କର୍ଣ୍ଣାଟକରେ କଂଗ୍ରେସର ବିଜୟ ଦଳର ପୁରୁଣା ଗୌରବକୁ ଫେରାଇ ଆଣିଛି। ଆସନ୍ତା ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଏହାର ଶ୍ରେୟ ନିହାତି ଭାବେ ରାହୁଲଙ୍କୁ ଦେବାକୁ ପଡ଼ିବ। ତାଙ୍କର ଭାରତ ଯୋଡ଼ୋ ଅଭିଯାନ ଦେଶବାସୀଙ୍କୁ ପ୍ରଭାବିତ କରିଛି। ସେ ହିଁ ଦେଶର ପ୍ରକୃତ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣୁଛନ୍ତି। ସାହସର ସହ ନିରାଟ ସତ କଥା କହି ମୋଦୀ ସରକାରଙ୍କୁ ଅକଳରେ ପକାଉଛନ୍ତି। ସେଥିପାଇଁ ବିଜେପି ତାଙ୍କ ପଛରେ ଲାଗିଛି। ପ୍ରତି କଥାରେ ତାଙ୍କୁ ନିନ୍ଦା କରିବା ସହ ଜେଲ୍‌ ପଠାଇବା ଭଳି ଷଡ଼ଯନ୍ତ୍ର ରଚିଛି। ଏକଥାକୁ ବି ଲୋକ ଭଲ ଭାବେ ବୁଝୁଛନ୍ତି। ତେଣୁ ବିଜେପି ଭଳି ଅନ୍ୟ ଆଞ୍ଚଳିକ ଦଳର ଯେଉଁ ନେତାମାନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ବା ଗୁରୁତ୍ବ ଦେଉନଥିଲେ, କର୍ଣ୍ଣାଟକର ବିଜୟ ପରେ ସେମାନେ ରାହୁଲଙ୍କ ପ୍ରତି ନିଜ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତ ଥରର ପ୍ରସଙ୍ଗ ‘କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର୍‌ ସ୍ୱୀକାର କରିବେ’ରେ ଭାଗ ନେଇଥିବା ଭୁବନେଶ୍ବର ଗ୍ରାମାଞ୍ଚଳ (ପୁରୀ-ନୟାଗଡ଼-ଖୋର୍ଦ୍ଧା) ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

Advertisment

କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପରାଜୟରେ ଉତ୍ସାହିତ କଂଗ୍ରେସ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ବୋଲି ଭାବି କେନ୍ଦ୍ରରେ ବିଜେପିର ଆଧିପତ୍ୟକୁ ହଟାଇବାର ସ୍ବପ୍ନ ଦେଖିବା ନିରର୍ଥକ। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନିଃସନ୍ଦେହରେ କୁହାଯାଇପାରେ।
-ଅଶୋକ କୁମାର ଆଢ଼୍ୟ, ପୁରୀ

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆଦୌ ଐତିହାସିକ ନୁହେଁ। ଏଭଳି ବିଧାନସଭା ନିର୍ବାଚନ ପ୍ରତିବର୍ଷ ହେଉଛି, ଏଥିରେ ଏକ ଦଳ ଜିତୁଛି ଓ ଅନ୍ୟ ଦଳ ହାରୁଛି। ଅପରପକ୍ଷରେ, ପ୍ରାୟ ସମସ୍ତ ବିରୋଧୀ ଦଳର ନେତାଙ୍କ ନିଜେ କେନ୍ଦ୍ରର କ୍ଷମତାରେ ପ୍ରଧାନମନ୍ତ୍ରୀ ହୋଇ ବସିବାର ସ୍ବପ୍ନ ରହିଛି ଓ ସମସ୍ତ ଦଳର ନୀତି ଆଦର୍ଶ ମଧ୍ୟ ଭିନ୍ନ ଭିନ୍ନ। ଏହି ସବୁ ଦୃଷ୍ଟିରୁ ନୀତୀଶ, କେଜ୍ରିୱାଲ୍, ମମତାଙ୍କ ଭଳି ଅଭିଜ୍ଞ ରାଜନୈତିକ ନେତା ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ଗ୍ରହଣ କରିବେ ନାହିଁ।
-ଦିବ୍ୟଲୋଚନ ଭାରିମଲ୍ଲ, ଖୋର୍ଦ୍ଧା

କର୍ଣ୍ଣାଟକରେ କଂଗ୍ରେସର ବିଜୟ ରାହୁଲଙ୍କ ବ୍ୟକ୍ତିତ୍ବ କିମ୍ବା ବିଜେପିର ସମଗ୍ର ଦେଶରେ ଥିବା ପ୍ରଭାବ ଉପରେ ରାଜନୈତିକ ଦୃଷ୍ଟି କୋଣରୁ କୌଣସି ପ୍ରଭାବ ପକାଇବନାହିଁ। ରାଜନୀତିରେ ଏଭଳି ଛୋଟମୋଟ ହାରଜିତ ସ୍ବାଭାବିକ। କର୍ଣ୍ଣାଟକରେ କଂଗ୍ରେସ ଜିତିଥିବା ବେଳେ ଉତ୍ତରପ୍ରଦେଶ ପୌର ନିର୍ବାଚନରେ କଂଗ୍ରେସ ମୂଳପୋଛ ହୋଇଯାଇଛି। ଏଣୁ କର୍ଣ୍ଣାଟକ ନିର୍ବାଚନ ଦ୍ବାରା ଏକ ବଡ଼ ପରିବର୍ତ୍ତନ ହୋଇଯିବ ଓ ରାହୁଲଙ୍କୁ ବିକଳ୍ପ ଭାବେ ସମସ୍ତେ ଗ୍ରହଣ କରିବେ ବୋଲି ଭାବିବା ତ୍ରୁଟିପୂର୍ଣ୍ଣ।
-କୃଷ୍ଣଚନ୍ଦ୍ର ବେହେରା, ପୁରୀ

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ କେଜ୍ରିୱାଲ୍ ହୁଅନ୍ତୁ କି ନୀତୀଶ କେହି ରାହୁଲଙ୍କୁ ପ୍ରମୁଖ ବିକଳ୍ପ ଭାବେ ଗ୍ରହଣ କରିବେ ନାହିଁ। କଂଗ୍ରେସର ବିଜୟ ପରେ ଯେ ରାହୁଲ ଅନ୍ୟ ସମସ୍ତ ଅଭିଜ୍ଞ ବିରୋଧୀ ଦଳ ରାଜନେତାଙ୍କ ଠାରୁ ଶ୍ରେଷ୍ଠ ହୋଇଯିବେ ବୋଲି ଭାବିବା ନିହାତି ଅସଙ୍ଗତ।
-ପ୍ରସନ୍ନ ପ୍ରଧାନ, ନୟାଗଡ଼

ରାହୁଲ ଗାନ୍ଧୀ ଅଭିଜ୍ଞତା, କୁଶଳତା ଓ ଲୋକପ୍ରିୟତା ଆଦିରେ ମୋଦୀଙ୍କ ତୁଳନାରେ କୌଣସି ପ୍ରକାରେ ସମକକ୍ଷ ନୁହନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟର ଅନେକ କାରଣ ରହିଛି। ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ବିକଳ୍ପ ହେବାକୁ ହେଲେ ଯେଉଁ ବ୍ୟକ୍ତିତ୍ବ ଓ ଗୁଣାବଳୀ ଆବଶ୍ୟକ ତାହା ରାହୁଲଙ୍କ ପାଖରେ ନାହିଁ, ଏହି କାରଣରୁ କୌଣସି ବିରୋଧୀ ଦଳ ନେତା ତାଙ୍କୁ ବିକଳ୍ପ ଭାବେ ଗ୍ରହଣ କରିବେ ନାହିଁ।
-ମନୋଜ କୁମାର ପ୍ରଧାନ, ଖୋର୍ଦ୍ଧା

କର୍ଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ ଦଳର ଉତ୍ସାହ ବଢ଼ିଛି। ଯେଉଁମାନେ କହୁଥିଲେ କଂଗ୍ରେସ ଦେଶ ରାଜନୀତିରୁ ସତ୍ତା ହରାଇଛି ତାହ ଭୁଲ ପ୍ରମାଣିତ ହୋଇଛି। ଏଣୁ ବିରୋଧୀ ଦଳମାନେ କଂଗ୍ରେସ ଓ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ଗ୍ରହଣ କରିବାକୁ ବାଧ୍ୟ ହେବେ।
-ପ୍ରକାଶ ଚନ୍ଦ୍ର ବାରିକ, ପୁରୀ

