ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ ଭବିଷ୍ୟତରେ ଯେପରି କାହାର ଭୁଲ୍ ଯୋଗୁଁ ଏମିତି ବଡ଼ ଅଘଟଣ ନ ଘଟେ, ସେଥିପାଇଁ ସରକାର ଓ ପ୍ରଶାସନକୁ ଗଭୀର ଚିନ୍ତା କରିବାକୁ ପଡ଼ିବ। ଯଦି ‘କବଚ’ ଭଳି ବୈଷୟିକ ଜ୍ଞାନକୌଶଳକୁ ଆମେ ଉଦ୍ଭାବନ କରିପାରୁଛେ, ତାକୁ ଲଗାଇବାରେ ଅସୁବିଧା କେଉଁଠି। ସରକାର ଏ ଦିଗରେ ଯତ୍ନବାନ୍ ହୋଇ ଶୀଘ୍ର ପଦକ୍ଷେପ ନିଅନ୍ତୁ। ଚଳିତଥରର ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ‘ବାହାନଗା ରେଳ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି’ରେ ଭାଗ ନେଇଥିବା ଭୁବନେଶ୍ବର ମହାନଗରର ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।
ରେଳ ବିଭାଗର ସାମାନ୍ୟ ଖାମଖିଆଲି ଆଉ ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଅକାଳରେ ଶହଶହ ଲୋକଙ୍କ ମୃତ୍ୟୁ ଘଟିଲା। ଦୁର୍ଘଟଣା ନିରୋଧୀଯନ୍ତ୍ର ଲାଗିଥିଲେ, ଏତେ ବଡ଼ ଅଘଟଣକୁ ଟାଳି ଦିଆଯାଇପାରିଥା’ନ୍ତା। ମୋଟାମୋଟି କହିବାକୁ ଗଲେ, ଏ ଦୁର୍ଘଟଣା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ତ୍ରୁଟି।
-ଶତ୍ରୁଘ୍ନ ସାହୁ, ଜୟଦେବବିହାର
ଏ ଦୁର୍ଘଟଣା ମନୁଷ୍ୟକୃତ। କେନ୍ଦ୍ର ସରକାରଙ୍କ ବିଫଳତା ଓ ରେଳ କର୍ମଚାରୀଙ୍କ ଅପାରଗତା ପାଇଁ ଆଜି ଏତେ ବଡ଼ ଦୁର୍ଘଟଣା ଘଟିଗଲା।
-ରବୀନ୍ଦ୍ର କୁମାର ନନ୍ଦ, ଶିଶୁପାଳଗଡ଼
ରେଳବାଇ କର୍ମଚାରୀ ଟ୍ରେନକୁ ଭୁଲ ସିଗନାଲ ଦେବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଥିପାଇଁ ଏହା ମନୁଷ୍ୟକୃତ।
-ଜଲିଲ ଖାଁ, ନୂଆପଲ୍ଲୀ
ଏହି ଦୁର୍ଘଟଣା ଏକ ମାନବକୃତ ତ୍ରୁଟି। ଏହା ହେଉଛି ଏକ ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ଗତବର୍ଷ ରେଳମନ୍ତ୍ରୀ କବଚ ସିଷ୍ଟମର ସଫଳ ପରୀକ୍ଷଣ କରିଥିଲେ। କବଚ ସିଷ୍ଟମ ଥିଲେ ଦୁର୍ଘଟଣାରୁ ବର୍ତ୍ତି ଯାଇ ପାରିଥାନ୍ତେ। ୨୦୦୨ ମସିହାରୁ ଅନେକ ଦୁର୍ଘଟଣା ଦେଖିଛି ଏହି କରମଣ୍ଡଳ। ତେଣୁ ଏହି ଟ୍ରେନ ଯାଉଥିବା ଲାଇନରେ ପ୍ରଥମେ କବଚ ସିଷ୍ଟମ ଲଗାଯିବା ଦରକାର ଥିଲା। ଏହା କରାଯାଇନାହିଁ କାହିଁକି? ଏହାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳିବା ଆବଶ୍ୟକ।
-ବିଷ୍ଣୁ ପ୍ରସାଦ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ
