ଜୟପୁର ସଂସ୍କରଣ
ଅଭିଭାବକଙ୍କ ଉଚ୍ଚାଭିଳାଷ ଓ ପାଠପଢ଼ାରେ ଅତିରିକ୍ତ ଚାପ ଏହାର ମୁଖ୍ୟ କାରଣ। କୋଟାରେ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ସଫଳତା ହାର ୧୦ପ୍ରତିଶତରୁ କମ୍। ସେଠାରେ ୯୦ପ୍ରତିଶତରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଫଳ ହେଉଛନ୍ତି। ଏହି ବାସ୍ତବତାକୁ ଅଭିଭାବକ ଅନୁଭବ କରୁନାହାନ୍ତି। କୋଟାରେ ପାଠପଢ଼ାରେ ଅଧିକ ଖର୍ଚ୍ଚ ସହ ପିଲାଙ୍କ ଉପରେ ଅଧିକ ଚାପ ପଡ଼ୁଛି। ତେଣୁ ମାନସିକ ଭାରସାମ୍ୟ ହରାଉଛନ୍ତି।
-ଅଧ୍ୟାପକ ଡ. ମନୋରଞ୍ଜ ପ୍ରଧାନ, ଜୟପୁର
ଆଜିକାଲିର ଛାତ୍ରଛାତ୍ରୀ ଅତି ଉଚ୍ଚାଭିଳାଷୀ। ଏମିତି ସ୍ଥିତିରେ ବିଫଳ ହେଲେ ମନରେ ମୁଁ କିଛି କରିପାରୁନି କିମ୍ବା କରିପାରିବି ନାହିଁ ଭଳି ନକରାତ୍ମକ ଭାବନା ଆସୁଛି। ତେଣୁ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ଅଭିଭାବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।
-ଅଶୋକ ସାହୁ, ମାଲକାନଗିରି
କୌଣସି ସାମୟିକ ବିଫଳତା ଜୀବନର ଚରମ ବିଫଳତା ନୁହଁ। ଛାତ୍ରଛାତ୍ରୀ ମାନସିକ ଚାପରୁ ମୁକ୍ତ ରହି ଅଧ୍ୟୟନରେ ମନୋନିବେଶ କରିବା ଉଚିତ। ବିଶେଷ କରି ପିତାମାତାଙ୍କ ଦ୍ବାରା ପଡୁଥିବା ଚାପ ଛାତ୍ରଛାତ୍ରୀଙ୍କ କୋମଳ ମନ ଉପରେ ଗଭୀର ଆଘାତ ଦେଉଥିବା ଯୋଗୁଁ ପିତାମାତା ଏ କ୍ଷେତ୍ରରେ ଯଥେଷ୍ଟ ଯତ୍ନଶୀଳ ହେବା ଉଚିତ।
-ଶୀତିଲଗ୍ନା ଶତପଥୀ, ଛାତ୍ରୀ, କୋରାପୁଟ
ନିହାତି ଭାବେ ଆତ୍ମହତ୍ୟା ରୋକିବା ଜରୁରୀ। ଆଜିକାଲି ପିଲାଙ୍କ ଇଚ୍ଛା ଜଣିବାକୁ ଆଗ୍ରହ ପ୍ରକାଶ ନ କରି ଅଭିଭାବକ ନିଜ ସ୍ବପ୍ନକୁ ସେମାନଙ୍କ ଉପରେ ଲଦି ଦେଉଛନ୍ତି। ଡାକ୍ତର ଓ ଇଂଜିନିୟର ହେବାକୁ ବାଧ୍ୟ କରିବା ଫଳରେ ସେମାନେ ମାନିସକ ଭାରସାମ୍ୟ ହରାଉଛନ୍ତି। ନିଜ ଭାବନାକୁ ପିଲାମାନେ ଅନ୍ୟ ସହ ବାଣ୍ଟି ପାରୁନଥିବାରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହାନ୍ତି।
-ନିଶାରାଣୀ ସାହୁ, ଉପସ୍ଥାପିକା, ଆକାଶବାଣୀ, ଜୟପୁର