ମୋଦୀଙ୍କ ସମକକ୍ଷ ନେତା ହେବା ପାଇଁ ରାହୁଲଙ୍କ ସାମାନ୍ୟତମ ଯୋଗ୍ୟତା ନାହିଁ। କେଜ୍ରିୱାଲ୍, ନୀତୀଶ, ମମତା ଆଦି ଅଭିଜ୍ଞ ବିରୋଧୀ ଦଳ ନେତା ରାହୁଲଙ୍କୁ ବିକଳ୍ପ ଭାବେ ଗ୍ରହଣ କରିବା ଦୂରର କଥା ସେମାନଙ୍କ ନିଜେ ମଧ୍ୟ ମୋଦୀଙ୍କ ବିକଳ୍ପ ନୁହନ୍ତି। ଏହି ବିରୋଧୀ ଦଳ ନେତାମାନେ ପ୍ରଥମେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଏକ ଭଲ ମୁଖ୍ୟମନ୍ତ୍ରୀ କିଭଳି ହୁଅନ୍ତି ଶିକ୍ଷାଲାଭ କରନ୍ତୁ ତା’ପରେ ଯାଇ ପ୍ରଧାନମନ୍ତ୍ରୀ ପାଇଁ ବିକଳ୍ପ କଥା ଚିନ୍ତା କରିବେ।
-ଅକ୍ଷୟ କୁମାର ସାହୁ, ପୁରୀ

ରାହୁଲ ଗାନ୍ଧୀ ଧୀରେଧୀରେ କଂଗ୍ରେସକୁ ସଜାଡ଼ିବାରେ ଲାଗିଛନ୍ତି। ଭାରତ ଯୋଡ଼ ଯାତ୍ରା ଦ୍ବାରା ନିଜର ପ୍ରଭାବ ବିସ୍ତାର କରିଛନ୍ତି। କର୍ଣ୍ଣାଟକରେ ବିଜେପିକୁ ମାତ ଦେଇଛନ୍ତି। ଏଣୁ ସେ ଏକ ନିଶ୍ଚିତ ବିକଳ୍ପ ଭାବେ ଉଭା ହେବେ ଓ ତାଙ୍କୁ ଅନ୍ୟ ବିରୋଧୀ ଦଳ ନେତା ସମର୍ଥନ ଦେବେ।
-ସୁରଂଜନ ରାଉତ, ପୁରୀ

ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ ଯାତ୍ରାର ପ୍ରତିଫଳନ କର୍ଣ୍ଣାଟକରେ ଦେଖିବାକୁ ମିଳିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଓ ଭୋଟ ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ରାହୁଲ ଆସିଛନ୍ତି, ଏ କଥା ନୀତୀଶ-ମମତା-କେଜ୍ରିୱାଲ୍ ଓଗେର ନେତା ସ୍ବୀକାର କରିବାକୁ ବାଧ୍ୟ ହେବେ। ୨୦୨୪ ନିର୍ବାଚନରେ ମୋଦୀ ବନାମ ରାହୁଲ ଦେଖିବାକୁ ମିଳିବ।
-ଶେଖ୍ ୟାକୁବ୍, ପୁରୀ

ମମତା, କେଜ୍ରିୱାଲ, ନୀତୀଶ ସମସ୍ତେ ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ଭଳି ନୁହେଁ କି ଏହାର ଫଳାଫଳରେ ରାହୁଲ ଗାନ୍ଧୀଙ୍କ ଭଳି ଏକ ଅପରିପକ୍ବ ବ୍ୟକ୍ତିକୁ ମୋଦୀଙ୍କ ବିକଳ୍ପ ଭାବେ ସେମାନେ କଦାପି ଗ୍ରହଣ କରିବେ ନାହିଁ।
-ଧୀରେନ୍ଦ୍ର ଭୂଷଣ ହୋତା, ପୁରୀ