ବାହାନଗା ରେଳ ଦୁର୍ଘଟଣା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଟ୍ରେନରେ ଦୁର୍ଘଟଣା ନିରୋଧୀଯନ୍ତ୍ର ଲାଗିଥିଲେ ଏତେ ବଡ ଦୁର୍ଘଟଣାକୁ ଟାଳି ଦିଆଯାଇପାରିଥା’ନ୍ତା। ବନ୍ଦେ ଭାରତ ରେଳ ଗାଡ଼ି ସହିତ ସମସ୍ତ ଦ୍ରୁତଗାମୀ ରେଳ ଗାଡ଼ିରେ ଏହି ଯନ୍ତ୍ର ଲଗାଯିବା ଆବଶ୍ୟକ। ଏହା ସରକାରଙ୍କ ଦାୟିତ୍ବ।
-ଡାକ୍ତର ଦିନାନାଥ ଦାସ, ଲକ୍ଷ୍ମୀସାଗର
ବାହାନଗା ରେଳ ଦୁର୍ଘଟଣା ଏକ ମନୁଷ୍ୟକୃତ ତ୍ରୁଟି। ସରକାରୀ ପକ୍ଷରୁ ଯେତିକି ମୃତାହତ ସଂଖ୍ୟା କୁହାଯାଇଛି ତାଠାରୁ ବହୁ ଅଧିକ ମୃତ୍ୟୁ ସଂଖ୍ୟା ରହିଥିବା ସ୍ଥାନୀୟ ଲୋକ ମାନେ କହୁଛନ୍ତି। ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ଏକ ଭଲ କଥା। ଦେଶ ଏବେ ବୁଲେଟ ଟ୍ରେନ ଚଲାଇବା ସ୍ବପ୍ନ ଦେଖୁଥିବା ସମୟରେ ଏଭଳି ରେଳ ଦୁର୍ଘଟଣାକୁ ଗ୍ରହଣ କରାଯାଇ ନପାରେ। ଏହାକୁ ଗୁରୁତ୍ବର ସହ ନେଇ ଏହି ତ୍ରୁଟି ସୁଧାରିବା ଆବଶ୍ୟକ।
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର
ଏହି ରେଳ ଦୁର୍ଘଟଣା ମନୁଷ୍ୟକୃତ। କର୍ମଚାରୀମାନେ ନିଜ ଡ୍ୟୁଟିରେ ଅବହେଳା କରିବାରୁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଲା। ଶହଶହ ଲୋକଙ୍କ ଜୀବନହାନି ହେଲା। ଦୋଷୀମାନଙ୍କୁ କଡ଼ାରୁ କଡ଼ା ଦଣ୍ଡ ମିଳିବା ଆବଶ୍ୟକ।
-ରବୀନ୍ଦ୍ର ଦାଶ, ନୀଳାଦ୍ରିବିହାର
-ବିଷ୍ଣୁ ରଞ୍ଜନ ମହୁଲୀ, କୁପାରି
ବାହାନଗା ରେଳ ଦୁର୍ଘଟଣା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ରେଳ ବିଭାଗର କର୍ମଚାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ ଏଭଳି ଘଟଣା ଆଜି ଘଟିଲା। କେବଳ ବନ୍ଦେ ଭାରତ ଭଳି ରେଳ ଚଳାଇଲେ ହେବ ନାହିଁ। ଏବେ ଯେଉଁ ରେଳ ଚାଲୁଛି, ସେଗୁଡ଼ିକୁ ମଧ୍ୟ ଭଲ ଭାବେ ଚଳାଇବା ଆବଶ୍ୟକତା ରହିଛି।
-ତୁଷାରକାନ୍ତ ଓଝା, ଚଣ୍ଡିଖୋଲ
ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ। ଏବେ କୁହାଯାଇପାରେ ବିଜୁଳି ଶାସନ ହୁଗୁଳି ଗଲାଣି। ଏବେ ଶାସନ ବ୍ୟବସ୍ଥାରେ ଦାୟିତ୍ବହୀନତା ବୃଦ୍ଧି ହେଲାଣି। ସୁନାମ ଅର୍ଜନ କରିବା ପାଇଁ ଲକ୍ଷଲକ୍ଷ ଲୋକଙ୍କ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ସରକାର ଦାୟିତ୍ବବାନ ହେବା ସହ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ।