ସାମାଜିକ ଗଣମାଧ୍ୟମରେ ପିଲା ଅଧିକ ସମୟ ବିତାଉଛି। ସେହି ମିଛ ଦୁନିଆରେ ସେମାନେ ଅନୁଭବ କରୁଛନ୍ତି ସମସ୍ତେ ଖୁସିରେ ଅଛନ୍ତି। ତେଣୁ ନିଜ ସମସ୍ୟା ସମ୍ପର୍କରେ ଅନ୍ୟକୁ କହି ତାହାର ସମାଧାନ କରିବାକୁ ଲାଜ୍ଜା ଅନୁଭବ କରୁଛନ୍ତି। ଯେକୌଣସି ପରିସ୍ଥିତିରେ ଆତ୍ମହତ୍ୟା କରିବା କଥା ନୁହେଁ। ଛାତ୍ରଛାତ୍ରୀ ଯଦି ବୁଝିଯିବେ ଯେ ସମସ୍ତ ସମସ୍ୟାର ସମାଧାନ ରହିଛି ତେବେ ଆତ୍ମହତ୍ୟାକୁ ରୋକାଯାଇପାରିବ।
-ଅସ୍ମିତା ଷଡଙ୍ଗୀ, ଛାତ୍ରୀ, ଜୟପୁର
ଅଭିଭାବକ ନିଜ ଛୁଆକୁ ସଂସ୍କାର ଦେବାରେ ବିଫଳ ହେଉଛନ୍ତି। ଅନ୍ୟପଟେ ମୋବାଇଲ ଓ ଟିଭି ଦେଖି ନକରାତ୍ମକ ଦିଗ ପ୍ରତି ପିଲା ଶୀଘ୍ର ଆକୃଷ୍ଟ ହେଉଛନ୍ତି। ପୂର୍ବରୁ ଯୌଥ ପରିବାରରେ ପିଲାଙ୍କୁ ନୈତିକ ଶିକ୍ଷା ମିଳୁଥିଲା। ଆଜିକାଲି ବାପାମା ଖୁବ କମ୍ ବୟସରୁ ଡାକ୍ତର ଓ ଇଂଜିନିୟର ହେବାକୁ ଏକ ପ୍ରକାର ମାନସିକ ଚାପ ଦେଉଛନ୍ତି। ଛାତ୍ରଛାତ୍ରୀ ଏକ ନିର୍ଦ୍ଦିଷ୍ଟ ପରିଧିରେ ଜୀବନକୁ ନ ଦେଖି ବୃହତ୍ ଅର୍ଥରେ ଦେଖିଲେ ଏଭଳି ଆତ୍ମହତ୍ୟାକୁ ରୋକାଯାଇପାରବ।
-ସ୍ବାଗତିକା ବାହିନୀପତି, ଶିକ୍ଷୟିତ୍ରୀ, ରାଇଘର
ବାପାମା ଆମକୁ ଶିଖାଉଥିଲେ ଭଲ ମଣିଷ ହୁଅ, ଆଉ ଆଜି ଆମେ ପିଲାଙ୍କୁ ଶିକ୍ଷା ହେଉଛୁ ବଡ଼ ମଣିଷ ହୁଅ। ଏମିତିରେ ବହୁ ଟଙ୍କା ରୋଜଗାର କରିବା ହିଁ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ହୋଇଯାଉଛି। ସେଥିରେ ସେମାନେ ସଫଳ ନହେଲେ ଜୀବନ ବ୍ୟର୍ଥ ବୋଲି ଅନୁଭବ କରିବା ଯୋଗୁଁ ଆତ୍ମହତ୍ୟା ଭଳି ସ୍ଥିତି ଉପୁଜୁଛି।
-ଅଳକା ସାହୁ, ଶିକ୍ଷୟିତ୍ରୀ, ରାୟଗଡ଼ା
ପ୍ରତିଷ୍ଠିତ ଅନୁଷ୍ଠାନରେ ଛାତ୍ରଛାତ୍ରୀ ରାଗିଂର ଶିକାର ହେଉଥିବାରୁ ପ୍ରଥମରୁ ମାନସିକ ଚାପରେ ରହୁଛନ୍ତି। ଏଥିସହ ଅନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକମାନେ ପାତରଅନ୍ତର କରିବା ଦେଖାଯାଉଛି। ମୁହଁଦେଖା ମାର୍କ ବେଳେବେଳେ ଛାତ୍ରଛାତ୍ରୀଙ୍କ ମନୋବଳ ଭାଙ୍ଗି ଦେଉଥିବାରୁ ମେଧାବୀ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଛନ୍ତି।
