ଗତ ୬ ତାରିଖରେ କାର୍ଯ୍ୟକ୍ରମ ହେଉଛି- ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ ଅନ୍ୟ ଅତିଥିମାନେ ବି ମଞ୍ଚାସୀନ ଥିଲେ। ପୁରସ୍କାର ଓ ସମ୍ବର୍ଦ୍ଧନା ପର୍ବ ଶେଷ ହେବା ପରେ ୧୧.୪୫ ମିନିଟ୍‌ ପାଖାପାଖି ରାଷ୍ଟ୍ରପତି ନିଜର ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିଥିଲେ। ୨-୩ ମିନିଟ୍ ଭାଷଣ ଦେଇଛନ୍ତି କି ନାହିଁ, ହଠାତ୍ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଗଲା। ପ୍ରେକ୍ଷାଳୟ ସାରା ଅନ୍ଧାର ଛାଇଗଲା। କିନ୍ତୁ ଏସି ଓ ସାଉଣ୍ଡ ସିଷ୍ଟମ୍‌ କାମ କରୁଥିଲା। ଏଭଳି ଅକ୍ଷମଣୀୟ ତ୍ରୁଟି ଓଡ଼ିଶା ପାଇଁ ଏକ ଲଜ୍ଜାଜନକ ଘଟଣା। ଏଭଳି ଘଟଣାକୁନେଇ ଚଳିତ ଥର  ସମ୍ବାଦ ‘ଫୋନ୍‌-ଇନ୍‌-ପ୍ଲିଜ’ରେ ଭାଗନେଇ ଭୁବନେଶ୍ବର ଗ୍ରାମାଞ୍ଚଳ (ପୁରୀ-ନୟାଗଡ଼-ଖୋର୍ଦ୍ଧା) ଅଞ୍ଚଳର ପାଠକ ଏଭଳି ମତ ରଖିଛନ୍ତି।

Advertisment

ରାଷ୍ଟ୍ରମୁଖ୍ୟ ରାଷ୍ଟପତିଙ୍କ ସଭାରେ ଆଲୁଅ ଲିଭିଯିବା ଏକ ଅକ୍ଷମଣୀୟ ତ୍ରୁଟି। ସେ ଏହାକୁ ଉଦାର ହୃଦୟରେ ଗ୍ରହଣ କରିନେଇଛନ୍ତି। ଯଦି ଏଭଳି ଅନ୍ଧାରରେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା, କିଏ ଦାୟୀ ହୋଇଥାନ୍ତା। ଏନେଇ ଆଗାମୀ ଦିନରେ ସରକାର ସଚେତନ ରୁହନ୍ତୁ।
-ଶିବସୁନ୍ଦର ମିଶ୍ର, ପୁରୀ

ମହାମହିମ ରାଷ୍ଟ୍ରପତିଙ୍କ ସଭାରେ ଅବ୍ୟବସ୍ଥା ଏକ ଅକ୍ଷମଣୀୟ ତ୍ରୁଟି। ଶକ୍ତିମନ୍ତ୍ରୀ ଏହାର ତଦନ୍ତ କରି ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ଦିନରେ ଯେଭଳି ଏଭଳି ତ୍ରୁଟି ନହେବ ସରକାର ସଚେତନ ରୁହନ୍ତୁ।
-ଦିବ୍ୟ‌ଲୋଚନ ଭାରିମଲ୍ଲ, ଖୋର୍ଦ୍ଧା

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ଏହା ଦାୟିତ୍ବରେ ଥିବା ଅଧିକାରୀ, କର୍ମଚାରୀଙ୍କର ଖାମଖିଆଲ ମନୋବୃତ୍ତିକୁ ପ୍ରମାଣିତ କରୁଛି। ସଂପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ।
-ଅଶୋକ କୁମାର ଆଢ୍ୟ, ପୁରୀ
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ନେଇ ବିଦ୍ୟୁତ ବିଭାଗ ଅଧିକ ସଚେତନ ହେବାର ଆବଶ୍ୟକତା ଥିଲା। ଜେନେରେଟର ମଧ୍ୟ କିଭଳି କାମ କଲା ନାହିଁ, ତାହାର ତଦନ୍ତ ହେଉ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଗ୍ରହଣୀୟ ନୁହେଁ।
-ରବୀନ୍ଦ୍ରନାଥ ପଟ୍ଟନାୟକ, ପୁରୀ

