ପୁରୀ: ମହାପ୍ରଭୁଙ୍କ ଅର୍ପଣ ଚାଉଳ ବିବାଦ କଣ୍ଟା ଭଳି ତଣ୍ଟିରେ ଲାଗିଛି। ସାରା ରାଜ୍ୟରୁ ସଂଗୃହୀତ ଏହି ଚାଉଳ ଦୀର୍ଘ ୮ ମାସ ଧରି ପଡ଼ିରହିବା ପରେ ପାଣି ଲାଗି ଫିମ୍ପି ମାରିଯାଇଛି। ପୋକ ସାଲୁବାଲୁ ଏହି ଚାଉଳରୁ ଉତ୍କଟ ଦୁର୍ଗନ୍ଧ ବି ବାହାରୁଛି। ସୁଆର ମହାସୁଆର ନିଯୋଗକୁ ଯେଉଁ ଚାଉଳ ଦିଆଯାଇଥିଲା, ସେହି ଚାଉଳ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣଦ୍ବାରରେ ମାସ ମାସ ପଡ଼ିରହିବା ଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ସ୍ବଚକ୍ଷୁରେ ଦେଖିବା ପରେ ଭକ୍ତ ଓ ସେବାୟତ କ୍ଷୋଭ ଝାଡ଼ିଛନ୍ତି। ଅର୍ପଣ ଚାଉଳ ସହ ଭକ୍ତଙ୍କ ଭକ୍ତିଭାବ ଜଡ଼ିତ। ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯେଉଁମାନେ ଏଭଳି ଖେଳ ଖେଳିଛନ୍ତି, ମହାପ୍ରଭୁ ସେମାନଙ୍କୁ କେବେ ମଧ୍ୟ କ୍ଷମା ଦେବେନି। ଯେଉଁମାନେ ଏଭଳି କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି।
ସେପଟେ ଏତେ ପରିମାଣର ଅର୍ପଣ ଚାଉଳ ନଷ୍ଟ ହୋଇଯିବା ଜଣାପଡ଼ିବା ପରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମୁଣ୍ଡିବିନ୍ଧା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଫିମ୍ପିମରା ଚାଉଳକୁ ପ୍ରୋସେସିଂ ପାଇଁ ଆଜି ଗୋପାଳପୁରସ୍ଥିତ ଚାଉଳ ମିଲ୍କୁ ପଠାଇଛି ସୁଆର ମହାସୁଆର ନିଯୋଗ। ଆଜି ଏକ ଟ୍ରକ୍ ଭର୍ତ୍ତି ଚାଉଳ ମିଲ୍କୁ ପଠାଯାଇଛି। ଯଦି ଏହି ଚାଉଳ ଭଲ ଥିବ, ଠାକୁରଙ୍କ ଭୋଗରେ ଲାଗିବ। ନଚେତ୍ ଏହା କୌଣସି କାମରେ ଲାଗି ପାରିବନି ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର।
ଚଳିତବର୍ଷ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଥିଲା। ଏହା ପୂର୍ବରୁ ପୂର୍ବ ସରକାରଙ୍କ ନିଷ୍ପତ୍ତିକ୍ରମେ ଶ୍ରୀଜଗନ୍ନାଥ ଅର୍ପଣ ରଥ ରାଜ୍ୟର ୩୦ଟି ଜିଲ୍ଲାର ପ୍ରତି ବ୍ଲକ୍ ସଦର ମହକୁମାରୁ ବାହାରି ପ୍ରତି ପଞ୍ଚାୟତ, ଗାଁ ପରିକ୍ରମା କରିଥିଲା। ଏହି ଅବସରରେ ଭକ୍ତମାନେ ଚାଉଳ, ନଡ଼ିଆ, ଗୁଆ, ଟଙ୍କା ଆଦି ଅର୍ପଣ କରିଥିଲେ। ଅର୍ପଣ ରଥ ଜରିଆରେ ସାରା ରାଜ୍ୟରୁ ସମୁଦାୟ ୧୪୦୧୭.