-ସମୃଦ୍ଧି ପାଢ଼ୀ, ଛାତ୍ରୀ, ଜୟପୁର
କଠିନ ପରିଶ୍ରମ ପରେ ବି ବେଳେବେଳେ ଛାତ୍ରଛାତ୍ରୀ ଆଶାନୁରୂପ ଫଳ ପାଉନାହାନ୍ତି। ବାପାମା କରୁଥିବା ଖର୍ଚ୍ଚ ଅନୁସାରେ ସଫଳତା ନମିଳିବାର ଭୟ ମଧ୍ୟ ରହୁଛି। ବାପାମାଙ୍କ ଉଚ୍ଚାଭିଳାଷକୁ ପୂରଣ ନକରିବା ଭିତରେ ମାନସିକ ଚାପର ରହୁଛନ୍ତି। ତେଣୁ ବାପାମାଙ୍କ ସହ ଆଲୋଚନା କରି ଚାପମୁକ୍ତ ହେବାର ସମ୍ଭାବନା କମ୍। ଏଭିଳି ଅପ୍ରୀତିକର ସ୍ଥିତିକୁ ସୁଧାରା ଯାଇପାରିଲେ ଆତ୍ମହତ୍ୟାକୁ ରୋକିହେବ।
-ସମର୍ପିତା ପାଣିଗ୍ରାହୀ, ଛାତ୍ରୀ, ଜୟପୁର
ସମ୍ବଲପୁର ସଂସ୍କରଣ
ବାପାମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଛୁଆଙ୍କୁ କୋଟାରେ ପଢ଼ାଉଛନ୍ତି। ହେଲେ କିଛି ଛାତ୍ରଛାତ୍ରୀ କମ୍ ମାର୍କ ରଖୁଥିବାରୁ ଆତ୍ମହତ୍ୟା ଭଳି ବାଟ ବାଛି ନେଉଛନ୍ତି। ଏହା ରୋକିବା ନିହାତି ଜରୁରୀ।
-ମହାଙ୍କୁଡ଼ ଆଚାର୍ଯ୍ୟ, ଭବାନୀପାଟଣା, କଳାହାଣ୍ଡି
ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବା ଦରକାର।
-ବୈଷ୍ଣବ ବୀର, ଭବାନୀପାଟଣା, କଳାହାଣ୍ଡି
ବହୁ ଛାତ୍ରଛାତ୍ରୀ ଆତ୍ମହତ୍ୟା ଭଳି ବାଟ ବାଛି ନେଉଛନ୍ତି। ଏହାର କାରଣ ଖୋଜିବା ସହ ରୋକିବା ନିହାତି ଜରୁରୀ।
-ନ୍ୟୂନଚନ୍ଦ୍ର ପୂଜାରୀ, ବଲାଙ୍ଗୀର
ପିଲାଙ୍କ ଉପରେ ଅତ୍ୟଧିକ ଚାପ ଯୋଗୁଁ ଆତ୍ମହତ୍ୟା ବଢ଼ୁଛି। ପିଲାମାନେ ଚାପକୁ ନିୟନ୍ତ୍ରଣ କରିବା ନିହାତି ଦରକାର।
-ରାଜୀବ ନାଥ, କୁରସୁଡ଼, ବଲାଙ୍ଗୀର
କୋଟାକୁ ଯାଇ ଅଧିକାଂଶ ପିଲା ପାଠ ପଢ଼ୁନାହାନ୍ତି। ଯଦ୍ବାରା ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛନ୍ତି। ଏଣୁ କୋଚିଂ କ୍ଲାସ୍ ସବୁ ବନ୍ଦ କରାଯିବା କଥା।
-ଜୟଭଗବାନ ଜୈନ, କେସିଙ୍ଗା, କଳାହାଣ୍ଡି
ଏହା ନିଶ୍ଚିତ ଭାବେ ଦୁଃଖଦ ଘଟଣା। ଅଭିଭାବକ ତଥା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ।
-ସୁବାସ ଚନ୍ଦ୍ର ଦେହେରୀ, କାଇଁଶିର, ବରଗଡ଼
ଆତ୍ମହତ୍ୟାଠାରୁ ଆଉ ଘୃଣ୍ୟ ଅପରାଧ ସଂସାରରେ ନାହିଁ। ଏଣୁ ଏହା ରୋକିବା ନିତାନ୍ତ ଜରୁରୀ।
