କର୍ଣ୍ଣାଟକରେ କଂଗ୍ରେସର ବିଜୟ ଦଳର ପୁରୁଣା ଗୌରବକୁ ଫେରାଇ ଆଣିଛି। ଆସନ୍ତା ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଏହାର ଶ୍ରେୟ ନିହାତି ଭାବେ ରାହୁଲଙ୍କୁ ଦେବାକୁ ପଡ଼ିବ। ତାଙ୍କର ଭାରତ ଯୋଡ଼ୋ ଅଭିଯାନ ଦେଶବାସୀଙ୍କୁ ପ୍ରଭାବିତ କରିଛି। ସେ ହିଁ ଦେଶର ପ୍ରକୃତ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣୁଛନ୍ତି। ସାହସର ସହ ନିରାଟ ସତ କଥା କହି ମୋଦୀ ସରକାରଙ୍କୁ ଅକଳରେ ପକାଉଛନ୍ତି। ସେଥିପାଇଁ ବିଜେପି ତାଙ୍କ ପଛରେ ଲାଗିଛି। ପ୍ରତି କଥାରେ ତାଙ୍କୁ ନିନ୍ଦା କରିବା ସହ ଜେଲ୍ ପଠାଇବା ଭଳି ଷଡ଼ଯନ୍ତ୍ର ରଚିଛି। ଏକଥାକୁ ବି ଲୋକ ଭଲ ଭାବେ ବୁଝୁଛନ୍ତି। ତେଣୁ ବିଜେପି ଭଳି ଅନ୍ୟ ଆଞ୍ଚଳିକ ଦଳର ଯେଉଁ ନେତାମାନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ବା ଗୁରୁତ୍ବ ଦେଉନଥିଲେ, କର୍ଣ୍ଣାଟକର ବିଜୟ ପରେ ସେମାନେ ରାହୁଲଙ୍କ ପ୍ରତି ନିଜ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ‘ସମ୍ବାଦ’ ଫୋନ୍-ଇନ୍-ପ୍ଲିଜ୍ର ଚଳିତ ଥରର ପ୍ରସଙ୍ଗ ‘କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର୍ ସ୍ୱୀକାର କରିବେ’ରେ ଭାଗ ନେଇଥିବା ବ୍ରହ୍ମପୁର ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।
ନୀତୀଶ-ମମତା-କେଜ୍ରିୱାଲ୍ ଦିବାସ୍ବପ୍ନ ଦେଖୁଛନ୍ତି। କଂଗ୍ରେସ ଏକ ବୁଡ଼ିଯିବା ଡଙ୍ଗା ସଦୃଶ। ରାହୁଲ କେବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ହୋଇପାରିବେ ନାହିଁ। ରାହୁଲଙ୍କୁ ଆହୁରି ପରିଶ୍ରମ କରିବାର ଅଛି।
-ଡି. ପ୍ରକାଶ ରାଓ, ଚିକଲଖଣ୍ଡି
କର୍ଣ୍ଣାଟକରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଜିତିବା ଅପେକ୍ଷା ହାରିବା ଭଲ। ମୋଦୀ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା କରି ଦେଖାଇଛନ୍ତି। ମୋଦୀଙ୍କ ବିରୋଧରେ ଯେତେ ମେଳି ହେଲେ ମଧ୍ୟ ତାଙ୍କୁ ହରାଇବା କାଠିକର ପାଠ।
-ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମୋହନା
କର୍ଣ୍ଣାଟକରେ ବହୁମତରେ କଂଗ୍ରେସ ବିଜୟୀ ହୋଇଛି। ଆସନ୍ତା ୨୦୨୪ରେ କଂଗ୍ରେସକୁ ଅନ୍ୟ ଦଳ ସମର୍ଥନ କରି ମୋଦୀଙ୍କ ବିରୋଧରେ ଲଢ଼େଇ କରିବା ଭଲ ପଦକ୍ଷେପ। ରାହୁଲଙ୍କ ନେତୃତ୍ବକୁ ନୀତୀଶ-ମମତା-କେଜ୍ରିୱାଲ୍ ଓ ଅନ୍ୟମାନେ ସ୍ବୀକାର କରିବା ଉଚିତ।
-କାମରାଜୁ ଗୌଡ଼, ଦେଉଳପଲ୍ଲୀ
କର୍ଣ୍ଣାଟକରେ କଂଗ୍ରେସରେ ବିଜୟ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ୍ ସ୍ବୀକାର କରିବେ କି ନାହିଁ ତାହା ଭବିଷ୍ୟତ କହିବ। କାରଣ ଆଜିର ସ୍ବାର୍ଥପର ଯୁଗରେ ରାଜନୈତିକ କ୍ଷେତ୍ରରେ ଯେ କୌଣସି ମୁହୂର୍ତ୍ତରେ କିଛି ବି ପରିବର୍ତ୍ତନ ହୋଇପାରେ।
-ଘନଶ୍ୟାମ ତାରିଣୀ, ସୋରଡ଼ା
ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ବିକଳ୍ପ କେହି ନଥିଲେ। କିନ୍ତୁ କଂଗ୍ରେସ କର୍ଣ୍ଣାଟକରେ ଯେଭଳି ବିଜୟଲାଭ କରିଛି ରାହୁଲ ଏବେ ମୋଦୀଙ୍କ ବିକଳ୍ପ ଭାବେ ଛିଡ଼ା ହୋଇଛନ୍ତି। ଅନ୍ୟଦଳ ମଧ୍ୟ ଏହାକୁ ଗ୍ରହଣ କରୁଛନ୍ତି। କର୍ଣ୍ଣାଟକ ବିଜୟ ପରେ କଂଗ୍ରେସରେ ସମ୍ମାନ ଆହୁରି ବଢ଼ିଛି।
-ଅରୁଣ କୁମାର ତ୍ରିପାଠୀ, ଭଞ୍ଜନଗର
କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଏହାର ଶ୍ରେୟ ନିଶ୍ଚିତପକ୍ଷେ ରାହୁଲ ଗାନ୍ଧୀଙ୍କୁ ଯିବ। ତେଣୁ ସେ ନିଶ୍ଚିତ ପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ହୋଇପାରିବେ, ଏବଂ ତାଙ୍କୁ ନୀତିଶ, ମମତା, କେଜ୍ରିୱାଲ୍ ସ୍ବୀକାର କରିବେ।
-ଏନ୍. ନୀଳମାଧବ ପାତ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ର
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ହାସଲ କରିଛି। ଏଥିରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ନୀତିଶ-ମମତା-କେଜ୍ରିୱାଲ୍ ଓଗେର୍ ସ୍ବୀକାର କରିବେ।
-ନାଗେଶ ପଟ୍ଟନାୟକ, ବ୍ରହ୍ମପୁର