ରାଷ୍ଟପ୍ରତିଙ୍କ କାର୍ଯ୍ୟକ୍ରମରେ ଆଲୁଅ ଲିଭିଯିବା ଏକ ଅକ୍ଷମଣୀୟ ତ୍ରୁଟି। ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।
-ଶିବନାରାୟଣ ପ୍ରଧାନ, ପୁରୀ

ରାଷ୍ଟ୍ରପତିଙ୍କ ସଭାରେ ବିଦ୍ୟୁତ କଟିଯିବା ରାଜ୍ୟର ବିଦ୍ୟୁତ ସେବା ବ୍ୟବସ୍ଥାକୁ ପଦାରେ ପକାଉଛି।
-କାଳିନ୍ଦୀଚରଣ ସାହୁ, ବାଣୀଗୋଚ୍ଛା, ଦଶପଲ୍ଲା

ଓଡ଼ିଶାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏଭଳି ଅବହେଳା ଆଦୌ ଗ୍ରହଣୀୟ ନୁହେଁ। ଏହା ସାରା ଓଡ଼ିଆ ଜାତିକୁ ଜାତୀୟସ୍ତରରେ ନିନ୍ଦିତ କରିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।
-ଏମ୍‌ଡି ହାରୁନ ଖାଁ, ବୋଲଗଡ଼

ବାରିପଦାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦାୟିତ୍ବହୀନତା ସୀମା ଟପିଛି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ କିଭଳି ପ୍ରସ୍ତୁତି କରୁଥିଲା, ତାହା ମଧ୍ୟ ଧରାପଡ଼ିଯାଇଛି।
-କାର୍ତ୍ତିକ ବରାଳ, ବୋଲଗଡ଼

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ, ଶକ୍ତିମନ୍ତ୍ରୀ ଇସ୍ତଫା ଦିଅନ୍ତୁ।
-ବିଜୟ କୁମାର ପ୍ରଧାନ, ନିମାପଡ଼ା

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ ବ୍ୟାଘାତ ଯୋଜନାବଦ୍ଧ ଭଳି ଲାଗୁଛି, ତଦନ୍ତ କରାଯାଉ।
-ରାଜକିଶୋର ଦାଶ, ଗୋପ

ଏହା ଏକ ଲଜ୍ଜାଜନକ ଘଟଣା। ଏହା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ହେଉ।
-ବୃନ୍ଦାବନ ପ୍ରଧାନ, କଣ୍ଟିଲୋ

ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିଯିବା ପରିତାପର ବିଷୟ। ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ହେଉ।
-ପ୍ରକାଶଚନ୍ଦ୍ର ବାରିକ, ନୟାହାଟ
-ଗଣେଶ୍ବର ମିଶ୍ର, ପୁରୀ

ରାଷ୍ଟ୍ରପତିଙ୍କ ସଭାରେ ଅବ୍ୟବସ୍ଥା ନିନ୍ଦନୀୟ ଘଟଣା। ଏହା କେବେ ଓଡ଼ିଶା ଇତିହାସରେ ଘଟିନଥିଲା। ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌ ନ୍ୟାୟରେ ଜଣେ ଠିକା କର୍ମଚାରୀଙ୍କୁ ନିଲମ୍ବନ କରି ବଡ଼ ବାବୁମାନେ ଖସିଯିବାକୁ ବସିଛନ୍ତି। ଏହି ଅବ୍ୟବସ୍ଥା ନେଇ ଶକ୍ତିମନ୍ତ୍ରୀ, ଜିଲ୍ଲାପାଳ ଉତ୍ତର ରଖନ୍ତୁ।
-ଦିଲୀପ ବିଷୋୟୀ, ଓଡ଼ଗାଁ

ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଆବଶ୍ୟକ ଧ୍ୟାନ ଦିଆଯିବାର ଆବଶ୍ୟକତା ଥିଲା। ଏନେଇ ଅଯଥା ରାଜନୀତି କରାନଯାଉ।
-ବୀରେନ୍ଦ୍ର ଭୂଷଣ ହୋତା, ପୁରୀ

ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯେଭଳି ଏଭଳି ଅବ୍ୟବସ୍ଥାର ପୁନରାବୃତ୍ତି ନଘଟେ ସେ ନେଇ କର୍ତ୍ତୃପକ୍ଷ ଯତ୍ନବାନ ରହୁନ୍ତୁ।
-କୈଳାସଚନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା, ଦୁର୍ଯ୍ୟୋଧନ ସାହୁ, ବାଣପୁର

ରାଷ୍ଟ୍ରପତିଙ୍କ ସଭାରେ ଅବ୍ୟବସ୍ଥା ଏକ ଅକ୍ଷମଣୀୟ ତ୍ରୁଟି, ବିଦ୍ୟୁତ ବ୍ୟବସ୍ଥା ଠପ୍‌ ହୋଇଗଲା ପରେ, ଜେନେ‌ରେଟର ମଧ୍ୟ କିଭଳି କାମ କଲା ନାହିଁ, ତାହାର ତଦନ୍ତ କରାଯାଉ। ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।
-ସେକ୍‌ ୟାକୁବ୍‌, ଗୋପ, ପୁରୀ

ଟାଟା ପାୱାର ବିଦ୍ୟୁତ ବିତରଣ ବ୍ୟବସ୍ଥା ଦାୟିତ୍ବ ନେବା ପରଠାରୁ ଜନସାଧାରଣ ବହୁ ସମସ୍ୟା ଭୋଗୁଛନ୍ତି। ରାଷ୍ଟ୍ରପତିଙ୍କ ସଭାରେ ବିଦ୍ୟୁତ ଚାଲିଯିବା ଅକ୍ଷମଣୀୟ ତ୍ରୁଟି। ଯଦି ସେହି ସମୟରେ କିଛି ଅଘଟଣ ଘଟିଥାନ୍ତା, କିଏ ଦାୟୀ ରହିଥାନ୍ତା?
-ପ୍ରଫୁଲ୍ଲ ଦାଶ, ଦଶପଲ୍ଲା

ରାଷ୍ଟ୍ରପତିଙ୍କ ସଭା‌ରେ ଆଲୁଅ ଚାଲିଯିବା ତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣରେ ଥିଲା ଭଳି ଲାଗୁନାହିଁ। ଶକ୍ତିମନ୍ତ୍ରୀ ନିରବ କାହିଁକି? ବିଦ୍ୟୁତ ଚାଲିଯିବା ଆକସ୍ମିକ ନା ଷଡ଼ଯନ୍ତ୍ର ଏହାର ତଦନ୍ତ ହେଉ।
-ଛାୟାକାନ୍ତ ନାୟକ, ପୁରୀ

ଜାଣିଜାଣି କେହି ଏଭଳି ଅବ୍ୟବସ୍ଥା କରିଥାଇପାରେ, ତଦନ୍ତ କରାଯାଉ।
‌-ଜ୍ୟୋତ୍ସ୍ନାମୟୀ ମଙ୍ଗରାଜ, ଖୋର୍ଦ୍ଧା

ଆୟୋଜକ ଏତେ ଅସାବଧାନ ହେଲେ କେମିତି? ଏହି ଘଟଣା ସାରା ଦେଶରେ ଓଡ଼ିଶାକୁ ନିନ୍ଦିତ କରିଛି।
-ସମରେନ୍ଦ୍ର ମହାନ୍ତି, ପୁରୀ

ଦେଶର ସବୋର୍ଚ୍ଚ କର୍ତ୍ତାଙ୍କୁ ଯଦି ଏଭଳି ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି, ସାଧ‌ାରଣ ଲୋକଙ୍କୁ କେଉଁ ପ୍ରକାର ସେବା ମିଳୁଛି, ସହଜେ ଅନୁମେୟ।
-ସୁରଥ ଧଳ, ରଣପୁର, ବିରଞ୍ଚି ଭୋଳ, ପୁରୀ