କର୍ଣ୍ଣାଟକରେ କଂଗ୍ରେସର ବିଜୟ ଦଳର ପୁରୁଣା ଗୌରବକୁ ଫେରାଇ ଆଣିଛି। ଆସନ୍ତା ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଏହାର ଶ୍ରେୟ ନିହାତି ଭାବେ ରାହୁଲଙ୍କୁ ଦେବାକୁ ପଡ଼ିବ। ତାଙ୍କର ଭାରତ ଯୋଡ଼ୋ ଅଭିଯାନ ଦେଶବାସୀଙ୍କୁ ପ୍ରଭାବିତ କରିଛି। ସେ ହିଁ ଦେଶର ପ୍ରକୃତ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣୁଛନ୍ତି। ସାହସର ସହ ନିରାଟ ସତ କଥା କହି ମୋଦୀ ସରକାରଙ୍କୁ ଅକଳରେ ପକାଉଛନ୍ତି। ସେଥିପାଇଁ ବିଜେପି ତାଙ୍କ ପଛରେ ଲାଗିଛି। ପ୍ରତି କଥାରେ ତାଙ୍କୁ ନିନ୍ଦା କରିବା ସହ ଜେଲ୍‌ ପଠାଇବା ଭଳି ଷଡ଼ଯନ୍ତ୍ର ରଚିଛି। ଏକଥାକୁ ବି ଲୋକ ଭଲ ଭାବେ ବୁଝୁଛନ୍ତି। ତେଣୁ ବିଜେପି ଭଳି ଅନ୍ୟ ଆଞ୍ଚଳିକ ଦଳର ଯେଉଁ ନେତାମାନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ବା ଗୁରୁତ୍ବ ଦେଉନଥିଲେ, କର୍ଣ୍ଣାଟକର ବିଜୟ ପରେ ସେମାନେ ରାହୁଲଙ୍କ ପ୍ରତି ନିଜ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତ ଥରର ପ୍ରସଙ୍ଗ ‘କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର୍‌ ସ୍ୱୀକାର କରିବେ’ରେ ଭାଗ ନେଇଥିବା ଅନୁଗୁଳ ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

Advertisment

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପରେ କଂଗ୍ରେସ ନେତା ଓ କର୍ମୀମାନେ ଭାବବିହ୍ବଳ ହୋଇପଡ଼ିବା ଠିକ୍‌ ନୁହେଁ। ବିଧାନସଭା ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ପାଳନ କଲେ ସଫଳତା ପାଇପାରିବ। ତେବେ କର୍ଣ୍ଣାଟକ ଦେଶର ଏକ ରାଜ୍ୟ। ଅନ୍ୟ ରାଜ୍ୟଗୁଡ଼ିକରେ କଂଗ୍ରେସର ସ୍ଥିତି ଶୋଚନୀୟ ରହିଛି। ତେଣୁ ରାହୁଲ ମୋଦୀଙ୍କ ବିକଳ୍ପ ହେବା ଏତେଟୋ ସହଜ ନୁହେଁ।
-ନିର୍ଭୟ କୁମାର ପାଣି, ସଭାପତି
‘ସମ୍ବାଦ ସାହିତ୍ୟ ଘର, କଣିହାଁ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ସହ ଦକ୍ଷିଣ ଭାରତ ଏବେ ବିଜେପିମୁକ୍ତ ହୋଇଯାଇଛି। ଏହାର ଫାଇଦା ତୃତୀୟ ସାମ୍ମୁଖ୍ୟ ନେବା ପାଇଁ ଅଣ୍ଟା ଭିଡିଛି। ଏହାକୁ ନେଇ ବିରୋଧ ଦଳଗୁଡ଼ିକ ନିଶ୍ଚୟ ଖୁସିରେ ଅଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ, ମମତା ଓ କେଜ୍ରିୱାଲ ନିଶ୍ଚୟ ସ୍ବୀକାର କରିବେ। କିନ୍ତୁ ମୋଦୀଙ୍କ ପାଇଁ ରାହୁଲଙ୍କ ଏହି ବିଜୟ ବିଶେଷ ଅସୁବିଧା ହେବ ନାହିଁ।
-ବିନୋଦ ବିହାରୀ ମହାପାତ୍ର
କଇଁଛପଦା, ଛେଣ୍ଡିପଦା

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ରାହୁଲଙ୍କୁ ବିରୋଧୀ ଦଳଗୁଡ଼ିକ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ବିଚାର କରିବେ। ନୀତୀଶ-ମମତା- କେଜ୍ରିୱାଲ୍ ଏହାକୁ ସ୍ବୀକାର କରିବେ। ଏପରି ସ୍ଥିତିରେ ସମସ୍ତ ବିରୋଧୀ ଦଳ ଏକତ୍ରିତ ହୋଇ ରାହୁଲଙ୍କୁ ସମର୍ଥନ କରିବା ଉଚିତ। ଯାହା ଫଳରେ ରାହୁଲ ମୋଦୀଙ୍କ ପ୍ରମୁଖ ବିକଳ୍ପ ହୋଇପାରିବେ ।
-ସିଦ୍ଧେଶ୍ବର ଆଚାର୍ଯ୍ୟ
କଲେଜ୍ ଛକ, ଅନୁଗୁଳ

କଂଗ୍ରେସ ଏକ ଜାତୀୟ ରାଜନୈତିକ ଦଳ। ଏହା ଏକ ଦୁର୍ବଳ ଦଳ ନୁହେଁ। ତେବେ ପାରିବାରିକ ପ୍ରସଙ୍ଗ ଓ ରାହୁଲଙ୍କ ଅପରିପକ୍ବତା ଯୋଗୁଁ କଂଗ୍ରେସର ବିପର୍ଯ୍ୟୟ ଘଟିଥିଲା। କଂଗ୍ରେସର ପୁରୁଣା କର୍ମୀମାନଙ୍କୁ ଗୁରୁତ୍ବ ଦିଆଯାଇନଥିବାରୁ କଂଗ୍ରେସ ସଙ୍ଗଠିତ ହୋଇପାରିନଥିଲା। ତେବେ କର୍ଣ୍ଣାଟକ ନିର୍ବାଚନ ଫଳ କଂଗ୍ରେସରେ ନୂଆ ଶକ୍ତି ସଞ୍ଚାର କରିଛି। ରାହୁଲ କଂଗ୍ରେସର ପୁରୁଣା କର୍ମୀମାନଙ୍କୁ ବିଶ୍ବାସକୁ ନେଇ କଂଗ୍ରେସକୁ ସୁଦୃଢ଼ କରିପାରିଲେ ସେ ମୋଦୀଙ୍କ ବିକଳ୍ପ ହୋଇପାରିବେ, ଏଥିରେ ସନ୍ଦେହ ନାହିଁ।
-ଅନଙ୍ଗ ଚରଣ ବେହେରା
ଏନ୍‌ଟିପିସି,କଣିହାଁ