ଦର୍ଶନଶାସ୍ତ୍ର ହେଉଛି ଗଭୀର ଚିନ୍ତନର ପରିଭାଷା ବୋଲି କହିଥିଲେ। ପ୍ରଫେସର ହୃଦାନନ୍ଦ ରାୟ ତାଙ୍କ ବାଗ୍ମିତା ବଳରେ ଶିଖର ଛୁଇଁ ପାରିଥିଲେ ବୋଲି କହିଥିଲେ।

ଏହା ପରେ ଡି ଏମ୍‌ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାଚକ୍ରରେ ପ୍ରଫେସର ଶରତ ଚନ୍ଦ୍ର ପାଣିଗ୍ରାହୀ ଓ ପ୍ରଫେସର ହରୀଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ସେହିପରି ପ୍ରଫେସର ସଚ୍ଚିନ୍ଦ୍ର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ଅତିଥି ଭାବେ ଅଧ୍ୟାପକ ଚିତ୍ତରଞ୍ଜନ ମଲ୍ଲିକ ଓ ପ୍ରମୋଦ କୁମାର ଦାଶ ଯୋଗ ଦେଇଥିଲେ। ଏହି ଅବସରରେ ନନ୍ଦିନୀ ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ‘ଫିଲୋସୋଫିକାଲ ରିଫ୍ଲେକ୍ସନ ଅଫ୍‌ ପଣ୍ଡିତ ନୀଳକଣ୍ଠ ଦାସ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ନନ୍ଦିନୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ  ସ୍ୱର୍ଗତ ରାୟଙ୍କ ପୁତ୍ର ବିକ୍ରମ ରାୟ ଓ ପୁତ୍ରବଧୂ ସୁକନ୍ୟା ରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।