ରାହୁଲଙ୍କ ଭାରତଯୋଡ଼ ଯାତ୍ରା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଜୟ ଦେଇଛି। ଏହି ବିଜୟ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ଠିଆ କରାଇଛି ଓ ଏହାକୁ ବିରୋଧୀ ଦଳ ନେତାମାନେ ସ୍ବୀକାର କରିବେ।
-କୌଳାସ ଚନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ବିଜେପିକୁ ଏକ ଶକ୍ତ ଧକ୍କା ଦେଇଛି। କେବଳ ଏହାନୁହେଁ ରାହୁଲଙ୍କ ରଣନୀତି ନୀତୀଶ, ମମତା ଓ କେଜ୍ରିୱାଲଙ୍କୁ ମଧ୍ୟ ଚମତ୍କୃତ କରିଛି। ଏଣୁ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ସେମାନେ ଗ୍ରହଣ କରିବାକୁ ବାଧ୍ୟ ହେବେ।
-ଦିଲୀପ କୁମାର ବିଷୋୟୀ, ନୟାଗଡ଼

ରାହୁଲ ମୋଦୀଙ୍କ ବିକଳ୍ପ ନୁହନ୍ତି। ବିରୋଧୀ ଦଳ ନେତାମାନେ ମଧ୍ୟ ଏହା ଜାଣିଛନ୍ତି ଓ ତାଙ୍କୁ ବିକଳ୍ପ ଭାବେ ଗ୍ରହଣ କରିବେ ନାହିଁ। ଗଣତନ୍ତ୍ରରେ ଯାହର ସଂଖ୍ୟା ଗରିଷ୍ଠ ସେ ହିଁ ପୂର୍ବ ଦଳର ବିକଳ୍ପ ଅଟେ, ଏଣୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟରେ ରାହୁଲ ଆଗାମୀ ନିର୍ବାଚନରେ ଯେ ଏକ ବିକଳ୍ପ ହେବେ ତାହା ଭାବିବା ଭୁଲ, କିନ୍ତୁ ମୋଦୀଙ୍କ ବିକଳ୍ପ ହେବାକୁ ହେଲେ ରାହୁଲଙ୍କ ସମେତ ସମସ୍ତ ରାଜନୈତିକ ଦଳ ଏକଜୁଟ ହେବା ଆବଶ୍ୟକ।
-ସେକ୍ ଖୁରାୟସ, ଖୋର୍ଦ୍ଧା

ବର୍ତ୍ତମାନ ପରିସ୍ଥିତିରେ କର୍ଣ୍ଣାଟକର ବିଜୟ କଂଗ୍ରେସ ପାଇଁ ଏକ ବଡ଼ ବିଜୟ। ଏହି କାରଣରୁ କେବଳ ଭାରତର ବିରୋଧୀ ଦଳ ନେତା ନୁହନ୍ତି ସମଗ୍ର ବିଶ୍ବରେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ଗ୍ରହଣ କରିବେ।
-ସମରେନ୍ଦ୍ର ମହାନ୍ତି, ପୁରୀ

ପୂର୍ବରୁ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ବିରୋଧୀ ଦଳ ନେତା ଗ୍ରହଣ କରୁନଥିଲେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟରେ ବର୍ତମାନ ବିରୋଧୀ ଦଳ ନେତା ରାହୁଲଙ୍କୁ ବିକଳ୍ପ ଭାବେ ଗ୍ରହଣ କରିପାରନ୍ତି।
-କାଳନ୍ଦୀ ଚରଣ ସାହୁ, ନୟାଗଡ଼

ରାଜନୀତିରେ ଏକ ରାଜ୍ୟର ବିଧାନସଭା ନିର୍ବାଚନର ଭୂମିକା ସେଭଳି ଗୁରୁତ୍ବପୂର୍ଣ୍ଣ ନୁହେଁ। ନିର୍ବାଚନରେ ଏଭଳି ଛୋଟଛୋଟ ବିଜୟପରାଜୟ ସ୍ବାଭାବିକ। ଏହାକୁ ନେଇ ମୋଦୀଙ୍କ ବିକଳ୍ପ ରାହୁଲ ହୋଇଗଲେ ବୋଲି ଭାବେ ଭୁଲ। ଆଗାମୀ ଦିନଗୁଡ଼ିକରେ ପରିସ୍ଥିତି ବଦଳିପାରେ, କିନ୍ତୁ ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ମୋଦୀଙ୍କ ବିକଳ୍ପ ଭାବେ ଦେଶରେ କୌଣସି ରାଜନେତା ନାହାନ୍ତି।
-ଛାୟାକାନ୍ତ ନାୟକ, ପୁରୀ