-ନୀଳମଣି ମିଶ୍ର, ସୁନ୍ଦରପଦା
ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ କି ନୁହେଁ ତାହା ସଂପୂର୍ଣ୍ଣ ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସିଗନାଲ ଫେଲରୁ ଏଭଳି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ପରସ୍ପର ଉପରକୁ କାଦୁଅ ନ ଫିଙ୍ଗି ଏହାର ଏକ ନିରାକରଣ ବାହାର କରିବା ଆବଶ୍ୟକ। କବଚ ସିଷ୍ଟମ କାହିଁକି ଏହି ରୁଟ୍ରେ ନଥିଲା, ତାହା ଉପରେ ତଦନ୍ତ ଆବଶ୍ୟକତା ରହିଛି।
-ପୂଜା ଗୌଡ଼, ଚକେଇସିହାଣି
ବାହାନଗା ରେଳ ଦୁର୍ଘଟଣା ରେଳ କର୍ମଚାରୀମାନଙ୍କ ଅପରାଗତା ପାଇଁ ହୋଇଛି। ରାଜନୈତିକ ଦଳ ପକ୍ଷରୁ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ନ କରି ଏଭଳି ଦୁର୍ଘଟଣା ଭବିଷ୍ୟତରେ ଯେପରି ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ସୁରେନ୍ଦ୍ର କୁମାର ନାୟକ, ନିଆଳି
ଦୁର୍ଘଟଣା ମଣିଷକୃତ ହୋଇ ପାରେ କିନ୍ତୁ ଏହା ଈଶ୍ବରଙ୍କ ଇଚ୍ଛା। ଏସବୁ ହେବାର କାରଣ ମଣିଷର କର୍ମ। ଏଥିରେ କାହାକୁ ଦୋଷ ଦେବାର ନାହିଁ। ସାମାଜିକ ବିଧିବ୍ୟବସ୍ଥାରେ ଏହା ମଣିଷ କୃତ ହୋଇପାରେ କିନ୍ତୁ ସତ୍ୟକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ।
-ଶ୍ରୀବତ୍ସ ମହାନ୍ତି, ଯାଁଳା
ରେଳ ଦୁର୍ଘଟଣା ସମ୍ପୂର୍ଣ୍ଣ ମନୁଷ୍ୟକୃତ। ରେଳ ବିଭାଗ ଦାୟିତ୍ବ ଠିକ ଭାବେ ନିର୍ବାହ କରୁ ନାହାନ୍ତି। ରେଳମନ୍ତ୍ରୀ କ’ଣ କରୁଛନ୍ତି? କରମଣ୍ଡଳ ଏକ୍ସପ୍ରେସ ପୂର୍ବରୁ ମଧ୍ୟ ବହୁବାର ଦୁର୍ଘଟଣା ଘଟିଛି। ଏହା ଏକ କିଲର ଏକ୍ସପ୍ରେସ। ଏହାକୁ କାହିଁକି ଅନୁମତି ଦିଆଯାଉଥିଲା। ଦୁର୍ଘଟଣା ନିରୋଧୀ ଯନ୍ତ୍ର କୁଆଡ଼େ ଗଲା। ଏଥିରେ ସମସ୍ତେ ଦାୟୀ। ଦୋଷୀମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ।
-ମମତା ଦାଶ, ସିଆରପି
ବାହାନଗା ରେଳ ଦୁର୍ଘଟଣା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି କୁହାଯାଇପାରିବ ନାହିଁ। ଏହା ଇଞ୍ଜିନିୟରିଂର ବିଫଳତା।
-ପି.କେ ମିଶ୍ର, ମଧୁସୂଦନ ନଗର
ବିନା ତଦନ୍ତରେ ଆମେ ଏହାକୁ ମନୁଷ୍ୟକୃତ ବୋଲି କହିପାରିବା ନାହିଁ। ଗାଡ଼ି ଯନ୍ତ୍ରଚାଳିତ। ଏହା ଯନ୍ତ୍ର ଦ୍ବାରା ନିୟନ୍ତ୍ରିତ। ଏହା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି କୁହାଯାଇ ପାରିବ ନାହିଁ।
-ରାମଚନ୍ଦ୍ର, ଭିଏସ୍ଏସ୍ନଗର