-ରାମଦୟାଲ ପଣ୍ଡା, ସରବାହାଲ, ଝାରସୁଗୁଡ଼ା
ପିଲାଙ୍କ ଆତ୍ମହତ୍ୟା କରିବା ପରେ ପରିବାର ଲୋକ ଭାଙ୍ଗି ପଡ଼ୁଛନ୍ତି। ଏହା ରୋକିବା ନିହାତି ଜରୁରୀ।
-ହରିହର ରାଜହଂସ, ଲଇକେରା, ଝାରସୁଗୁଡ଼ା
ଭୁବନେଶ୍ବର ରୁରାଲ (ଖୋର୍ଦ୍ଧା-ପୁରୀ-ନୟାଗଡ଼) ସଂସ୍କରଣ
ନିୟମିତ ବ୍ୟବଧାନରେ ରାଜସ୍ଥାନର କୋଟାରେ ଘଟୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚିନ୍ତାଜନକ। ପରିବାର, ସମାଜର ପାରସ୍ପରିକ ସହାନୁଭୂତିର ଅଭାବ ଓ ଶିକ୍ଷାନୁଷ୍ଠାନର ବ୍ୟବସାୟୀକରଣ ଏହି ଆତ୍ମହତ୍ୟା ପାଇଁ ମୁଖ୍ୟତଃ ଦାୟୀ। ଏଭଳି ଘଟଣା ଦ୍ବାରା ଯୁବପିଢ଼ି ଉପରେ ଏକ ନକାରାତ୍ମକ ପ୍ରଭାବ ପଡ଼ିବ। ଏହାକୁ ବନ୍ଦ କରିବା ଆବଶ୍ୟକ।
-ନିହାର ରଞ୍ଜନ ପରିଡ଼ା, ଖୋର୍ଦ୍ଧା
ପିଲାମାନଙ୍କ ଶିକ୍ଷାକ୍ଷେତ୍ରରେ ସଫଳତା ପାଇଁ ଅଭିଭାବକଙ୍କ ଦୁର୍ବାର ମୋହ, ସଫଳତାକୁ ନେଇ ବିଭିନ୍ନ ପ୍ରଚାରପ୍ରସାର ଓ ବିଜ୍ଞାପନର ବନ୍ୟା, ଅନୁକୂଳ ପ୍ରଦର୍ଶନ ବଜାୟ ରଖିବା ଲାଗି ମାନସିକ ଚାପ, ନିଃସଙ୍ଗ ବାତାବରଣରେ ସ୍ବପ୍ନ ଚରିତାର୍ଥ କରିବାର ପ୍ରତିକୂଳ ପ୍ରଭାବ ହେଉଛି କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା। ଏହାକୁ ବନ୍ଦ କରିବାକୁ ଏକ ସଂଗଠିତ ଓ ସମୟୋପଯୋଗୀ ପଦକ୍ଷେପ ନିଆଯିବା ଆବଶ୍ୟକ।
-ଛାୟାକାନ୍ତ ନାୟକ, ପୁରୀ
ଜୀବନ ଆହ୍ବାନପୂର୍ଣ୍ଣ। ପାଠପଢ଼ା ଏହି ଜୀବନର ଏକ ଅଂଶମାତ୍ର। ଏଥିରେ କୌଣସି କାରଣରୁ ବିଫଳତାର ପରିଣାମ ଆତ୍ମହତ୍ୟା ନୁହେଁ। ଅଧ୍ୟୟନ ଏକ ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟ। ଏଥିରେ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାରେ ବିଫଳତା ନେଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଥିବା ଚିନ୍ତାଜନକ। ଏହି ସ୍ଥିତି କେବଳ କୋଟାରେ ନୁହେଁ। ସମଗ୍ର ଭାରତରେ ଦେଖାଦେଉଛି। ଏହାକୁ ରୋକିବାକୁ ସବୁ ସ୍ତରରୁ ଉଦ୍ୟମ ହେବା ଆବଶ୍ୟକ।
-ଅଶୋକ କୁମାର ଆଢ଼୍ୟ, ପୁରୀ
ଯାଜପୁର ସଂସ୍କରଣ