୨୩ କ୍ବିଣ୍ଟାଲ୍ ଚାଉଳ ସଂଗ୍ରହ ହୋଇଥିଲା। ଏଥିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ୪୬୧୦.୪୪ କ୍ବିଣ୍ଟାଲ୍, ଅକ୍ଷୟପାତ୍ର ଫାଉଣ୍ଡେସନ୍ରେ ୨୬୧୮.୦୭ କ୍ବିଣ୍ଟାଲ୍ ଓ ଯୋଗାଣ ବିଭାଗର ପୁରୀ ଗୋଦାମରେ ୬୭୮୮.୭୨ କ୍ବିଣ୍ଟାଲ୍ ଚାଉଳ ଗଚ୍ଛିତ ରଖାଯାଇଥିଲା। ଅର୍ପଣ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ମାଗଣାରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ। ଏଥିପାଇଁ ପର୍ଯ୍ୟାୟକ୍ରମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଗଚ୍ଛିତ ଚାଉଳରୁ ୩୮୫୬.୮୪ କ୍ବିଣ୍ଟାଲ୍ ଚାଉଳ ସୁଆର ମହାସୁଆର ନିଯୋଗକୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଦାନ କରାଯାଇଥିଲା। କିନ୍ତୁ ଯେଉଁ ଚାଉଳ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଥିଲା, ସେଥିରୁ ଅଳ୍ପ କିଛି ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା। ପ୍ରାୟ ଦେଢ଼ରୁ ୨ ହଜାର କ୍ବିଣ୍ଟାଲ୍ ଚାଉଳ ଶ୍ରୀମନ୍ଦିର ଉତ୍ତରଦ୍ବାର ଓ ପଶ୍ଚିମଦ୍ବାରରେ ଗଦା କରି ରଖାଯାଇଥିଲା। ଏହି ଚାଉଳ ସବୁ ପ୍ରାୟ ୩ ମାସ ଧରି ଗଦା ହୋଇ ରହିବା ଫଳରେ ବର୍ଷା ପାଣି ବାଜି ନଷ୍ଟ ହୋଇଯାଇଛି। ବିଣ୍ଡା ହୋଇ କଳା ପଡ଼ିଯାଇଛି।
ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ଆମେ ଆଜି ପ୍ରଥମ ପର୍ଯ୍ୟାୟରେ ୪୦ରୁ ୫୦ ବସ୍ତା ଚାଉଳ ପ୍ରୋସେସିଂ ପାଇଁ ପଠାଇଛୁ। ପର୍ଯ୍ୟାୟକ୍ରମେ ବାକି ଚାଉଳ ପ୍ରୋସେସିଂ ପାଇଁ ପଠାଯିବ। ଏହି ଚାଉଳ ଯଦି ଭଲ ଥିବ, ମହାପ୍ରସାଦ ପ୍ରସ୍ତୁତ ହୋଇପାରିବ। ଯଦି ଗୁଣ୍ଡ ହୋଇ ଯାଉଥିବ, ତେବେ ଏଥିରେ ଚାଉଳ ଚୁନା ହୋଇ ପିଠା ପ୍ରସ୍ତୁତ ହେବ ଓ ମହାପ୍ରଭୁଙ୍କୁ ଲାଗି ହେବ। କିନ୍ତୁ ସଂପୂର୍ଣ୍ଣ ଖରାପ ହୋଇ ଯାଇଥିଲେ, କିଛି କରିହେବନି। ଏହାର ବିକଳ୍ପ ବ୍ୟବସ୍ଥା କ’ଣ ହୋଇପାରିବ, ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ନିଷ୍ପତ୍ତି ହେବ। ଶ୍ରୀ ମହାସୁଆର କହିଛନ୍ତି, ବହୁଦିନ ଧରି ଚାଉଳ ଗଦା ହୋଇ ରହିବା ଫଳରେ ତଳ ବସ୍ତା ଚାଉଳ ନଷ୍ଟ ହୋଇ ଗନ୍ଧ ହେଉଛି। ବାକି ଚାଉଳ ଭଲ ଥିବ ବୋଲି ଆଶା କରୁଛୁ। ଅପରପକ୍ଷେ ଯେଉଁ ବାକି ଚାଉଳ ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂରକ୍ଷିତ ରଖାଯାଇଥିଲା, ତାକୁ ରଥଯାତ୍ରା ସମୟରେ ଅକ୍ଷୟ ପାତ୍ର ଫାଉଣ୍ଡେସନ୍କୁ ସ୍ଥାନାନ୍ତର ସରିଛି। ଏବେ କେବଳ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଓ ପୁରୀ ଯୋଗାଣ ବିଭାଗ ଗୋଦାମରେ ୧୦୧୬୦.୩୯ କ୍ବିଣ୍ଟାଲ ଚାଉଳ ଗଚ୍ଛିତ ରହିଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଦ୍ଧ ହୋତା କହିଛନ୍ତି।
**************************************************
୧୦ ହଜାର କ୍ବିଣ୍ଟାଲ୍ ଚାଉଳର ଭାଗ୍ୟ ଓ ଭବିଷ୍ୟତ
ଝୁଲେଇ ରଖିଛନ୍ତି ସରକାର
ପୁରୀ: କ’ଣ ହେବ ୧୦୧୬୦.୩୯ କ୍ବିଣ୍ଟାଲ୍ ଅର୍ପଣ ଚାଉଳର ଭାଗ୍ୟ ଓ ଭବିଷ୍ୟତ? ପୂର୍ବରୁ ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା ବନ୍ଦ ହୋଇଯିବା ପରେ ଏଭଳି ଅନିଶ୍ଚିତତା ଦେଖାଦେଇଛି। ସୁଆର ମହାସୁଆର ନିଯୋଗ ଏତେ ପରିମାଣର ଚାଉଳ ଗଚ୍ଛିତ ରଖି ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ସମ୍ଭବପର ନ ଥିବା ଓ ଏହି ଚାଉଳ ମାନ ଖରାପ ହୋଇଯାଇଥିବାରୁ ଏହାକୁ କୌଣସି ଜରାନିବାସ, ବାଳାଶ୍ରମ ଭଳି ଅନୁଷ୍ଠାନକୁ ଦାନରେ ଦେବା ଲାଗି ପ୍ରସ୍ତାବ ଦେଇଥିଲା। ଗତ ପରିଚାଳନା କମିଟି ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ଆଧାରରେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ୧୦ ଦିନ ତଳୁ ପ୍ରସ୍ତାବ ପଠାଇ ସାରିଛନ୍ତି। ସୁଆର ମହାସୁଆର ନିଯୋଗ ଯେଉଁ ପ୍ରସ୍ତାବ ଦେଇଛି, ତାହା ଉଚିତ ପ୍ରସ୍ତାବ ବୋଲି ଦର୍ଶାଇବା ସହ ଏଥିପାଇଁ ଅନୁମତି ଦେବାକୁ ନିବେଦନ କରିଛି। କିନ୍ତୁ ଏହି ଚିଠିକୁ ଝୁଲାଇ ରଖାଯାଇଛି। ଚିଠିର ୧୦ ଦିନ ପରେ ବି ଆଇନ ବିଭାଗ ଏ ସମ୍ପର୍କରେ କୌଣସି ଉତ୍ତର ଦେଇନି। ଫଳରେ ଗଚ୍ଛିତ ୧୦ ହଜାର କ୍ବିଣ୍ଟାଲ୍ ଚାଉଳ କ’ଣ ହେବ, ତାକୁ ନେଇ ପ୍ରଶ୍ନ ଉଠିଛି।