କୋଟାରେ ଛାତ୍ର ଆତ୍ମହତ୍ୟା ଯେଭଳି ଭାବେ ବୃଦ୍ଧି ପାଉଛି, ତାହା ଉଦ୍ବେଗଜନକ। ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ପିଲାଙ୍କ ଉପରେ ପ୍ରବେଶିକା ପରୀକ୍ଷାର ଚାପ ରହୁଥିବାରୁ ଏହି ଘଟଣା ବଢ଼ୁଛି। ଏବେ ସୁଧୁରିବାର ସମୟ ଆସିଛି। ଏହାକୁ ରୋକିବା ଜରୁରି।
-ବୁଲୁ ପଟ୍ଟନାୟକ, ଘସିପୁରା, କେନ୍ଦୁଝର
କୋଟାରେ ଯେଭଳି ଅଘଟଣ ଘଟୁଛି ତାହା ଉଦ୍ବେଗଜନକ। ଏ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ। ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ କୋଟା ନ ଯାଇ ନିଜ ରାଜ୍ୟରେ ରହି ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେବା ଆବଶ୍ୟକ।
-ସରୋଜ ରଂଜନ ଦାଶ, ଯାଜପୁର
କୋଟାରେ ଛାତ୍ର ଆତ୍ମହତ୍ୟା ରୋକିବା ପାଇଁ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନେବା ଆବଶ୍ୟକ।
-ଅର୍ଜୁନ ଚରଣ ସାମଲ, କୁଳହରିପୁର, ଯାଜପୁର
ଅନୁଗୁଳ ସଂସ୍କରଣ
କୋଟାରେ ଛାତ୍ର ଆତ୍ମହତ୍ୟା ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଉଦ୍ବେଗଜନକ। ଛାତ୍ରଙ୍କ ଉପରେ ଉଭୟ ବୋର୍ଡ ପରୀକ୍ଷା ଓ ଏଣ୍ଟ୍ରାନ୍ସ ପରୀକ୍ଷାର ଚାପ ରହୁଥିବାରୁ ଏଭଳି ଘଟଣା ଘଟୁଛି। ଏଥିପାଇଁ ଅଭିଭାବକ ଓ କୋଚିଂ ସେଣ୍ଟରଗୁଡ଼ିକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାୟୀ କରି ଆତ୍ମହତ୍ୟା ରୋକିବା ଦିଗରେ ପଦକ୍ଷେପ ଗ୍ରହଣ ନିମନ୍ତେ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମହତ୍ୟାରୁ ଛାତ୍ରମାନେ ନିବୃତ୍ତ ରହିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନେବା ଆବଶ୍ୟକ।
-ବିନୋଦ ବିହାରୀ ମହାପାତ୍ର, କଇଁଛପଦା, ଛେଣ୍ଡିପଦା
କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଉକ୍ତ ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏଥିପାଇଁ ସେ ଅଭିଭାବକଙ୍କୁ ଦାୟୀ କରିଛନ୍ତି। ଅଭିଭାବକମାନେ ପିଲାମାନଙ୍କୁ କୋଚିଂ ସେଣ୍ଟରରେ ଛାଡୁଥିବା ବେଳେ କୋଚିଂ ଇନ୍ଷ୍ଟିଚ୍ୟୁଟ୍ଗୁଡ଼ିକ କେବଳ ଆର୍ଥିକ ଲାଭ ଲକ୍ଷ୍ୟରେ ରହିଛନ୍ତି। ଛାତ୍ରଙ୍କ ଉପରେ ଉଭୟ ବୋର୍ଡ ପରୀକ୍ଷା ଓ ଏଣ୍ଟ୍ରାନ୍ସ ପରୀକ୍ଷାର ଚାପ ରହୁଛି। ଏଥିପାଇଁ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଏପରି ଘଟଣାକୁ ରୋକିବା ଦିଗରେ ପଦକ୍ଷେପ ନେବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୧୫ ଦିନ ଭିତରେ ଏହି କମିଟି ରିପୋର୍ଟ ଦାଖଲ କରିବ। ଏହି ରିପୋର୍ଟକୁ ନେଇ ରାଜସ୍ଥାନ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।
-ସିଦ୍ଧେଶ୍ବର ଆଚାର୍ଯ୍ୟ, କଲେଜ ଛକ, ଅନୁଗୁଳ
ବ୍ରହ୍ମପୁର ସଂସ୍କରଣ
ରାଜସ୍ଥାନର କୋଟାକୁ ଦେଶର ବିଭିନ୍ନ ଅଞ୍ଚଳରୁ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉଛନ୍ତି। ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି। ବୋଧହୁଏ କୌଣସି କାରଣରୁ ବିଷାଦଗ୍ରସ୍ତ ହୋଇ ଛାତ୍ରଛାତ୍ରୀ ଏଭଳି ପଦକ୍ଷେପ ନେଉଛନ୍ତି। ଏଣୁ ଅଭିଭାବକ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏ ଦିଗରେ ଅଧିକ ଯତ୍ନବାନ ହେବା ଆବଶ୍ୟକ।
-କାମରାଜୁ ଗୌଡ଼, ଦେଉଳପଲ୍ଲୀ
କୋଟାରେ ଛାତ୍ରଛାତ୍ରୀଙ୍କ ବାରମ୍ବାର ଆତ୍ମହତ୍ୟା ଘଟଣା ନିହାତି ଭାବେ ଏକ ଚିନ୍ତାଜନକ ବିଷୟ। ଏ ଦିଗରେ ଅଭିଭାବକ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ ସରକାର ମିଳିତ ଭାବେ ଚିନ୍ତା କରି ସମାଧାନ ପନ୍ଥା ବାହାର କରିବା ଉଚିତ। ଛାତ୍ରଛାତ୍ରୀଙ୍କ ଜୀବନ ରକ୍ଷା ପାଇଁ ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରାଯାଉ।
-ଡି. ପ୍ରକାଶ ରାଓ, ଚିକଲଖଣ୍ଡି
ଆତ୍ମହତ୍ୟାର କାରଣ ଜାଣିବା ସହିତ ଏହାକୁ ରୋକିବା ଦିଗରେ ସରକାର ପଦକ୍ଷେପ ନେବା ନିହାତି ଆବଶ୍ୟକ। ନହେଲେ ଭବିଷ୍ୟତରେ ଏଭଳି ଘଟଣାକୁ ରୋକାଯାଇ ପାରିବ ନାହିଁ।
-ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡି